ପ୍ରମୁଖ ଖବର

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜଧାନୀ ଭୁବନେଶ୍ଵରରେ ସିରିଜ୍ ଦୁର୍ଘଟଣା: ୨ଟି ମୋ ବସ ଓ ୨ଟି କାର ଦୁର୍ଘଟଣା ଗ୍ରସ୍ତ

ଜୋର ଧରୁଛି ଲୁଲୁ-ବୁଲୁ ଲଢେଇ

0
  • କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପି
  • ସାହିତ୍ୟ ମାଟିରେ ରାଜନୀତିର କମ୍ପନ,ବଳ କଷାକଷି ଚାଲିଛି
  • ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ
  • ପୂର୍ବରୁ ବିଭିନ୍ନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର

ଭୁବନେଶ୍ବର: ନିର୍ବାଚନ ପୂର୍ବର ପରିସ୍ଥିତି ନାହିଁ। ସରକାରଙ୍କୁ ଏଯାଏ ଆଖିବୁଜା ସମର୍ଥନ ଦେଇଚାଲିଛି ବିଜେପି। ଭିତରେ ଭିତରେ ଦଳ ରଣନୀତି ପ୍ରସ୍ତୁତ କରୁଥିଲେ ହେଁ,ଏଯାଏ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଆସିନାହାନ୍ତି। କିନ୍ତୁ ୧୪୬ଟି ବିଧାନସଭା କ୍ଷେତ୍ରର ଏ ପାଣିପାଗ କଟକ ଜିଲ୍ଲା ମାହାଙ୍ଗାରେ ନାହିଁ। ସେଠାରେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ (ବୁଲୁ) ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା (ଲୁଲୁ)ଙ୍କୁ ଅନବରତ ଘେରୁଛନ୍ତି। ଏମିତି ଯେ ପଞ୍ଚାୟତିରାଜ ବିଭାଗର ଘର, ଭତ୍ତା କେଳେଙ୍କାରୀ ସବୁକିଛି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ବାହାରୁଛି।

ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ପୂ୍ର୍ବରୁ ଶାରଦାଙ୍କ ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗ ମନ୍ତ୍ରୀ ଶ୍ରୀ ଜେନାଙ୍କ ପାଇଁ ଅକଳ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ପରେ ଆରମ୍ଭ ହେଲା ଗୃହ ନିର୍ମାଣ କେଳେଙ୍କାରୀ। ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ବୁଲୁ ଏମିତି ଢଙ୍ଗରେ ଲୁଲୁଙ୍କୁ ଘେରିଲେ ଯେ ଏହା ରାଜ୍ୟ ପ୍ରସଙ୍ଗ ପାଲଟିଗଲା। ସରକାର ଅଡୁଆରେ ପଡ଼ିଲେ। ଗୃହ ନିର୍ମାଣ ନେଇ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସମୟରେ ସରକାରଙ୍କୁ ମିଳିଥିବା ଲୋକପ୍ରିୟତା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୟରେ ହୋଇପାରିଲା ନାହିଁ। କେବଳ ସେତିକି ନୁହେଁ, ମନ୍ତ୍ରୀ ନିଜ ବ୍ଲକର ବିଡ଼ିଓଙ୍କୁ ଦପ୍ତରରେ ନିଯୁକ୍ତି ଦେବା ଘଟଣାକୁ ପ୍ରସଙ୍ଗ କରିବା ଓ ଏହାକୁ ନେଇ ସରକାରଙ୍କୁ ଘେରିବା ବି ଦେଖାଗଲା। ପରିଣାମ ହେଲା, ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂପୃକ୍ତ ଅଧିକାରୀ ନିଯୁକ୍ତି ପାଇପାରିଲେ ନାହିଁ।

ଏହି ସ୍ଥିତି ଉପରୁ ଚର୍ଚ୍ଚା ଥମିନି, କରୋନା ସମୟରେ ମାହାଙ୍ଗା ମାଟିରୁ ପୁଣି ଦୁଇଟି ବଡ଼ ପ୍ରସଙ୍ଗ ଉଭା ହୋଇଛି। ବ୍ଲକ କାର୍ଯ୍ୟାଳୟକୁ ଦଳୀୟ କାର୍ଯ୍ୟାଳୟ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ଆଣି ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଘେରିଥିବା ବେଳେ ରବିବାର ଆଉ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ଯେଉଁଥିରେ ମନ୍ତ୍ରୀ ସାମାଜିକ ଦୂରତ୍ବ ରକ୍ଷା ନ କରିବା ଘଟଣାକୁ ବୁଲୁ ଟ୍ବିଟ୍ କରି ଛାଡ଼ିଛନ୍ତି। ଏହାକୁ ନେଇ ଗଣମାଧ୍ୟମ ଜରିଆରେ ପୁଣି ମନ୍ତ୍ରୀଙ୍କୁ ଘେରିଛନ୍ତି। ଏଥିରେ କହିଛନ୍ତି, ବହୁତ ବିଳମ୍ବରେ ମନ୍ତ୍ରୀଙ୍କର ବ୍ଲକ କଥା ମନେପଡିଲା ଓ ପ୍ରବାସୀଙ୍କ ଫେରିବା ପ୍ରସ୍ତୁତି ଅନୁଧ୍ୟାନ ଲାଗି ଆସିଲେ। ହେଲେ ସାମାଜିକ ଦୂରତ୍ବ କୁଆଡେ ଗଲା? କୌତୂହଳ କଥା ହେଲା, ଦୁଇ ଦିନ ତଳେ ବୁଲୁ ବିଭିନ୍ନ ଗଣମାଧ୍ୟମରେ ପ୍ରବାସୀଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଦଳମତ ଭୁଲି ପ୍ରବାସୀଙ୍କ ଥଇଥାନ କଥା କହିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ହାରିଥିବା ଶାରଦା ପ୍ରଧାନ ଗତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅତ୍ୟନ୍ତ ନିକଟତମ ବୋଲି ଜଣାଶୁଣା ଶ୍ରୀ ପ୍ରଧାନ ରାଜ୍ୟ ବିଜେପିକୁ ସକ୍ରିୟ ରଖିଥିବା ନେତା କିଛି ପ୍ରମୁଖ ନେତାଙ୍କ ମଧ୍ୟରେ ଅନ୍ୟତମ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା।

ସେପଟେ ରାଜ୍ୟ ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଭାବେ ପ୍ରତାପ ଜଣାଶୁଣା। ଲଗାତର ଭାବେ ପାଞ୍ଚଥର ସେ ନିର୍ବାଚନ ଜିିତିଲେଣି। ଏକାଧିକ ବାର ମନ୍ତ୍ରୀ ହୋଇଛନ୍ତି। ବର୍ତମାନ ସେ ପଞ୍ଚାୟତିରାଜ ସହିତ ନଗର ଉନ୍ନୟନ ଓ ଆଇନ ବିଭାଗ ରଖିଛନ୍ତି। ଏହା ହିଁ ସୂଚାଉଛି ଯେ ପ୍ରତାପଙ୍କର ମନ୍ତ୍ରିମଣ୍ଡଳରେ କେତେ କାଟତି ରହିଛି। ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଅନୁଗତ ମନ୍ତ୍ରୀଙ୍କ ମଧ୍ୟରୁ ସେ ଜଣେ ବୋଲି କୁହାଯାଏ। ଏପରିସ୍ଥଳେ ଲୁଲୁ-ବୁଲୁଙ୍କର ଏହି ଲଢେଇ ଆଗକୁ କେଉଁ ମୋଡ଼ ନେଉଛି, ବିଜେପି ମାହାଙ୍ଗାକୁ ପ୍ରୟୋଗଶାଳା କରି ସେଇଠାରୁ ସରକାରଙ୍କୁ ଘେରିବା ଆରମ୍ଭ କରିବ କି, ସର୍ବୋପରି ରାଜ୍ୟ ବିଜେଡି ଓ ବିଜେପିର ଅନ୍ୟ ନେତାମାନେ ଏହି ପ୍ରସଙ୍ଗକୁ କେତେ ଗମ୍ଭୀରତାର ସହିତ ନେଉଛନ୍ତି, ତାହା ଆସନ୍ତା ଦିନରେ ଜଣାପଡିବ।

Leave A Reply

Your email address will not be published.