ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭିମ୍ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ ହେବା ଦ୍ବାରା ରାଜ୍ୟରେ ସମୁଦାୟ ୫ଟି ପ୍ଲାଜମା କେନ୍ଦ୍ର ପ୍ରତିଷ୍ଠା ହେଲା । ଏହାଦ୍ବାରା ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା। ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ।
ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର SCB, ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର IGH ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି । ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ସହିତ ରାଜ୍ୟର ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହେଲା । ବ୍ରହ୍ମପୁରର MKCG Medical Collegeରେ ଉପସ୍ଥିତ ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ପ୍ଲାଜମା ବ୍ୟାଙ୍କ ଦ୍ବାରା ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଏଣିକି ଆହୁରି ସୁବିଧାଜନକ ହେବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ କୋଭିଡ ଯୁଦ୍ଧକୁ ପ୍ରଭାବଶାଳୀ କରାଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସବୁପ୍ରକାର ଉପଲବ୍ଧ ପ୍ରଦ୍ଧତିକୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦୦ ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସେ ସୂଚନା ଦେଇଥିଲେ।
ବୁର୍ଲାର ଭିମସାର ଠାରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ପ୍ଲାଜମା ବ୍ୟାଙ୍କ ପାଇଁ ଆଜି ପଶ୍ଚିମ ଓଡିଶାର ଲୋକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛି। କୋଭିଡ ରୋଗରେ ଲୋକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ଲୋକମାନଙ୍କୁ ଭଗବାନ ଆଶୀର୍ବାଦ କରିବେ ଏବଂ କରୋନା ଯୁଦ୍ଧରେ ଚାଲିଥିବା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ। ଏହି ଅବସରରେ ବ୍ରହ୍ମପୁରର MKCGର ପ୍ରଥମ ପ୍ଲାଜମାଦାତା ଡଃ ଶୁଭ୍ରାଂଶୁ ମୋହନ ସାହୁ ଏବଂ ବୁର୍ଲା ଭିମସାରର ପ୍ରଥମ ପ୍ଲାଜମାଦାତା ଶ୍ରୀ ରବୀନ୍ଦ୍ର ସାହୁ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହିତ ଅନ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଭିମସାର୍ର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ସଚିବ ଯୋଗ ଦେଇଥିଲେ।
ପ୍ରମୁଖ ଖବର
ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’