ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବିଜେଡିରେ ପୂରୁଣା ବଦଳିବେ, ନୂଆ ଆସିବେ!

0

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ ରାଜନୀତିରେ ଦବଦବା ରଖିଥିବା ନେତାମାନଙ୍କ ରାଜନୀତି କ୍ୟାରିଅର ୟୁ ଟର୍ଣ୍ଣ ମାରିବ। ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ତାଙ୍କ ସ୍ଥାନରେ ପୁଅ, ପରିବାର କିମ୍ବା ଅନୁଗତଙ୍କୁ ସାମ୍ନାକୁ ଆଣିପାରେ ବିଜେଡି। ବିଜେଡି ସାଂଗଠନିକ ପ୍ରକ୍ରିୟାରେ ଏହାର ଝଲକ ବି ଦେଖିବାକୁ ମିଳିବା ସମ୍ଭାବନା ଅଧିକ। ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ତରିକାକୁ ନିରେଖି ଦେଖିଲେ, ଏମିତି ସୂଚନା ମିଳୁଛି। ଦଳକୁ ଆହୁରି ୨୦ ବର୍ଷ ପର୍ଯ୍ୟନ୍ତ ଦୃଢ ଭାବେ ରଖିବା ଲାଗି ବିଜେଡି ଶୀର୍ଷ ନେତୃତ୍ବ ଗୁରୁତ୍ବର ସହିତ କିଛି ପ୍ରସଙ୍ଗକୁ ନେଇ ବିଚାର ଆଲୋଚନା ଚଳାଇଥିବା ଖବର ମିଳିଲାଣି।

ଗତ ନିର୍ବାଚନରେ ଦଳର ବହୁ ହେଭିଵେଟ୍ ନେତା ନିର୍ବାଚନରେ ହାରିଛନ୍ତି। ଆଉ କିଛି ନେତା ନିର୍ବାଚନ ପରେ ବି ଦଳକୁ ନେଇ ଆଗକୁ ବଢୁନଥିବା ବିଶ୍ବସ୍ତ ସୂତ୍ରରୁ ନେତୃକ୍ବକୁ ଖବର ମିଳିଛି। ସେମାନେ ପରିବର୍ତିତ କୌଶଳକୁ ଗ୍ରହଣ କରିପାରୁନାହାନ୍ତି। ଯେଉଁ ସ୍ଥାନରେ ନେତାମାନେ ହାରିଛନ୍ତି, ସେଠି ଯେ ସେମାନେ ଆଉ ଜିତିବେ ସେ ସମ୍ଭାବନା କ୍ଷୀଣ ଲାଗୁଛି। କାରଣ ଗତ ତିନିଦଶନ୍ଧି ଧରି ଏସବୁ ନେତାମାନେ ସେ ଆସନକୁ ମାଡି ବସିଛନ୍ତି। ଆଉ କାହାକୁ ସୁଯୋଗ ଦେଉନାହାନ୍ତି କି ବାଟ ଛାଡୁନାହାନ୍ତି। ଫଳରେ ବିଜେଡିର ଦ୍ବିତୀୟ ଧାଡିର ନେତା ଏବେ ଅନ୍ୟ ଦଳର ପ୍ରମୁଖ ଆସନରେ ବସିଲେଣି। ସେମାନଙ୍କ ଲୋକପ୍ରିୟତା ବଢୁଛି।

ପୁରୀ ବିଧାନସଭା ଆସନକୁ ଏ କ୍ଷେତ୍ରରେ ଉଦାହରଣ ଭାବେ ନିଆଯାଇପାରେ। ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି କାହାକୁ ବି ବାଟ ନ ଛାଡିବାରୁ ଏବେ ବିଜେଡିର ପୂର୍ବତନ ପୌର ଅଧ୍ୟକ୍ଷ ବିଜେପିକୁ ଯାଇ ଏହି ଆସନ ଛଡାଇ ନେଲେ। କେବଳ ଏହି ଗୋଟିଏ ଆସନରେ ଏମିତି ହୋଇଛି, ସେ କଥା ନୁହେଁ ଅନେକ ଆସନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବଲାଙ୍ଗୀର ଆସନରେ ବି ଅନୁରୂପ ପରିସ୍ଥିତି। ଏଭଳି ଯେତେ ଆସନ ରହିଛି, ସେସବୁରେ ନେତୃତ୍ବ ବିକଳ୍ପ ସୂତ୍ର ଖୋଜୁଥିବା ସୂଚନା ମିଳିଛି। ପାଖାପାଖି ୨୦ଟି ଆସନକୁ ନେଇ ହିସାବନିକାସ ଆରମ୍ଭ ହୋଇଛି।

ଆସନ୍ତା ତିନି ବର୍ଷ ଦଳ ତିନିଟି ନିର୍ବାଚନ ସାମ୍ନା କରିବ। ଆସନ୍ତାବର୍ଷ ପୌର ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ। ୨୦୨୧ ଅକ୍ଚୋବର ମାସରୁ ଏଥିପାଇଁ ରଣନୀତି ପ୍ରସ୍ତୁତ କରାଯିବ। ପୁଣି ୨୦୨୨ରେ ସାଧାରଣ ନିର୍ବାଚନ ସମ୍ଭାବନା ହୋଇପାରେ। ‘ଏକ ଦେଶ ଏକ ନିର୍ବାଚନ’ ରଣନୀତିରେ ଓ ଦେଶର ସ୍ବାଧୀନତାର ୭୫ବର୍ଷ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ, ନୂଆ କାର୍ଯ୍ୟାଳୟରେ ନୂଆ ସରକାର ଗଠନ କରିବାର ସ୍ବପ୍ନ ଦେଖିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏବେଠାରୁ ଅନୁମାନ ଲଗାଇଲେଣି। ଏଭଳି ସ୍ଥିତିରେ ଏଥରର ସାଂଗଠନିକ ନିର୍ବାଚନ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇପାରେ।

ଆହୁରି ଉଲ୍ଲେଖନୀୟ କଥା ହେଉଛି, ଆସନ୍ତା ନିର୍ବାଚନରେ ବିଜୁ ଲିଗାସିରେ ପୂର୍ଣ୍ଣଛେଦ ପ୍ରାୟ ପଡିଯିବ। ପ୍ରଦୀପ ମହାରଥୀ ପ୍ରମୁଖଙ୍କ ଭଳି ଯେଉଁ କିଛି ନେତା ନିର୍ବାଚନ ଜିତିଛନ୍ତି, ସେମାନେ ଲଢିବା ସମ୍ଭାବନା କ୍ଷୀଣ। ଏସବୁ କ୍ଷେତ୍ରରେ ଦଳକୁ ନୂଆ ବିକଳ୍ପ ସୃଷ୍ଟି କରିବାକୁ ହେବ ବୋଲି ନେତୃତ୍ବ ବିଚାର କରୁଛନ୍ତି। କିଛି ଆସନରେ ଲଗାତର ପାଞ୍ଚ ଥର ଜିତିଥିବା ନେତା ବି ଅକଳରେ ପଡିପାରନ୍ତି। ସେଠାରେ କେଉଁ ଦ୍ବିତୀୟ ଧାଡିର ନେତାଙ୍କୁ ଗୁରୁତ୍ବ ଦିଆଯିବ, ତାହା ଉପରେ ଏବେ ଦଳ କସରତ କରୁଛି।

କଂଗ୍ରେସ ଶେଷ ସମୟରେ ପିଢୀ ବଦଳାଇ ନୂଆ ନେତାଙ୍କୁ ଟିକେଟ ଦେବାର ପରିଣାମ କଣ, ତାହା ଏବେ ସସମ୍ତଙ୍କ ସାମ୍ନାରେ। ବିଜେପି ଆଶାନୁରୂପକ ପ୍ରଦର୍ଶନ ନ କରିବା ପଛରେ ବି ଯୋଜନାବିହୀନ ସମରସଜ୍ଜା ବୋଲି କୁହାଯାଉଛି। ବିଜେଡି ଏଥିରୁ ଢେର୍ ଶିଖିଛି ଓ ଏବେଠାରୁ ପରବର୍ତୀ ନିର୍ବାଚନ କୌଶଳ ପାଇଁ ଖେଳ ଆରମ୍ଭ କରୁଛି। ଏଣୁ ଯାହାକୁ ଦଳ ଆଗକୁ ଆଣିବ, ତାକୁ ଏବେଠାରୁ ଧୀରେ ଧୀରେ କର୍ମୀଙ୍କ ସହିତ ଯୋଡିବା ଲାଗି ବିଚାର ଆରମ୍ଭ ହୋଇଛି।

ବିଜେଡି ସାଂଗଠନିକ ନିର୍ବାଚନରେ ଏଥର ଅନେକ ନୂଆ ମୁହଁ ଦେଖାଯିବେ। ରାଜ୍ୟ ରାଜନୀତିରେ ପ୍ରମୁଖ ଭାଗରେ ନଥିବା କିଛି ନେତାଙ୍କୁ ଶୀର୍ଷ ନେତୃତ୍ବ ସାମ୍ନାକୁ ଆଣି ସଂପୃକ୍ତ ଅଞ୍ଚଳର ଗୁରୁ ଦାୟିତ୍ବ ଦେଇପାରନ୍ତି। ପୂର୍ବରୁ ସୁଶାନ୍ତ ସିଂହଙ୍କ କ୍ଷେତ୍ରରେ ଦଳ ଏଭଳି ପରୀକ୍ଷା କରି ସଫଳ ହୋଇଛି। ବିଜେପୁରରେ ଦୁଇ ଦୁଇଟି ଉପନିର୍ବାଚନରେ ସୁଶାନ୍ତ ନିଜ ପାରଦର୍ଶିତା ଦେଖାଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ପ୍ରତାପ ଦେବଙ୍କୁ ନିର୍ବାଚନ ଅଧିକାରୀ କରାଯାଇଛି। ସମାନ୍ତରାଳ ଭାବେ ଦଳର ସାଂଗଠନିକ ଦାୟିତ୍ବ ଓ ମୁଖ୍ୟାଳୟ ଦାୟିତ୍ବ ପ୍ରଣବ ପ୍ରକାଶ ଦାସ ଓ ସଂଜୟ ଦାସବର୍ମାଙ୍କ ହାତରେ ବିଜେଡି ସୁପ୍ରିମୋ ନ୍ୟସ୍ତ କରିଛନ୍ତି। ଏମାନଙ୍କ ସହ ଅରୁଣ କୁମାର ସାହୁ ପଛରେ ରହି ରଣନୀତି ଚଳାଇଥିବା ଖବର ମିଳୁଛି।

Leave A Reply

Your email address will not be published.