- ଜାତୀୟ ସ୍ତରରେ ନବୀନ ପ୍ରଶଂସା ଗୋଟାଉଥିବା ବେଳେ ନିତିଆୟୋଗ ରିପୋର୍ଟ ଆଣିଲା ଝଟ୍କା
- ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷତବିକ୍ଷତ କଲେ କିଛି ବିଭାଗ, ଆଖିଦୃଶିଆ ପ୍ରଦର୍ଶନରେ ଫେଲ୍ ମାରିଲେ
- ଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀ, ସଚିବଙ୍କ ବିରୋଧରେ ମୁଖିଆ କାର୍ଯ୍ୟାନୁଷ୍ଠାନ ନେବେ ନା ଚାପିଦେବେ
- ନିତି ଆୟୋଗର ଏସ୍ଡିଜି ସୂଚକାଙ୍କ ବୟାନ କରୁଛି, କେଉଁଥିରେ ଓଡ଼ିଶା ଭଲ, କେଉଁଥିରେ ଖରାପ
ଭୁବନେଶ୍ବର: ପାନୀୟ ଜଳ ଠାରୁ ଆରମ୍ଭ କରି ପରିମଳ, ଉତ୍ତମ ସ୍ବାସ୍ଥ୍ୟ, କ୍ଲାଇମେଟ୍ ଆକ୍ସନ, ଶାନ୍ତି ଓ ନ୍ୟାୟ ପ୍ରଦାନ ଆଦି କ୍ଷେତ୍ରରେ ଓଡ଼ିଶା ପ୍ରଦର୍ଶନ ଉଲ୍ଲେଖନୀୟ। ଏହା ସତ୍ତ୍ବେ ସାମଗ୍ରିକ ଭାବେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡ଼ିଜି) ହାସଲରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହେବା, ବିଶେଷକରି ନୀତି ଆୟୋଗ ସୂଚକାଙ୍କ ତାଲିକାରେ ରାଜ୍ୟ ୧୫ରୁ ୧୯ତମ ସ୍ଥାନକୁ ଖସିଯିବା ଘଟଣା ଉଭୟ ରାଜନୈତିକ ପର୍ଯ୍ୟବେକ୍ଷକ ଏବଂ ଅର୍ଥନୀତି ବିଶେଷଜ୍ଞଙ୍କୁ ବିସ୍ମିତ କରିଛି।
ଅନେକ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଆଗୁଆ ଥିଲେ ହେଁ, ଯେଉଁ ୬ଟି କ୍ଷେତ୍ର ଓଡ଼ିଶାକୁ ପଛକୁ ଠେଲିଦେଲା; ସେଗୁଡିକ ହେଲା ଦାରିଦ୍ର୍ୟ, ଅର୍ଥନୈତିକ ଅଭିବୃଦ୍ଧି,ମାନଯୁକ୍ତ ଶିକ୍ଷା, ଲିଙ୍ଗଗତ ସମାନତା, ଶିଳ୍ପ ଓ ଭିତ୍ତିଭୂମି। ଏସବୁ କ୍ଷେତ୍ରରେ ଓଡ଼ିଶା ଆଶାୟୀ ରାଜ୍ୟ ତାଲିକାରେ ରହିବା କାରଣରୁ ପଏଣ୍ଟ ହ୍ରାସ ଘଟିଲା ଏବଂ ରାଜ୍ୟର ପ୍ରଦର୍ଶନ ସାମଗ୍ରିକ ଭାବେ ପଛକୁ ଠେଲି ହୋଇଗଲା।
ଅନେକ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଉଚ୍ଚକୋଟୀର ଥିବା ବେଳେ କେଉଁ କାରଣ ପାଇଁ ଏହି ୬ଟି କ୍ଷେତ୍ରରେ ବିକାଶ ଘଟୁନାହିଁ, ତାହା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଉପରେ ଏହା ପ୍ରଶ୍ନବାଚୀ ଛିଡ଼ା କରିଛି। ଯେଉଁ ବଡ଼ ପ୍ରସଙ୍ଗ ଉପରେ ଏବେ ବିତର୍କ ଆରମ୍ଭ ହୋଇଛି, ତାହା ହେଲା କେଉଁସବୁ କାରଣ ପାଇଁ ଓଡ଼ିଶା ଦାରିଦ୍ର୍ୟ ମୁକ୍ତ ହୋଇପାରୁନାହିଁ? ଶିକ୍ଷାର ମାନ ବୃଦ୍ଧି ନ ହେବା ପାଇଁ କାହାକୁ ଦାୟୀ କରିବା? ଲିଙ୍ଗଗତ ସମାନତା କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ଉଦ୍ୟମଟି କଣ? ଶିଳ୍ପ ଓ ଭିତ୍ତିଭୂମିରେ ରାଜ୍ୟ ଏକନମ୍ବର ହେବାରେ କେଉଁଠି ବାଧକ ରହିଲା? ସଚିବଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବ୍ଲକରେ କନିଷ୍ଠ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ କାହାକୁ ଏଥିପାଇଁ ଦୋଷୀ କରାଯାଇପାରିବ?
ଅର୍ଥନୀତି ବିଶାରଦମାନଙ୍କର ସ୍ପଷ୍ଟ ମତ ହେଲା, ରାଜ୍ୟ ସରକାର ଯେଉଁ ‘୫ଟି’କୁ ଆଶ୍ରା କରିଛନ୍ତି, ତାହାକୁ ଲୋକସେବା ଭବନରେ ହିଁ ଅଧିକାଂଶ ବାବୁ ବା ମନ୍ତ୍ରୀ ମାନୁନାହାନ୍ତି। ଆହୁରି ସ୍ପଷ୍ଟ ଭାବେ କହିଲେ, ସେମାନଙ୍କ ବିଭାଗର ରୂପାନ୍ତରଣ ପାଇଁ ଠୋସ୍ ଖସଡ଼ା ପ୍ରସ୍ତୁତି ତଥା ସମୟଭିତ୍ତିକ କାର୍ଯ୍ୟାନ୍ବୟନ ପାଇଁ ସଂପୃକ୍ତ ବିଭାଗମାନେ ଆଦୌ ସଚେତନ ନାହାନ୍ତି। ରାଜ୍ୟ ସରକାର ଶିକ୍ଷା ଓ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଶିକ୍ଷକମାନଙ୍କୁ ସେମାନଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଲାଗି ଉତ୍ତରଦାୟୀ କରିବାକୁ ସରକାର କୁନ୍ଥକୁନ୍ଥ କାହିଁକି? ସରକାର ପିଲାମାନଙ୍କ ପାଇଁ ମାଗଣା ବହି, ପୋଷାକ, ଜୋତାଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ କରିଛନ୍ତି। ସ୍କୁଲରେ ବିଜ୍ଞାନାଗାର ପାଇଁ ଟଙ୍କା ଯାଉଛି, ଲାଇବ୍ରେରି ପାଇଁ ବି। ହେଲେ ଶିକ୍ଷାବର୍ଷର ପ୍ରଥମ ଦିନ ବିଦ୍ୟାଳୟକୁ ଆସିବା ବେଳେ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ଯେମିତି ବହିନଥାଏ, ସେମିତି ପାଠାଗାର, ବିଜ୍ଞାନାଗାର ସେମାନଙ୍କ ଭାଗ୍ୟରେ ଜୁଟେନି। ଉପସ୍ଥାନ ଏବଂ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ବିଫଳ। ବିଭାଗ ଯେବେ ବିଫଳ, ସେବେ କାହାକୁ ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? କେମିତି ମନ୍ତ୍ରୀ ଏବଂ ସଚିବ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ, ଯେବେ ସେମାନେ ଠିକ୍ ଭାବେ ତାଙ୍କ ଦାୟିତ୍ବ ତୁଲାଇପାରୁନାହାନ୍ତି।
ଶିଳ୍ପ ଭିତ୍ତିଭୂମି ତା ଚାହିଁ ତଦ୍ରୁପ। ଏବେ ବି ରେକର୍ଡ ସମୟରେ କୌଣସି ଗୋଟିଏ ବି ଶିଳ୍ପ ପ୍ରକଳ୍ପକୁ ଓଡ଼ିଶା ଆଣି ତାକୁ ଉତ୍ପାଦନ ସ୍ଥିତିକୁ ଟାଣିନେଇପାରିଲାନି ବିଭାଗ। ଜମି ଅଧିଗ୍ରହଣ ସବୁଠାରୁ ବଡ଼ ବାଧକ ସାଜିଛି। ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ଅଧିକାଂଶ ପ୍ରକଳ୍ପ ବିଳମ୍ବିତ ହେଉଛି। ଏକଥା ସମସ୍ତେ ଜାଣି ବି ଆଖିବୁଜି ଦେଇଛନ୍ତି। ଟଙ୍କିକିଆ ଚାଉଳ ସରକାର ଦେଉଛନ୍ତି। ବର୍ଷକୁ ପାଖାପାଖି ହଜାରେ କୋଟି ଖର୍ଚ୍ଚ ହେଉଛି। ତାର ମାନ ଯାଞ୍ଚ କିଏ କରିବ? ପ୍ରକୃତ ହିତାଧିକାରୀ ପାଇଲା କି ନାହିଁ, ଏ କାମଟି କାହାର? ମନରେଗା ଠାରୁ ଆରମ୍ଭ କରି ଯେତେ ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ ଜାରି ରହିଛି, ତାର ସାମାଜିକ ଅଡିଟ୍ କାହିଁକି ବିଭାଗମାନେ କରୁନାହାନ୍ତି? ଲିଙ୍ଗଗତ ସମାନତା କ୍ଷେତ୍ରରେ ସରକାର ଯେତେ ନିର୍ଦେଶ ଦେଇଛନ୍ତି, ତାହାର ସଠିକ୍ ଅନୁପାଳନ ହୋଇଛି?
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ମୁଖ୍ୟମନ୍ତ୍ରୀ ଗତମାସରେ ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ପ୍ରସ୍ତୁତି ଲାଗି ନିର୍ଦେଶ ଦେଇଥିଲେ। ସେ ଏହାର ସମୀକ୍ଷା କରିଥାନ୍ତେ। ବିଭିନ୍ନ କ୍ଷେତ୍ରରେ ସରକାର ଯେଉଁ ୨୦୧୯ରେ ଟାର୍ଗେଟ ନେଇଥିଲେ, ସେସବୁ କେତେ କାର୍ଯ୍ୟକାରୀ ହୋଇଛି, ତାହାର ଯାଞ୍ଚ କରାଯାଇଥାନ୍ତା ଏବଂ ଏହା ପରେ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଥାନ୍ତା। ହେଲେ କୋଭିଡ୍ ପରିପ୍ରେକ୍ଷୀରେ ତାହା ସମ୍ଭବ ହୋଇନାହିଁ। ମନ୍ତ୍ରୀ, ସଚିବ ବିପଦମୁକ୍ତ ହୋଇଗଲେ ଭାବି ଖୁସ୍ ଅଛନ୍ତି।
ହେଲେ ନିତି ଆୟୋଗର ଏହି ରିପୋର୍ଟ ଦର୍ଶାଇ ଦେଇଛି ଯେ ଯୋଜନା ଓ ସଂଯୋଜନ ବିଭାଗ ଠାରୁ ଆରମ୍ଭ କରି ପଞ୍ଚାୟତିରାଜ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଶିଳ୍ପ, ଉଚ୍ଚ ଓ ବିଦ୍ୟାଳୟ ଗଣଶିକ୍ଷା, ସ୍ବାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦିର ସ୍ବାସ୍ଥ୍ୟ ଠିକ୍ ନାହିଁ। ଏସବୁ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ବିରୋଧରେ ସରକାର ଉତ୍ତରଦାୟିତ୍ବ ନ୍ୟସ୍ତ କରିବା କଥା। ନିତି ଆୟୋଗର ରିପୋର୍ଟ ହିଁ ସେମାନଙ୍କର ଗତବର୍ଷର ପ୍ରଦର୍ଶନ ସାର୍ଟିଫିକେଟ୍। ଏହାଠାରୁ ନିରପେକ୍ଷ ସାର୍ଟିଫିକେଟ୍ ଆଉ କଣ ହୋଇପାରେ।
ମୁଖ୍ୟମନ୍ତ୍ରୀ ଯେଉଁ ରିପୋର୍ଟ କାର୍ଡ ମାଗିଥିଲେ, ସେଥିରେ ବିଭାଗମାନେ ନାଲି ନେଳି ରଙ୍ଗରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦେଇ ବାହା-ବା ନେଇଥାନ୍ତେ ଏବଂ ଏକ ନମ୍ବର ମନ୍ତ୍ରୀ ବୋଲି ଦାବି କରିଥାନ୍ତେ। ଏହାଦ୍ବାରା ସେମାନେ ଏକ ନମ୍ବର ହୋଇଥାନ୍ତେ। ହେଲେ ରାଜ୍ୟ କିମ୍ବା ମୁଖ୍ୟମନ୍ତ୍ରୀ କିନ୍ତୁ ଏକ ନମ୍ବର ହୋଇପାରିବେନି। ସତକଥା ହେଲା, ମନ୍ତ୍ରୀ, ସଚିବ ଏବଂ ବିଭାଗର ଦୁର୍ବଳ ପ୍ରଦର୍ଶନ କାରଣରୁ ଜାତୀୟସ୍ତରରେ ରିପୋର୍ଟ କାର୍ଡରେ ନବୀନଙ୍କ ପ୍ରଦର୍ଶନ ତଳକୁ ତଳ ଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଭଲ କାମ ପାଇଁ ଯେଭଳି ରାଜ୍ୟ ଏବଂ ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି, ଠିକ୍ ସେମିତି ଏହି ରିପୋର୍ଟ ତାଙ୍କୁ ଢେର୍ ଦୁର୍ନାମ ଦେଇଛି। ସରକାରର ସଫଳତା ପାଇଁ ସେ ଯେମିତି ସାବାସୀ ନେଉଛନ୍ତି ବା ଦେଉଛନ୍ତି, ଅପରାଗତା ପାଇଁ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଅନ୍ୟଥା ସରକାରଙ୍କ ଯୋଜନା ଓ ଲକ୍ଷ୍ୟ ହାସଲ ଭିତରେ ଗତ ଦିନମାନଙ୍କରେ ଯେଭଳି ଯୋଜନ ଯୋଜନ ଦୂରତା ଥିଲା, ଭବିଷ୍ୟତରେ ବଢିବ ସିନା, କମିବ ନାହିଁ।