ଭୁବନେଶ୍ବର: ମେଣ୍ଟରେ ଥିଲେ ବିଜେଡି-ବିଜେପି। ସେଯାଏ ସବୁ ଠିକ୍ ଥିଲା। ହେଲେ ଯେଉଁ ଦିନ ମେଣ୍ଟ ଭାଙ୍ଗିଲା, ତା ପର ନିର୍ବାଚନରେ ଥୋକେ ବିଜେପି ନେତା ଯୋଗଦେଲେ ବିଜେଡିରେ। କୁହାଗଲା, ଏହା ରାଜନୈତିକ ଆବଶ୍ୟକତା ଥିଲା। କାହାକୁ ଦଳ ଟିକେଟ ଦେଲା, ଆଉ କାହାକୁ ଅନ୍ୟ ପଦପଦବିରେ ଥଇଥାନ କରାଗଲା। ସମାନ୍ତରାଳ ଭାବେ ବିଜୟ ମହାପାତ୍ରଙ୍କ ଭଳି ଅନ୍ୟ ଦଳର ନେତାମାନେ ବିଜେପିରେ ଯୋଗଦେଲେ। ଏହାପରଠାରୁ ଏବେ ଯାଏ ବିଜେଡି-ବିଜେପିକୁ ଉଭୟ ଦଳର ବା ବାହାର ନେତା ଡିଆଁ ପର୍ବ ଥମିନାହିଁ। ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି, ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡାଙ୍କ ଭଳି ବହୁ ଟାଣୁଆ ନେତା ବିଜେଡିରେ ଯୋଗଦେଇଥିଲେ। ବିଜେପି ଓ କଂଗ୍ରେସରୁ ଅନେକ ନେତା ଆସିଛନ୍ତି ବିଜେଡିକୁ, ଏଇ ଯେମିତି ଅଶ୍ବିନୀ ପାତ୍ର, ସୁଦାମ ମାରାଣ୍ଡି, ସାନନ୍ଦ ମାରାଣ୍ଡି, ଚନ୍ଦ୍ର ଶେଖର ସାହୁଙ୍କ ଠାରୁ ଆରମ୍ଭ କରି ସସ୍ମିତ ପାତ୍ରଙ୍କ ଯାଏ।
କିନ୍ତୁ ଉଭୟ ଦଳର ଚରିତ୍ରକୁ ଅନୁଶୀଳନ କଲେ ଏକ ବଡ଼ ଚିତ୍ର ସାମ୍ନାକୁ ଆସୁଛି। ନିଜ ଦଳର ନେତାଙ୍କୁ ପଛରେ ପକାଇ ଅନ୍ୟ ଦଳର ନେତାଙ୍କୁ ରେଡ୍ କାର୍ପେଟ ପକାଇ ସ୍ବାଗତ କରିବା ଓ ରାତାରାତି ପଦ ପଦବି ଧରାଇ ଦେବାରେ ନବୀନ ପଟ୍ଟନାୟକଙ୍କ ରେକର୍ଡ ଭାରତବର୍ଷର ଅନ୍ୟନେତାଙ୍କ ଠାରେ ଦେଖିବାକୁ ମିଳିବ ନାହିଁ। ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡାଙ୍କୁ ଲୋକସଭା ଓ ବିଧାନସଭାକୁ ପଠାଇଛନ୍ତି ନବୀନ। ସସ୍ମିତ ଯାଇଛନ୍ତି ରାଜ୍ୟସଭାକୁ। ଅନ୍ୟ ଦଳରୁ ନିର୍ବାଚନବେଳେ ଆଣିଥିବା ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ ପଦ ଓ ସମାନ ତରିକାରେ ରଘୁନନ୍ଦନ ଦାସଙ୍କୁ ଜଳସଂପଦ ମନ୍ତ୍ରୀ ପଦବି ଭଳି ଗୁରୁତ୍ବପୂର୍ଣ୍ଣ ପଦବି ଧରାଇ ଦିଆଯାଇଛି। ସୁଦାମଙ୍କୁ ମନ୍ତ୍ରୀ ପଦ, ସାନନ୍ଦଙ୍କୁ ଉପବାଚସ୍ପତି (ପୂର୍ବରୁ ଥିଲେ) ଆସନ, କଂଗ୍ରେସରୁ ଆସିଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟ ସଚେତକ ପଦବି, ଓଜିପିରୁ ଆସିଥିବା ସଂଜୟ ଦାସବର୍ମାଙ୍କୁ ମନ୍ତ୍ରୀ ପଦଠାରୁ ଆରମ୍ଭ କରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବି ଯାଏ। ଏମିତି ତାଲିକା ଲମ୍ବି ଚାଲିଥିବ।
ସବୁଠାରୁ କୌତୂହଳର କଥା ହେଉଛି, ଅନ୍ୟ ଦଳରୁ ଆମଦାନୀ କରିଥିବା ନେତାଙ୍କ ହାତରେ ସଂଗଠନର ଚାବି ଧରାଇ ଦେବା ଘଟଣା ବି ବିରଳ, ଯାହା କେନ୍ଦ୍ରାପଡା ଜିଲ୍ଲାରେ ଘଟିଲା। ବିଜେଡିର କଟ୍ଟର ବିରୋଧୀ ଉତ୍କଳ ପରିଡାଙ୍କ ହାତରେ ଜିଲ୍ଲା ଚାବି ଦିଆଯାଇଛି, ଠିକ୍ ସେମିତି କଂଗ୍ରେସରୁ ଆମଦାନୀ କରି ଆଣିଥିବା ନେତାଙ୍କ ହାତରେ କେନ୍ଦୁଝର ସଂଗଠନ ଦାୟିତ୍ବ ଦେବାକୁ ନେତୃତ୍ବ କାର୍ପଣ୍ୟ କରିନାହାନ୍ତି। ରାଜ୍ୟ କାର୍ଯ୍ୟକାରିଣୀରେ ଅନ୍ୟ ଦଳରୁ ଆମଦାନୀ ହୋଇଥିବା ନେତା, ଯେଉଁମାନେ କି ବିଜେଡିର ବୁନିଆଦି ସଂପର୍କରେ ଅଜ୍ଞ, ଏବେ ଯାଏ ନିଜ ନିର୍ବାଚନମଣ୍ଡଳୀର ନିଜ ଦଳର କର୍ମୀଙ୍କୁ ବି ଭଲ ଭାବେ ଚିହ୍ନି ନାହାନ୍ତି, ସେମାନଙ୍କୁ ସ୍ଥାନ ଦେଇ ନବୀନ ନିଜର ସାହସ ଦେଖାଇଛନ୍ତି।
ଅନ୍ୟପକ୍ଷରେ ବିଜେପି କିନ୍ତୁ ୧୧ ବର୍ଷ ପରେ ବି ବିଜୟ ମହାପାତ୍ରଙ୍କୁ ଅସ୍ପୃଶ୍ୟ କରି ରଖିଛି। ଡାକ୍ତର ଦାମୋଦର ରାଉତ ବେଶୀ ସମୟ ବିଜେପି ଭିତରେ ରହିପାରିଲେନି। ତାରା ପ୍ରସାଦ ବାହିନୀପତି ବିଜେପିରୁ ଧୋକା ଖାଇ ପୁଣି କଂଗ୍ରେସ ମଇଦାନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଅଣନିଶ୍ବାସୀ ହୋଇପଡିଲେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଓ ବ୍ରଜ କିଶୋର ତ୍ରିପାଠୀ। ରଘୁନାଥ ମହାନ୍ତି ରାଜନୀତିରୁ ସନ୍ନ୍ୟାସ ନେବା ସ୍ଥିତିକୁ ଆସିଗଲେଣି। ଜିଲ୍ଲା, ରାଜ୍ୟ ସଂଗଠନ ଦାୟିତ୍ବ ଦେବା ଦୂରର କଥା, ପ୍ରବକ୍ତା କରିବା ଲାଗି ମଧ୍ୟ ନେତୃତ୍ବର ଆଗ୍ରହ ନାହିଁ। କେବଳ ବୈଜୟନ୍ତ ପଣ୍ଡା ଏକମାତ୍ର ବ୍ୟତିକ୍ରମ, ଯିଏ କି ତାଙ୍କର ପୁରୁଣା ବିଜେପି ସଂପର୍କ ଆଧାରରେ ଦଳର ଉପାଧ୍ୟକ୍ଷ ପଦବିରେ ଅଛନ୍ତି। ଅନ୍ୟଥା ବିଜେପିରୁ ରାଜନୀତି ଆରମ୍ଭ କରି ଅପରାଜିତା ଷଡଙ୍ଗୀଙ୍କୁ ବି ଦଳରୁ ବିରୋଧ ପ୍ରକ୍ରିୟା ଜାରି ରହିଛି।
ଉଭୟ ସୂତ୍ର ସେମାନଙ୍କ ଦଳକୁ କେତେ ଲାଭ ଦେଇଛି ବା କ୍ଷତି ପହଞ୍ଚାଇଛି, ତାହାର ହିସାବ ନିକାସ ସମୟ କହିବ। କିନ୍ତୁ ଗୋଟିଏ ନିର୍ଣ୍ଣୟ ଅବଶ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ କାଢିସାରିଲେଣି ଯେ ବିଜେଡି ଏଯାଏ ଉଚ୍ଚ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଚିନ୍ତାଧାରା ବା ଚେହେରା ଭାବେ ନିଜକୁ ପ୍ରକଟ କରିପାରୁନାହିଁ। ଦୀର୍ଘ ୨୦ବର୍ଷ ଧରି ରାଜ୍ୟ ଶାସନରେ ରହିଛି ସତ, ୨୩ ବର୍ଷ ଧରି ପରାଜୟର ସ୍ବାଦ ଚାଖିନି, କିନ୍ତୁ ଦଳକୁ ଏବେ ବି ପ୍ରମାଣ ଦେବାକୁ ହେଉଛି ଯେ ସେମାନେ ଧର୍ମ ନିରପେକ୍ଷତାରେ ବିଶ୍ବାସ କରନ୍ତି। ସେମାନଙ୍କୁ ଏବେ ବି ବାଜା ବଜାଇବାକୁ ପଡୁଛି ଯେ ସେମାନେ ଓଡ଼ିଶାର ସ୍ବାର୍ଥ ପାଇଁ ଯେ କୌଣସିସ୍ତରକୁ ଯାଇପାରିବେ। ସେମାନଙ୍କୁ ଏକଥା ତୁହାଇ ତୁହାଇ କହିବାକୁ ହେଉଛି ଯେ ସେମାନେ ଲୋକଙ୍କ ସାଙ୍ଗରେ ଅଛନ୍ତି। ଦୀର୍ଘ ୨୦ବର୍ଷ ପରେ ନବୀନ ମାର୍କା ନେତା ତିଆରି କରିବାରେ ବିଜେଡି ବିଫଳ ହୋଇଛି। ନବୀନଙ୍କ ଭଲ କାମ ସଂପର୍କରେ ଚର୍ଚ୍ଚା କରୁଥିବା ନେତାଙ୍କ ସଂଖ୍ୟା କମିବାରେ ଲାଗିଛି, ବରଂ ବିଜେଡି ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବଢାଇବାରେ ଏ ନେତାମାନେ ମୁଖ୍ୟ ପୁରୋଧା ସାଜିଥିବା ଦେଖାଦେଲେଣି। ବିଜେଡି ନେତୃତ୍ବର ସବୁଠାରୁ ବଡ଼ କାର୍ଯ୍ୟ ହୋଇଛି ନିଜ ଦଳର ଲୋକଙ୍କୁ ନିଜ ହାତରେ ରଖିବା। ଏଥିପାଇଁ ଦଳୀୟ ଶୀର୍ଷ ନେତୃତ୍ବ କେତେବେଳେ ପଦ ପଦବି ଲାଞ୍ଚରେ ଦେଉଛନ୍ତି ତ ଆଉ କେତେ ବେଳେ ଅଜସ୍ର ପଇସା ଖର୍ଚ୍ଚ କରି ନିଜ ପ୍ରାର୍ଥୀଙ୍କୁ ଜିତାଉଛନ୍ତି। ଏହାଦ୍ବାରା ଆଉ କିଛି ହେଉ କି ନହେଉ, ରାଜ୍ୟ ପ୍ରତି ସେମାନେ ଯେତିକି ପ୍ରାଥମିକତା ଦେବା ଲାଗି ଆଗ୍ରହ ଦେଖାଉଛନ୍ତି, ତାହା ବାସ୍ତବ ରୂପ ନେଇପାରୁନାହିଁ।
ଏସବୁ ବିଜେପି ପାଇଁ ଆବଶ୍ୟକ ହେଉନାହିଁ। ଦଳ ସାଂଗଠନିକ କ୍ଷେତ୍ରରେ ଏତେ ଅର୍ଥ ବା ସମୟ ବିନିଯୋଗ କରୁନାହିଁ, ଯେତିକି ବିଜେଡି କରୁଛି। ବରଂ ବିଜେପି ନେତୃତ୍ବକୁ ବ୍ରାଣ୍ଡିଂରେ ଅଧିକ ସମୟ ଦେଉଛି। ବରଂ ବିଜେଡି ଭିତରେ ଫାଟ ସୃଷ୍ଟି କରି ନିଜକୁ ରାଜ୍ୟରେ ମଜବୁତ ସ୍ଥିତିକୁ ଟାଣିଆଣିଛି। କଂଗ୍ରେସ ଭୋଟ ବ୍ୟବଧାନ କମିଲା ବୋଲି ବିଜେପି ଆସନ ହରାଇଲା, ତାହା ଅଲଗା କଥା। କିନ୍ତୁ ଭୋଟ ବ୍ୟବଧାନ ପାଖାପାଖି ସ୍ଥିତିକୁ ଚାଲିଆସିଲାଣି। ଆସନ୍ତା ଥର ଏ ସ୍ଥିତି ଆହୁରି ଭୟାନକ ରୂପ ନେଇପାରେ। ସରକାର ବିରୋଧୀ ସବୁ ତତ୍ତ୍ବ ଅବଶ୍ୟ ବିଜେପି ପାଖରେ ଏକାଠି ହୋଇପାରନ୍ତି, ଯଦି କଂଗ୍ରେସ ତାର ସଂଗଠନକୁ ନ ସଜାଡେ। ଓଡ଼ିଶାରେ ଶକ୍ତି, ସାମର୍ଥ୍ୟ, କଳ, ବଳ ଓ କୌଶଳ ପ୍ରୟୋଗ ଆଦିକୁ ଯଦି ବିଚାରକୁ ନିଆଯାଏ, ତେବେ ଏକଥା ସତ୍ୟ ଯେ ବିଜେଡି କ୍ଷତିରେ ପହଞ୍ଚିଛି ଓ ବିଜେପି ଲାଭରେ ଅଛି। ଅର୍ଥାତ୍ ଅଧିକ ବିିନିଯୋଗ କରି କମ୍ ଲାଭ ପାଇଛି ଓ ବିଜେପି ଠିକ୍ ଓଲଟା।
ଏସବୁ କାରଣରୁ ୨୩ ବର୍ଷ ପରେ ବି ବିଜେଡି ନିଜର କ୍ୟାଡର ଗଠନରେ ଯେମିତି ବିଫଳ ହୋଇଛି, ନିଜ ମାର୍କା ନେତା ତିଆରି କରିବାରେ ବି ସେମିତି ସକ୍ଷମ ହୋଇପାରିନାହିଁ। ନିଜ ଦଳର ନେତାଙ୍କ ଭିତରେ ଥିବା ଦ୍ବନ୍ଦ୍ବ ନବୀନଙ୍କୁ ବାରମ୍ବାର ଦୁର୍ବଳ କରୁଛି। ଦଳକୁ ଏହା ଆଗକୁ ଆହୁରି ସମସ୍ୟା ଟାଣିଆଣିବ। କାରଣ ଏଯାଏ ବିଜେଡି ଅସଲ ଲଢେଇ ସାମ୍ନା କରିନି। ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ଭିତରେ ନେତୃତ୍ବ ନିଜକୁ ବଞ୍ଚାଇ ରଖିଛନ୍ତି। ଏବେ କିନ୍ତୁ ଅନ୍ୟ ଦଳର ଓ କ୍ଷମତାକେନ୍ଦ୍ରର ଅନୁଗତଙ୍କୁ କ୍ଷମତାର ଶୀର୍ଷ ପର୍ଯ୍ୟନ୍ତ ଟାଣି ନେବା ସହ ନିଜର ଏକ ବଡ଼ ଗୋଷ୍ଠୀ କରିବା ଲାଗି ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଦଳର ସ୍ବାର୍ଥ ଓ ଶୀର୍ଷ ନେତୃତ୍ବର ନିଷ୍ପତ୍ତିକୁ ପଛକୁ ଠେଲି ନିଜର ଲୋକ ବୋଲି କହି ନୂଆ ନୂଆ ବଳୟ ଦଳ ଭିତରେ ତିଆରି ହେଲାଣି। ଏହି ବଳୟ ଆଗକୁ ବିଷର କ୍ଷେତ୍ର ତିଆରି କରିବ କି ବିଶ୍ବାସ ଭାଜନ ହେବ ଏକଥା ଏବେଠାରୁ ଆକଳନ କରିବା ମୁସ୍କିଲ୍। କିନ୍ତୁ ଏକଥା ସତ ଯେ ନିର୍ବାଚନ ନୁହେଁ, ବରଂ କିଏ ନେତା ହେବ, ତାକୁ ନେଇ ବିଜେଡି ଭିତରେ ଏବେ ଆଭ୍ୟନ୍ତରୀଣ କନ୍ଦଳ ବଢିବାକୁ ଲାଗିବ। ବିଭିନ୍ନ ବିଚାରଧାରାର ଲୋକ ଏକାଠି ରହୁଥିବା କାରଣରୁ ସେମାନଙ୍କ ଭିତରେ ଆଦର୍ଶଗତ ପ୍ରଭେଦ ଦେଖାଦେବ। ଯେଉଁଥିପାଇଁ ନବୀନଙ୍କୁ କ୍ଷମତା ରାଜନୀତିରେ ଗୌଣ କରି ଦେଖାଇବାକୁ ଏସବୁ ନୂଆ ଗୋଷ୍ଠୀ ଆଦୌ ପଛଘୁଞ୍ଚା ଦେବେ ନାହିଁ। ନିଜ ସ୍ବାର୍ଥ ପାଇଁ ବିରୋଧୀଙ୍କ ସହ ସାଲିସ କରି କ୍ଷମତା ହଡପ କରିବା ସମ୍ଭାବନାକୁ ବି ଏଡାଇ ଦେଇ ହେବନାହିଁ।
ଏବେ ବେଳ ଆସିଛି, ଶୀର୍ଷ ନେତୃତ୍ବ ବିଜେଡିରେ ଥିବା ନବୀନ ମାର୍କା ନେତାଙ୍କୁ ଖୋଜି କାଢନ୍ତୁ। ଆନୁଗତ୍ୟକୁ ପ୍ରାଥମିକତା ମିଳୁ, କିନ୍ତୁ ଆନୁଗତ୍ୟର ମୁଖା ପିନ୍ଧି ରାଜ୍ୟ ନେତୃତ୍ବକୁ ବ୍ଲାକମେଲିଂ କରିବାକୁ ପାଗ ଭିଡିଥିବା ନେତାଙ୍କୁ ନୁହେଁ। ରାଜନେତାଙ୍କୁ ଦାୟିତ୍ବ ଦିଆଯାଉ, କିନ୍ତୁ ନିଜର ବ୍ୟାବସାୟିକ ବା ଆର୍ଥିକ ବିକାଶ ପାଇଁ ଆସିଥିବା ବର୍ଗଙ୍କୁ ନୁହେଁ। ଅନ୍ୟଥା ଝୁଣ୍ଟିବେ ହିଁ ଝୁଣ୍ଟିବେ !