ପ୍ରମୁଖ ଖବର

ଭୁବନେଶ୍ବର: ତଳସରା ବିଧାୟକ ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ
ନୂଆ ଆୟକର ବ୍ୟବସ୍ଥାରେ ବଦଳିଲା ଛାଡସୀମା, ପୁରୁଣା ବ୍ୟବସ୍ଥାରେ ଅପରିବର୍ତ୍ତିତ, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି
୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା: ଶସ୍ତା ହେବ ସୁନା, ରୂପା, କ୍ୟାନ୍ସର ଔଷଧ, ମୋବାଇଲ
ଏଥର ବଜେଟ୍ ରେ ନୂଆ ଚାକିରିଆଙ୍କ ପାଇଁ ଖୁସି ଖବର, ତିନୋଟି କିସ୍ତିରେ ମିଳିବ ୧୫ ହଜାର

ଦୁଇଟି ବିପର୍ଯ୍ୟୟ, ଦୁଇଟି ଚ୍ୟାଲେଞ୍ଜ

0
  • କଠିନ ସମୟରେ ଗତି କରୁଛନ୍ତି ଓଡ଼ିଶା ସରକାର
  • ନବୀନ-ଧର୍ମେନ୍ଦ୍ର ଏକାଠି ବସି କରନ୍ତୁ ଯୋଜନା
  • ଗତବର୍ଷ ଦୁଇଟି ବାତ୍ୟା ସାମ୍ନା କରିଥିଲା ଓଡ଼ିଶା
  • ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଲା
  • ମହାବାତ୍ୟା ଅମ୍ଫାନ କୋଳରେ ଝୁଲୁଛି ଉପକୂଳ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସିଥିବା ମହାବାତ୍ୟା ଅମ୍ପାନ୍ ଓଡ଼ିଶା ଉପକୂଳରେ ତାଣ୍ଡବ ରଚୁଛି। ଉପକୂଳକୁ ଥରାଉଛି ପବନ। ସ୍ଥିତି ଏମିତି ଯେ ଲକ୍ଷାଧିକ ଲୋକଙ୍କୁ ଘର ଛାଡ଼ି ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଛି। ଲୋକେ ଜୀବନ-ମରଣ ସହିତ ଲଢେଇ ଜାରି ରଖିଛନ୍ତି। ବିପର୍ଯ୍ୟୟର ଲାଭ କ୍ଷତି ଆଉ କିଛି ଘଣ୍ଟା ପରେ ହେବ।

ଠିକ୍ ଏହି ସମୟରେ ଆଉ ଏକ ବିପର୍ଯ୍ୟୟ ସହିତ ବି ଯୁଝୁଛି ଓଡ଼ିଶା। ଯେଉଁଥିରେ ଲକ୍ଷାଧିକ ଲୋକ ଅନ୍ୟ ରାଜ୍ୟରୁ ଆସି ନିଜ ଘରକୁ ଏଯାଏ ଫେରିନାହାନ୍ତି। ସଙ୍ଗରୋଧ କେନ୍ଦ୍ରରେ ଅଟକି ରହିଛନ୍ତି। ମାର୍ଚ୍ଚ ମାସ ୧୫ ତାରିଖରେ କରୋନା ଓଡ଼ିଶାରେ ପ୍ରଥମେ ପାଦ ଥାପିଥିଲା। ଆଜି ନିଜ ନାମରେ ରେକର୍ଡ ଯୋଡିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଛି। ଆଜି ସୁଦ୍ଧା କରୋନାରେ ୧୦୫୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ରେକର୍ଡ କହୁଛି। ଆକ୍ରାନ୍ତଙ୍କ ପରିସଂଖ୍ୟାନକୁ ନିରେଖି ଦେଖିଲେ, ଜଣାପଡୁଛି ଯେ ଦେଶର ୧୫ ତମ ସ୍ଥାନକୁ ଓଡ଼ିଶା ଉନ୍ନୀତ ହୋଇଛି। ଆଜିକୁ ମିଶାଇ ମୋଟ ୬ ଜଣ ପ୍ରାଣ ହରାଇଲେଣି। ଏଯାଏ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭୩୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗତବର୍ଷ ପ୍ରଥମେ ଫନି ଓ ପରେ ବୁଲବୁଲ୍ ଭଳି ଦୁଇଟି ବାତ୍ୟାକୁ ସାମ୍ନା କରିଥିଲା ଓଡ଼ିଶା। ଏବର୍ଷ ମଧ୍ୟ ଭିନ୍ନ ଢଙ୍ଗରେ ଦୁଇଟି ବିପର୍ଯ୍ୟୟ ସାମ୍ନା କରିବା ପରେ ସ୍ବାଭାବିକ ଭାବରେ ରାଜ୍ୟର ଅର୍ଥନୀତିର ଡଙ୍କ ମୋଡ଼ି ହୋଇଯାଇଛି। ରାଜ୍ୟ ସରକାରଙ୍କୁ ଏବେ ଦୁଇଟି ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ହେବ। କରୋନା ମୁକାବିଲା ଓ ଅମ୍ଫାନ୍ କ୍ଷତି ଭରଣା କାର୍ଯ୍ୟ ଚାଲିବ। ଏହା ସ୍ବାଭାବିକ। କିନ୍ତୁ ଏହାବାଦ୍ ଆଉ ଦୁଇଟି ବଡ଼କଥା ଉପରେ ତତ୍କାଳ ଧ୍ୟାନ ଦିଆଯିବା ଦରକାର। ପ୍ରଥମତଃ, ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି, ସେମାନଙ୍କ ହାତକୁ ଠିକ୍ ଢଙ୍ଗରେ କାମ ଦିଆଯାଇନପାରିଲେ, ୧୦ଲକ୍ଷରୁ ଅଧିକ ବେକାରୀଙ୍କ ଚାପରେ ସରକାର ଚାପି ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଦ୍ବିତୀୟତଃ, ରାଜ୍ୟର ଅର୍ଥବ୍ୟବସ୍ଥା ଦୋହଲିଯିବା କାରଣରୁ ଆଉ ୧୦ଲକ୍ଷ ଲୋକଙ୍କ ଜୀବନ ଜୀବିକା ବିପଦକୁ ଚାଲିଆସିଛି। କାହାକୁ କାମ କରୁଥିବା ବେସରକାରୀ କଂପାନି ଛଟେଇ କରିଦେଇଛି, ଆଉ କିଏ ଶିଳ୍ପାନୁଷ୍ଠାନକୁ ବନ୍ଦ କରିଦେବାକୁ ଯୋଜନା ଆରମ୍ଭ କଲେଣି। ଉଭୟ ସମସ୍ୟାକୁ ଗମ୍ଭୀରତାର ସହିତ ବିଚାର ନ କଲେ, ଆସନ୍ତା କେଇ ମାସରେ ପରେ କରୋନା ଓ ଅମ୍ଫାନ୍ ଯନ୍ତ୍ରଣା ଠାରୁ ଏହା ଏକ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ।

ରାଜ୍ୟ ସରକାର ଉଭୟ କ୍ଷେତ୍ରରେ ସୁଧାର ପାଇଁ ଉଦ୍ୟମ ଆରମ୍ଭ କରିନାହାନ୍ତି, ତା ନୁହେଁ। କିନ୍ତୁ ଯେଉଁ ଢଙ୍ଗରେ ସରକାରୀ ନିଷ୍ପତ୍ତି ଆସୁଛି, ତାହା ସ୍ପଷ୍ଟ କରିଦେଉଛି ଯେ ସଫଳତା କମ୍, ବିଫଳତା ଅଧିକ ମିଳିପାରେ। ଏଇଯେମିତି ଶିଳ୍ପ କ୍ଷେତ୍ରରେ ଆଦର୍ଶ ନୀତି କରାଯିବ। ମନରେଗାରେ ୧୦ଲକ୍ଷ କର୍ମଦିବସ ସୃଷ୍ଟି କରାଯିବ। ଉଭୟ କଥା କାନକୁ ଭଲ ଶୁଭୁଛି। କିନ୍ତୁ ଶିଳ୍ପ ପାଇଁ ସ୍ବତନ୍ତ୍ର ନୀତି କରିବା ପରିବର୍ତେ ବର୍ତମାନ ଯେଉଁ ନୀତି ରହିଛି, ସେଥିରେ ୨୪ ଘଣ୍ଟା ଭିତରେ ସୁଧାର ଆଣିବାର ଆବଶ୍ୟକ ରହିଛି। ସରକାର ସବସିଡି ବା ଅଧିକ ସହଯୋଗ କରିବା ଲାଗି ବଢେଇ ଚଢେଇ ଯୋଜନା କରିବା ଅପେକ୍ଷା ଶିଳ୍ପସଂସ୍ଥାକୁ ସ୍ବାଭାବିକ କରିବା ଲାଗି ବାତାବରଣ ସୃଷ୍ଟି କରିଦେଲେ, ଶିଳ୍ପସଂସ୍ଥାର ମାଲିକମାନେ ଏ ବ୍ୟବସ୍ଥାକୁ ଆପେ ସୁଧାରିନେବାର କ୍ଷମତା ରଖନ୍ତି।

ତୁରନ୍ତ କେନ୍ଦ୍ର ସରକାରଙ୍କ ସହ ମିଶି ଭଦ୍ରକ ଟେକ୍ପଟାଇଲ୍ ଓ ପ୍ଲାଷ୍ଟିକ୍ ପାର୍କର କାର୍ଯ୍ୟ ଆରମ୍ଭ ହେବା ଦରକାର, ଯାହା ଦ୍ବାରା ସୁରତକୁ ନ ଯାଇ ଯେଉଁମାନେ ଓଡ଼ିଶାରେ ରହିଯିବେ, ସେମାନେ କାମ ମାସ କେତେଟାରେ କାମ ପାଇପାରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟିଏ ବୈଠକ ଏ କ୍ଷେତ୍ରରେ ଯଥେଷ୍ଟ। କେବଳ ସେତିକି ନୁହେଁ, ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କିରେ ଛୋଟ ମଲ୍ ଖୋଲିବା ଲାଗି ସରକାର ଧର୍ମେନ୍ଦ୍ରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିବା ଦରକାର। ବଜାର ସ୍ବାଭାବିକ ହେଲେ, ସାମଗ୍ରୀର ଆବଶ୍ୟକତା ପଡ଼ିବ, ଏବଂ ଚାହିଦା ବଢିଲେ, ବ୍ୟାଙ୍କମାନେ ଋଣ ପ୍ରଦାନ କରିବା ଲାଗି ଆଗକୁ ଆସିବେ। ବଜାରରେ ଯେତେ ଅଧିକ ଟଙ୍କା କାରବାର ବଢିବ, ସେତେ ଶୀଘ୍ର ରାଜ୍ୟରେ ଅର୍ଥନୀତିରେ ସୁଧାର ଉପଲବ୍ଧି ହେବ।

ଯେମିତି ଆଗରୁ କୁହାଯାଇଥିଲା, ସବୁ ଜିଲ୍ଲାରେ ବ୍ରହ୍ମପୁର, ସମ୍ବଲପୁର ପାଟବସ୍ତ୍ର ସୋ ରୁମ୍ ଖୋଲିବା ପାଇଁ ସରକାର ପିିପିପି ମୋଡ଼ରେ ଶିକ୍ଷିତ ବେକାରଙ୍କୁ ଡାକିବା ଦରକାର। ରାଜ୍ୟର ସମସ୍ତ ବଜାରରେ ଉଦ୍ୟାନ ଫ୍ରେସ୍ ଢାଞ୍ଚାରେ ପରିବା ସଂରକ୍ଷଣ କେନ୍ଦ୍ର ଖୋଲିବା ଲାଗି ସମାନ ସୂତ୍ର ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି। ବ୍ୟାଙ୍କ ସହ ବେକାର ଯୁବକଙ୍କୁ ଯୋଡିବା ଓ ପୂର୍ବରୁ ଦିଆଯାଉଥିବା ସବୁ କ୍ଷେତ୍ରରୁ ସବସିଡି ପ୍ରତ୍ୟାହାର କରି ଏ କ୍ଷେତ୍ରରେ ପ୍ରଦାନ କରାଗଲେ, ନୂଆ କର୍ମସଂସ୍ଥାନ ଲାଗି ସୁଯୋଗ ସୃଷ୍ଟି ହୋଇପାରିବ। ରାଜ୍ୟରେ ସରକାର ୧ଲକ୍ଷ ଉତ୍ତମ ଠିକାଦାର ସୃଷ୍ଟି କରିବା ଦରକାର, ଯେଉଁମାନଙ୍କୁ ପଞ୍ଜୀକରଣ କରି ସରକାର ୫ମାସ ମଧ୍ୟରେ ୫ଲକ୍ଷ ପୋଖରୀ ଖୋଳିପାରିବେ। ମନରେଗା ବାବଦ ଅର୍ଥର ୩ରୁ ୫ ପ୍ରତିଶତ ଅର୍ଥ ଏ କ୍ଷେତ୍ରରେ ବିନିଯୋଗ ବିଶେଷ ଫରକ ପଡିବନି। ମନରେଗା ନିୟମରେ କୋହଳ କରି ୧ କୋଟି ବୃକ୍ଷରୋପଣ କରାଯାଇପାରିବ। ରାଜ୍ୟର ସମସ୍ତ ପୋଖରୀର ପୁନରୁଦ୍ଧାର ହେବ। ଅନ୍ୟଥା ସରକାରୀ ବ୍ୟବସ୍ଥାରେ ଚାଲିଲେ କେଉଁଠି ମେସିନ୍ କାମ କରିବ, ମଣିଷ ନାମରେ ଟଙ୍କା ଉଠିବ, ଆଉ କେଉଁଠାରେ ମିଛ ପୋଖରୀ, କାଗଜପତ୍ର ଗଛ ଲାଗି ଟଙ୍କା ଉଠିବାର ଆଶଙ୍କା ରହିଛି। ଇପିକଲ୍, ଇଡକଲରେ ରାଜ୍ୟର ସବୁଠାରୁ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି।

ସେହିପରି ରାଜ୍ୟର ସବୁଠାରୁ ଦକ୍ଷ ପ୍ରଶାସକଙ୍କୁ ପର୍ଯ୍ୟଟନ ବିଭାଗର ସଚିବ ପଦରେ ନିଯୁକ୍ତି ଦିଆଯିବାର ଆବଶ୍ୟକତା ରହିଛି। ଶିକ୍ଷିତ ବେକାରଙ୍କୁ ଟୁରିଷ୍ଟ ଗାଇଡ ଭାବେ ୬ମାସର ପ୍ରଶିକ୍ଷଣ ଏ ବାବଦରେ ଓଡ଼ିଶାର ରାଜସ୍ବକୁ ବର୍ଷକ ଭିତରେ ଦୁଇଗୁଣା କରିପାରିବ। ପ୍ରମୁଖ ୩୦ଟି ପର୍ଯ୍ୟଟନ କେନ୍ଦ୍ରକୁ ସରକାର ବିଚାରକୁ ନେଇପାରିବେ। ରାଜ୍ୟର ସବୁ ଅଧା ପନ୍ତରିଆ ପଡ଼ିଥିବା ସେତୁ, ବନ୍ଧ, ବାଡ଼ କାମ ଆରମ୍ଭ ହୋଇପାରିବ। ଡିଏମଏଫ୍, ଓମବାଡ଼ସି, କାମ୍ଫା ଯୋଜନା ବାବଦ ଅର୍ଥର କାର୍ଯ୍ୟାନ୍ବୟନର ତରିକା ବଦଳିବା ଦରକାର। ଯେତେ ଅଧିକ ଲୋକଙ୍କୁ ସରକାର ଏ ପ୍ରକ୍ରିୟା ଭିତରେ ଯୋଡିବେ, ସେତେ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆସିପାରିବ। ହଁ, ମନରେଗା ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ସେଥିରେ ଇଞ୍ଜିନିୟର ନିଯୁକ୍ତି ବ୍ୟବସ୍ଥାକୁ ସରକାର ଅଣଦେଖା କରିପାରିବେ ନାହିଁ। ଅଧିକରୁ ଅଧିକ ବେକାର ଇଞ୍ଜିନିୟରଙ୍କୁ ସେମାନଙ୍କ ନିଜ ବ୍ଲକରେ ଠିକାଦାର ଭାବେ ନିଯୁକ୍ତି ଦେଇପାରିଲେ, ଦୁଇଟି ବଡ଼ ସମସ୍ୟାର ଏକାଥରକେ ସମାଧାନର ରାସ୍ତା ଖୋଲିପାରନ୍ତା।ଅନ୍ୟଥା ବିପର୍ଯ୍ୟୟ ବିକାଶର ରାସ୍ତା ଖୋଲିବା ପରିବର୍ତେ ରାଜ୍ୟର ଅର୍ଥନୀତିକୁ ରସାତଳଗାମୀ କରିଦେବା ଅସମ୍ଭବ ନୁହେଁ।

Leave A Reply

Your email address will not be published.