ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ବିଜେପିରେ ଧର୍ମେନ୍ଦ୍ରଙ୍କ ପାଇଁ କଣ୍ଟା କିଏ?

0

ଭୁବନେଶ୍ବର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ରାଜ୍ଯ ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ, ଭିନ୍ନ ଦୃଷ୍ଟିରୁ ଚର୍ଚ୍ଚାକୁ ଆସିଛି। ବିଜେଡି ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କରିଥିବା ଟ୍ବିଟ୍‌ର ଜବାବ ଦେବା ବେଳେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଗୋଟିଏ ବଡ଼ କଥା କହିଦେଇଛନ୍ତି। ବିଜେଡି ବିଧାୟକ ଶ୍ରୀ ଦାସଙ୍କୁ ପ୍ରତିଜବାବ ଦେବା ବେଳେ ଶ୍ରୀ ଦାସ ସିଧା ସିଧା ସ୍ବୀକାର କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ତାଙ୍କ ନେତା।

ସମ୍ବିତଙ୍କର ଏହି ଧାଡ଼ିକ କଥା ବିଜେପି ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ୨୦୧୬ ପରଠାରୁ ରାଜ୍ୟ ବିଜେପିକୁ ପ୍ରତ୍ୟେକ୍ଷ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟନ୍ତ୍ରଣ କରୁଛନ୍ତି। ରାଜ୍ୟ ସଭାପତି ଯିଏ ବି ହୁଅନ୍ତୁ ନା କାହିଁକି ରାଜ୍ୟ ବିଜେପିରେ କେବଳ ଶ୍ରୀ ପ୍ରଧାନଙ୍କ ଦବ୍‌ଦବା ଚାଲିଛି। ହେଲେ ସମ୍ବିତଙ୍କ ଭଳି ଦଳର କୌଣସି ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ନେତା ବୋଲି ଏଯାଏ ମାନିନାହାନ୍ତି; ଯଦିଓ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ କଥା କିଛି ଅଂଶରେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଓ କରୁଛନ୍ତି।

ଗୋଟିଏ ମହଲର ମତ ହେଉଛି, ସମ୍ବିତଙ୍କ ମନ୍ତବ୍ୟ ଯେତେ ଅଧିକ ବିଜେପି ନେତାଙ୍କ ତୁଣ୍ଡରେ ବା ଲେଖନୀରୁ ଝରିବ, ରାଜ୍ୟ ବିଜେପି ସେତିକି ଶୀଘ୍ର ସଶକ୍ତ ହେବ। ଦଳ ଭିତରେ ଗୋଟିଏ ନେତୃତ୍ବ ମୁଣ୍ଡ ଟେକିଲେ ଶୃଙ୍ଖଳିତ ହେବା ସହିତ ଅନୁଶାସନ ବି କାମ କରିବ। ଏହାଦ୍ବାରା କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ଉପରେ ଭରସା କରିବେ। ଅନ୍ୟଥା, ବିଜେଡି ଭଳି ରାଜନୈତିକ ଦଳ ଯେଭଳି ସିଧା ଆକ୍ରମଣ କରି ପଚାରୁଛନ୍ତି ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ତାହା ବାରମ୍ବାର ଘଟିବ ଏବଂ ଲୋକମାନେ ସନ୍ଦେହ ବା ଦ୍ବନ୍ଦ୍ବରେ ରହିବା କାରଣରୁ ବିକଳ୍ପ ପାଇଁ ମନ ବଳାଇବେ ନାହିଁ।

ଏଯାଏ ରାଜ୍ୟ ବିଜେପିର ବିଶାଳ ଶରୀର ଭିତରେ କଂଗ୍ରେସର ପ୍ରତିଛବି ଦେଖିବାକୁ ମିଳୁଛି। କଂଗ୍ରେସରେ ଯେତେ ନେତା, ସେତେ ସଭାପତି ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା କାରଣରୁ ଦଳର ସଂଗଠନ ବହୁଧା ବିଭକ୍ତ। ଦୀର୍ଘ ୨୧ବର୍ଷ ହେଲାଣି ନେତାମାନେ କ୍ଷମତାରୁ ଦୂରେଇଥିଲେ ହେଁ, ସ୍ବାମୀ ପଛେ ମରୁ ସଉତୁଣୀ… ନ୍ୟାୟରେ କଂଗ୍ରେସ ନେତାମାନେ ହିଁ ତାଙ୍କର ‘ହାତ’କୁ ଅଧିକରୁ ଅଧିକ କ୍ଷତବିକ୍ଷତ କରିବାରେ ଲାଗିଛନ୍ତି। ବିଜେପିକୁ ଅଳ୍ପବହୁତେ ଏହି ରୋଗ ଗ୍ରାସିଛି। ଏଯାଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସର୍ବମାନ୍ୟ ନେତା ବୋଲି ଦଳର ସବୁ ପ୍ରମୁଖ ନେତାମାନେ ଖୋଲି କହିବାକୁ ନାରାଜ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ରଣନୀତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରଣନୀତି ସହିତ ମିଶୁନାହିଁ। ଦଳରେ ଯୋଗଦାନ ପରେ ସମ୍ଭବତଃ ଆଉ ଉଭୟ ନେତା ଗୋଟିଏ ମଞ୍ଚରେ ଗୋଟିଏ ସ୍ବରରେ ଭାଷଣ ଦେବା ଦେଖାଯାଇନାହିଁ। କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ବେଳେ ଗଦ ଗଦ ହୋଇ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଶ୍ରେୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଜାଡି ଦେଇଥିଲେ। ହେଲେ ଏବେ ସେ ପରିସ୍ଥିତି ଆଉ ନାହିଁ। ବାଲେଶ୍ବର ନିର୍ବାଚନ ପରିଚାଳନା ଏବଂ ସଭା ଅନେକ ସଙ୍କେତ ଦେଇଛି ଯେ ଶ୍ରୀ ପ୍ରଧାନଙ୍କ ସହିତ ପ୍ରତାପ ନିଜକୁ ସମକକ୍ଷ ଭାବିଲେଣି।

ବିଜେପି ନେତା ବିଜୟ ମହାପାତ୍ର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଏକାଠି ହୋଇପାରୁନାହାନ୍ତି। ବିଜୟଙ୍କ ବରିଷ୍ଠତାଙ୍କୁ ଗୁରୁତ୍ବ ଦେଇ ଧର୍ମେନ୍ଦ୍ର ତାଙ୍କୁ ସାମ୍ନାକୁ ଆଣିବାକୁ ନାରାଜ। ଆଉ ବିଜୟ ବି ଏଥିପାଇଁ କ୍ଷୁବ୍ଧ। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ସଂପର୍କ ସେତିକି ଘନ ନୁହେଁ। ଦଳରେ ଧର୍ମେନ୍ଦ୍ରଙ୍କ ପରେ ଅଧିକ ଦବଦବା ଥିବା ନେତ୍ରୀ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୌଣସି ନା କୌଣସି କାରଣରୁ ଓଡ଼ିଶାର ଯେ କୌଣସି ଅଞ୍ଚଳକୁ ଗଲେ ତାଙ୍କ ସହିତ କିଛି ଭଲ ଉପସ୍ଥାନ ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କ ଭଳି ଅପରାଜିତା ବି ଶାଣିତ ସ୍ବରରେ ସରକାରଙ୍କୁ ସମାଲୋଚନା କରିବା କ୍ଷମତା ରଖନ୍ତି।

ଏ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଧର୍ମେନ୍ଦ୍ର ଏବଂ ଅପରାଜିତା ଉଭୟ ଏକ ହେଲେ ଓଡ଼ିଶା ରାଜନୀତିର ଚିତ୍ରରେ ଦ୍ରୁତ ପରିବର୍ତ୍ତନ ହୋଇପାରନ୍ତା। ମାତ୍ର ସେମିତି ଚିତ୍ର ଦେଖିବାକୁ ମିଳୁନାହିଁ। ଯଦିଓ ଧର୍ମେନ୍ଦ୍ରଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ଲାଗି ଅପରାଜିତା ତାଙ୍କ ବାସଭବନକୁ ଯାଇଥିଲେ ଓ ଏଯାଏ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କିଛି ବି କହିନାହାନ୍ତି କିନ୍ତୁ କାହିଁକି କେଜାଣି ଉଭୟଙ୍କ ମଧ୍ୟରେ ମଧୁର ସଂପର୍କ ଯେ ଅଛି, ଏକଥା ଠଉରାଇ ହେଉନାହିଁ।

ଏସବୁ କାରଣରୁ ଓଡ଼ିଶା ବିଜେପିର ସ୍ବାସ୍ଥ୍ୟ ସବୁବେଳେ ଭଲ ରହୁନାହିଁ। ବେଶୀ ବିବାଦ ଏବଂ ଅଧିକ ଆଭ୍ୟନ୍ତରୀଣ ବିତର୍କକୁ ନେଇ ଦଳ ଚର୍ଚ୍ଚାରେ ରହୁଛି। ବିଜେଡି ଭଳି ଗୋଟିଏ ଅନୁଭବୀ ଦଳ ଏବଂ ନବୀନଙ୍କ ଭଳି ଜଣେ ବିଚକ୍ଷଣ ଓ ଲୋକପ୍ରିୟ ରାଜନୀତିଜ୍ଞଙ୍କୁ ସାମ୍ନା କରିବା ପାଇଁ ଯେଉଁ ସାମର୍ଥ୍ୟ ଦରକାର, ତାହା ବିଜେପି ଏଯାଏ ହାସଲ କରିପାରିନାହିଁ।

ଏଠାରେ ଉଲ୍ଲେଖଥାଉକି, ବିଜୁ ବାବୁଙ୍କ ତୁଳନାରେ ନବୀନ ରାଜନୀତିରେ ଅଧିକ ପ୍ରଭାବ ରଖିପାରିଛନ୍ତି। ତାର କାରଣ ହେଲା, ଶୀର୍ଷ ନେତୃତ୍ବ ନିକଟରେ ଦଳର ଅବଶିଷ୍ଟ ନେତା ସବୁବେଳେ ସବୁ ସମୟରେ ଉତ୍ତରଦାୟୀ ରହିଛନ୍ତି। ବିଜୁ ବାବୁଙ୍କର ଅନେକ ସଫଳତା ସତ୍ତ୍ବେ ଏହା ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ପରିଦୃଷ୍ଟ ହୋଇନଥିଲା। ଅନେକ ବିଜୁ ଜନତା ଦଳ ଭିତରେ ସାମ୍ନାକୁ ଆସିଥିଲେ। ଯାହା ନବୀନ ଅବଶ୍ୟ ବୁଝିଛନ୍ତି ଓ ଏହା ତାଙ୍କ ରାଜନୈତିକ କୌଶଳର ଏକ ଅଂଶବିଶେଷ ମଧ୍ୟ। ନବୀନଙ୍କୁ ଟପିଯିବା ଭଳି ନେତା ବା ତାଙ୍କୁ ବିପଥଗାମୀ କରି ରାଜନୈତିକ ଫାଇଦା ହାସଲ କରିବା ଭଳି ନେତୃତ୍ବ ବିଜେଡି ଭିତରେ ତିଷ୍ଠିବା ତ ଦୂରର କଥା ଉଭା ହେବା ପୂର୍ବରୁ ସେ ତାଙ୍କୁ ଖର୍ବ କରିଦେଇଛନ୍ତି। ଖାସ୍ ଏହି କାରଣରୁ ଏହି ଆଞ୍ଚଳିକ ଦଳ ଉଭୟ କଂଗ୍ରେସ ଓ ବିଜେପି ଭଳି ଦୁଇଟି ସଶକ୍ତ ଜାତୀୟ ଦଳକୁ ଥରେ କି ଦୁଇ ଥର ନୁହେଁ, ଅନେକ ବାର ସେମାନଙ୍କ ସୀମା ଠାରୁ ଯଥେଷ୍ଟ ଦୂରରେ ରଖିପାରିଛି।

ବିଜେପି କିନ୍ତୁ ଏଯାଏ ଏକଥା ହେଜିନି।

Leave A Reply

Your email address will not be published.