ପ୍ରମୁଖ ଖବର

ବାରହେତରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଗାଣ୍ଡେୟରୁ ନାମାଙ୍କନ ଭରିଲେ ପତ୍ନୀ କଳ୍ପନା
ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ବାତ୍ୟା ପାଇଁ ଶୁକ୍ରବାର କନ୍ଧମାଳ ଜିଲାରେ ସମସ୍ତ ସ୍କୁଲ ବନ୍ଦ
ଦାନା ବଦଳାଉଛି ଗତିପଥ, ପଶ୍ଚିମବଙ୍ଗ ୧ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ଧଉଳି
ଭୁବନେଶ୍ୱରର ବିମାନବନ୍ଦରରେ ବୋମା ଆତଙ୍କ
ବାତ୍ୟା ଦାନା ପାଇଁ ଆଉ ୧୭ଟି ଟ୍ରେନ୍ ବାତିଲ୍
ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଆଉ ୩ ଗିରଫ
ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ନାମରେ ଧମକ ଦେଇ ପରିବାଵାଲା ଗିରଫ
ତୁର୍କୀରେ ଆତଙ୍କୀ ହମଲା, ୫ ମୃତ
ବାତ୍ୟା ‘ଦାନା’ର ପ୍ରଭାବ: ଭୁବନେଶ୍ୱରରୁ ବିମାନ ଉଡ଼ାଣ ବନ୍ଦ

ବିଜେପିର ଟାର୍ଗେଟରେ କିଏ? ମନ୍ତ୍ରୀ ନା ସଚିବ

0

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ରାଜନୀତିରେ ଯୋଗ ଦିଅନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କୁ ଲେଖିଥିବା କିଛି କଡ଼ା ଚିଠି ଉପରେ ପ୍ରତିକ୍ରିୟା ଦେଇ ଓଡ଼ିଶା ବିଜେପି ନେତାମାନେ କିଛି ଦିନ ତଳେ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେଇଥିଲେ। ଏହାର କିଛି ଦିନ ପୂର୍ବରୁ କୋଭିଡ୍ ସଂକ୍ରାନ୍ତ ଶ୍ରୀ ମହାପାତ୍ରଙ୍କ ଏକ ଚିଠିକୁ କେନ୍ଦ୍ର ସରକାର ଭଲରେ ନେଇନଥିଲେ। ଏକଥା ବି ଗଣମାଧ୍ୟମ ସାମ୍ନାକୁ ଆସିଥିଲା। ଏସବୁକୁ ନେଇ ଚର୍ଚ୍ଚା ଶେଷ ହୋଇନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏକ ତେରଚ୍ଛା ବାଣ ମାରିଛନ୍ତି। ଏଥିରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ ସିଧାସଳଖ ଟାର୍ଗେଟ କରାଯାଇଛି। କେନ୍ଦ୍ରମନ୍ତ୍ରୀ ୧୯ ତାରିଖରେ ଓଡ଼ିଶାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ଉପରେ ଆପତ୍ତି ଉଠାଇ ପରୋକ୍ଷରେ ଜଣାଇବାକୁ ଚାହିଁଛନ୍ତି, ରାଜ୍ୟରେ କୋଭିଡ୍ ପରିଚାଳନା ସନ୍ତୋଷଜନକ ନୁହେଁ।

କେନ୍ଦ୍ରମନ୍ତ୍ରୀ ସିଧା ସିଧା ଏଥିରେ ପ୍ରଶ୍ନ କରିଥିଲେ ”ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି। କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବା ବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି। ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ ଓଡ଼ିଶା ଠାରୁ ମାତ୍ରାଧିକ ଟେଷ୍ଟିଂ ହୋଇଛି।”

ଧର୍ମେନ୍ଦ୍ରଙ୍କର ଏଭଳି ଶାଣିତ ଆକ୍ରମଣ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ହେଲେ ବିଜୁ ଜନତା ଦଳ ବା ରାଜ୍ୟ ସରକାର ଏହା ଉପରେ କେହି ବି ବଡ଼ ପ୍ରତିକ୍ରିୟା ଦେଇନାହାନ୍ତି।

ଅସଲ କଥାଟି ହେଲା, ବିଜେପି କାହାକୁ ଟାର୍ଗେଟ କରିବାକୁ ଚାହୁଁଛି? ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ନା ଓଡ଼ିଶାର ସ୍ବାସ୍ଥ୍ୟ ବ୍ୟବସ୍ଥା?

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଭିଡ୍ ମୁକାବିଲା ସଂପର୍କରେ କଥା ହେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ଠିକ୍ ନଥିବା କଥା ଆଣିଥିଲେ। ଏପରିକି ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ଅଭିଯୋଗ କରିଥିବା ଖବର ମଧ୍ୟ ବିଜେପି ଶିବିରରେ ଆଲୋଚନାରେ ରହିଛି।

ଏହି ଘଟଣାକୁ ରାଜନୈତିକ ମହଲ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରୁଛନ୍ତି। କାହିଁକି ହଠାତ୍ ସ୍ବାସ୍ଥ୍ୟ ସଚିବଙ୍କ ଉପରେ ବିଜେପି ରାଗିଲା? ଆହୁରି ଖବର ମିଳୁଛି ଯେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏବଂ ଓଡ଼ିଶାର ଏମ୍‌ସ ମଧ୍ୟରେ ମଧ୍ୟ ସଂପର୍କ ସେତେଟା ଭଲ ନାହିଁ। ଏହା କଣ ବିଜେପି ଅସନ୍ତୋଷର ଏକ କାରଣ କି? ନା ଶ୍ରୀ ମହାପାତ୍ର କେନ୍ଦ୍ର ସରକାରଙ୍କୁ ଟିକା ଅଭାବ ସଂପର୍କରେ ଲେଖିଥିବା ଏକାଧିକ ଚିଠି ବିଜେପି ନେତାଙ୍କୁ ରଗାଇ ଦେଇଛି?

ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ଉନ୍ନୟନ କମିସନର ଭଳି ପଦବି ଦେଇନାହାନ୍ତି। ଅଥଚ ଶ୍ରୀ ମହାପାତ୍ରଙ୍କୁ ଭରସା କରି କୋଭିଡ୍‌ର ପ୍ରଥମ ଲହର ପରେ ଦ୍ବିତୀୟ ଲହର ମୁକାବିଲା କରୁଛନ୍ତି। ଏଣୁ ସରକାରଙ୍କ ଶୁଭ ଦୃଷ୍ଟିରେ ଶ୍ରୀ ମହାପାତ୍ର ଅଛନ୍ତି କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ ହୋଇରହିଛି। ସେତିକିବେଳେ ବିଜେପି କାହିଁକି ଟାର୍ଗେଟ କରୁଛି?

କାରଣ ଯାହା ବି ଥାଉନା କାହିଁକି, ରାଜ୍ୟ ବିଜେପି ସ୍ବାସ୍ଥ୍ୟ ବିଭାଗକୁ ଟାର୍ଗେଟ କରିବା କିଛି ଭଲ ଲକ୍ଷଣ ନୁହେଁ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି। ଓଡ଼ିଶାରେ କୋଭିଡ୍ ସ୍ଥିତି ଅତି ଉଦ୍‌ବେଗଜନକ ଥିବା ବେଳେ ବିଜେପିର ଏଭଳି ଗୋଟିଚାଳନା ଜନମତକୁ ପ୍ରଭାବିତ କରିବା ସମ୍ଭାବନା ରଖୁଛି। ଆହୁରି ସ୍ପଷ୍ଟ ଭାବେ କହିଲେ, ବର୍ତମାନ ସମୟରେ କୋଭିଡ୍ ଜନିତ ମୃତ୍ୟୁହାର ଖବର ଯେଭଳି ସାମ୍ନାକୁ ଆସୁଛି, ତାହା ଲୋକମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଅସନ୍ତୋଷ ବଢ଼ାଉଛି। ଏଣୁ ବିଜେପିର ଏହି ଚାଲ୍‌ ସାମଗ୍ରିକ ଭାବେ ସରକାରଙ୍କ ପାଇଁ ବିପଦ ହେଇପାରେ। ସ୍ବାସ୍ଥ୍ୟ ବିଭାଗ ପ୍ରତିଦିନ ଏକାଧିକ ନିର୍ଦେଶନାମା, ଅନୁଶାସନ ଓ କଟକଣା ଆଦି ଜାରି କରୁଥିଲେ ହେଁ, ଏହାର କାର୍ଯ୍ୟାନ୍ବୟନ ଦିଗଟି ପୂରା ଊଣା ରହୁଥିବା କାରଣରୁ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗଟି ମୁଖ୍ୟ ଖବର ହେଲାଣି।

ଉଲ୍ଲେଖଥାଉକି, କେରଳରେ ପୂୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ହେଁ ନୂଆ ସରକାରର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ନମିଳିବା ପ୍ରସଙ୍ଗ ଜାତୀୟ ରାଜନୀତିରେ ବିତର୍କ ଭିତରେ ରହିଛି। ଯଦିଓ ଶୈଳଜାଙ୍କ ବ୍ୟକ୍ତିଗତ ଆଗ୍ରହ କାରଣରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିତ୍ତିଭୂମି କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ କ୍ଷମତାକୁ ଫେରାଇ ଆଣିବା ପଛରେ ଅନ୍ୟତମ କାରଣ ବୋଲିଗୋଟିଏ ପକ୍ଷ କହୁଛନ୍ତି, ଆଉ କେହି କେହି କୋଭିଡ୍ ପରିଚାଳନାରେ ତାଙ୍କର ବିଫଳତା ଯୋଗୁଁ ମନ୍ତ୍ରୀ ଚୌକି ମିଳିଲାନି ବୋଲି ଯୁକ୍ତି ରଖୁଛନ୍ତି। ହେଲେ କୌଣସି ମନ୍ତ୍ରୀଙ୍କୁ ବିଜୟନ ଦ୍ବିତୀୟ ଥର ପାଇଁ ମନ୍ତ୍ରିମଣ୍ଡଳକୁ ଆଣିନାହାନ୍ତି। ସଂପୃକ୍ତ ପୂର୍ବତନ ମନ୍ତ୍ରୀମାନଙ୍କର ବିଫଳତା ସରକାର ମୁଣ୍ଡରେ ପୁଣି ତିଳକ ଲାଗିବା ଭଳି ପରିସ୍ଥିତି ସୃଷ୍ଟି କରିବା ଭୟ ଏହାଦ୍ବାରା ଏଡ଼ାଯାଇପାରିଛି।

କାକତାଳୀୟ ନ୍ୟାୟରେ ବିଜେପି ଓ ଧର୍ମେନ୍ଦ୍ରଙ୍କର ଗୋଟିଚାଳନା ଏବେ ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ପାରଦର୍ଶିତାକୁ ମଧ୍ୟ ଅଧିକ ଆହ୍ବାନ ଭିତରକୁ ଠେଲିଦେବା ଭଳି ପରିସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିବା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ସଚିବ ଟାର୍ଗେଟ ହେବା ଏବଂ ଏହି ବିଭାଗର କାର୍ଯ୍ୟଧାରା ଖବର ଶିରୋନାମାରୁ ନ ହଟିବା ଏକ ସ୍ବାଭାବିକ କଥା। ହେଲେ ଦୋଷ, ତ୍ରୁଟି କାହାର ବି ହେଉ; ରାଜ୍ୟ ସରକାର କିନ୍ତୁ ସାମଗ୍ରିକ ଭାବେ ବିତର୍କ ଭିତରକୁ ଚାଲିଆସୁଛନ୍ତି।

କାରଣ, ରାଜ୍ୟରେ ଟେଷ୍ଟିଂ ଅଧିକ ହେଉଥିଲେ ହେଁ, ଆର୍‌ଟିପିସିଆର୍ ପରୀକ୍ଷା କମ୍ ହେଉଥିବା କାରଣରୁ ସଂକ୍ରମଣର ପ୍ରକୃତ ସ୍ଥିତି ଲୋକଲୋଚନକୁ ଆସୁନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇସାରିଲେଣି। ଇତିମଧ୍ୟରେ ଦୈନିକ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟ ସରକାର ଆଗକୁ ୭୦ ହଜାର ଦୈନିକ ନମୁନା ପରୀକ୍ଷା ହେବ ବୋଲି ସୂଚନା ଦେଇଥିଲେ ହେଁ, ଗାଁରେ ଏପର୍ଯ୍ୟନ୍ତ ପରୀକ୍ଷଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇପାରିନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ତାରିଖରୁ ପ୍ରତି ଘର ସର୍ଭେ ହେବ ବୋଲି ଯେଉଁ ସୂଚନା ଦେଇଛନ୍ତି, ଏହା ସଙ୍କେତ ଦେଉଛି ଯେ ଏହାପରଠାରୁ ସଂକ୍ରମଣ ସଂଖ୍ୟା ଆହୁରି ବଢ଼ିପାରେ। ହେଲେ ଏଭଳି ଏକ ବିପଜ୍ଜନକ ପରିସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ କିନ୍ତୁ ସେଭଳି ତତ୍ପରତା ଦେଖାଇନି। ଅର୍ଥାତ୍ ଯଦି ସର୍ଭେରେ ଅଧିକରୁ ଅଧିକ କୋଭିଚ୍ ରୋଗୀ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ କିଭଳି, କେଉଁଠି ଚିକିତ୍ସା ଦିଆଯିବ? ଏହା କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ବିଜେପିକୁ ଅଧିକ ଲାଭ ଦେବନି ତ!

Leave A Reply

Your email address will not be published.