ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ନିଜ ଗୋଡରେ ଚୋଟ ମାରୁଛି ବିଜେପି!

0

ଭୁବନେଶ୍ବର: କାହା ଦୟାରେ ନୁହେଁ, ଲଢି ଲଢି ରାଜ୍ଯ ବିଜେପି ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ବିଜେପି ଏହି ସଫଳତା ପାଇଛି, ଏଥିରେ କେହି ଦ୍ବିମତ ହେବେ ନାହିଁ। କିନ୍ତୁ ସାଧାରଣ ନିର୍ବାଚନ ପରେ ବିଜେପିର ପରିବର୍ତିତ ରାଜନୈତିକ କୌଶଳ ଦଳର ଗତ ପାଞ୍ଚବର୍ଷର ପରିଶ୍ରମକୁ କେବଳ ଧୂଳିସାତ୍ କରିଦେଇଛି ତା ନୁହେଁ,ରାଜ୍ୟ ବିଜେପି ଦୁଇ ନମ୍ବର ସ୍ଥାନରେ ରହି ବି ଲୋକ ଓ ଦଳୀୟ କର୍ମୀଙ୍କ ସାମ୍ନାରେ ପୁଣି ତିନି ନମ୍ବର ସ୍ଥାନକୁ ଖସିଆସିଛି। ନେତୃତ୍ବର ଆଚରଣ ଓ ଉଚ୍ଚାରଣ ଦଳକୁ ଏମିତି ସ୍ଥିତିକୁ ଟାଣି ଆଣିଲାଣି।

ବିଜେଡି ପରେ ବିଜେପି ରାଜ୍ୟରେ ଏବେ ଦ୍ବିତୀୟ ବୃହତ୍ତମ ଦଳ। ବିଧାନସଭାରେ ୨୩ ଆସନରେ ସେମାନେ ପ୍ରତିନିଧିତ୍ବ କରୁଛନ୍ତି। ଏହା କିଛି କମ୍ କଥା ନୁହେଁ। ଅନ୍ତତଃ ସଂସଦର ପ୍ରଦର୍ଶନ ତୁଳନାରେ ଦଳର ଏଠାରେ ଉପସ୍ଥିତି ବେଶ୍ ଭଲ। କିନ୍ତୁ ବିରୋଧୀ ଦଳ ନେତା ପଦ ଚୟନ ବିଜେପିର ପ୍ରଦର୍ଶନକୁ ଅନେକ ପରିମାଣରେ ସଙ୍କୁଚିତ କରିଦେଲା। ଦଳର ଶୀର୍ଷସ୍ତର କିଛି ନେତା କହିବାନୁସାରେ, ଭାରସାମ୍ୟ ରଖିବା ଭଳି ନେତା ଆଉ ନାହାନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ନିଜକୁ କେନ୍ଦ୍ର କରି ଯେ କୌଣସି କଥା ଦେଖିଲେ,ହାତଗଣତି କିଛି ନେତା ହିଁ ସବୁବେଳେ ସାମ୍ନାକୁ ଆସିବେ, ଯାହା ଏବେ ବିଜେପିରର ସ୍ଥିତି। ଦଳର ବିଧାନସଭା ପ୍ରଦର୍ଶନ ନେତୃତ୍ବକୁ ଆମୋଦିତ କରିପାରୁଥାଏ।ହେଲେ ରାଜ୍ୟରେ ଯେଉଁ କୋଟିଏ ଭୋଟର ଦଳକୁ ଭୋଟ ଦେଇଥିଲେ, ସେମାନଙ୍କ କଷ୍ଟ ବହୁଗୁଣିତ ହୋଇଯାଇଛି, ଏକଥା ଦାଣ୍ଡରେ ପଡି ହାଟରେ ଗଡିଲାଣି।

ଆହୁରି ସାଂଘାତି କଥା ହେଲା, ଦଳ ବିରୋଧୀ ଦଳ ନେତା ଚୟନ କରିବା ବେଳେ ଯେଉଁ ତ୍ରୁଟି କରିବସିଥିଲା, ଏବେ ଦଳର ସଭାପତି ଚୟନ ସମୟରେ ଅନୁରୂପ ରାସ୍ତାରେ ଆଗଉଥିବା ଚର୍ଚ୍ଚା ଜୋର ଧରିଲାଣି। ଏତେ ବଡ ଦଳର ସଭାପତି ଚୟନ ନେଇ କୌଣସି କୋଳାହଳ ବା ଉତ୍ସାହ ପରିିଲକ୍ଷିତ ନ ହେବା, କର୍ମୀ ନେତୃତ୍ବ ନିକଟରେ ପ୍ରତିବାଦ ଜଣାଇବା ରାଜନୀତି ବ୍ୟବସ୍ଥାରେ ଏକ ଭୁଲ ସଙ୍କେତ ବୋଲି ବିଚାର କରାଯାଇଥାଏ। ଯେଉଁ ନେତାମାନଙ୍କର ନାମ ଏବେ ସଭାପତି ପାଇଁ ବଛାଯାଉଛି, ସେମାନେ ଦଳର ରାଷ୍ଟ୍ରୟ ସଭାପତିଙ୍କର ଯୋଗ୍ଯତାର ଗୋଟିଏ ଭାଗର ମଧ୍ୟ ଅଧିକାରୀ ନୁହଁନ୍ତି। ନିର୍ବାଚନରେ ଜିତିବା କଥା ଦୂରେ ଥାଉ, କୌଣସି ଗୋଟିଏ ଅଞ୍ଚଳରେ ଵାର୍ଡ ସଭ୍ୟ ନିର୍ବାଚିତ କରିବା ମଧ୍ୟ ସେମାନଙ୍କ ପାଇଁ କାଠିକର ପାଠ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।

ପ୍ରଶ୍ନ ଉଠୁଛି, ହଠାତ୍ ନିଜ ଗୋଡରେ ବିଜେପି ନିଜେ କାହିଁକି ଚୋଟ ପକାଉଛି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗୋଟିଚାଳନା ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ ହୋଇ ରହିବ। ବିରୋଧୀ ତାଙ୍କୁ ମାତ୍ ତ ଦେଇପାରିଲେ ନାହିଁ,ସେମାନଙ୍କ ଉପସ୍ଥିତିକୁ ସେ ଏମିତି ସ୍ଥିତିକୁ ଟାଣି ନେଇଗଲେ ଯେ ସେମାନଙ୍କର ଆତ୍ମବିଶ୍ବାସ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ କଂଗ୍ରେସ ସ୍ଥିତି ଦେଖିବା ପରେ ବି ବିଜେପି ନ ଚେତିବା ଘଟଣା ରାଜନୈତିକ ପଣ୍ଡିତମାନଙ୍କୁ ବିସ୍ମିତ କରୁଛି। ଜଣେ ଦକ୍ଷ ସଭାପତି ନିଯୁକ୍ତି ଦେଇ ପ୍ରତିପକ୍ଷକୁ ଯେ କୌଣସି ମୁହୂର୍ତରେ ଚେକ୍ ଦେବା ଲାଗି ନେତୃତ୍ବ କ୍ଷମତା ରଖିବ ନା ଜାତୀୟ ସ୍ବାର୍ଥକୁ ସାଧନ କରୁ କରୁ ରାଜ୍ୟ ବିଜେପି ନେତାମାନେ ସବୁ ସମୟ ପାଇଁ ନିଜର ଉପସ୍ଥିତି ହରାଇବେ ତାହା ଦେଖିବା କଥା। ଗଣମାଧ୍ୟମ ସାମ୍ନାରେ ସମସ୍ତେ ସବୁବେଳେ କହିପାରିବେ, ଯାହା ଜଣେ ମୁଖପାତ୍ର କରନ୍ତି। କିନ୍ତୁ ସମସ୍ତଙ୍କୁ ସାଙ୍ଗରେ ନେଇ ଯୁଦ୍ଧରେ ଲଢିବା କାର୍ଯ୍ୟ କେବଳ ଜଣେ ଦକ୍ଷ ସେନାପତି କରିପାରିବ। ବିଜେପି ଚେତିବ କି ଫସିବ, ତାହା ଏବେ ଦେଖିବା କଥା।

Leave A Reply

Your email address will not be published.