- ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼ ଆଦି ରାଜ୍ୟ ସ୍ଥିତି ଭୟଙ୍କର
- ଅମ୍ଳଜାନର ମିଳୁନି, ଶଯ୍ୟା, ଟିକା, ଔଷଧ ସବୁଥିରେ ଅଭାବ ବିଗାଡ଼ିଲାଣି ସ୍ଥିତି
- ଓଡ଼ିଶାରେ ବିପଜ୍ଜନକ ଭାବେ ବଢ଼ୁଛି, ବେଳକୁ ସାବଧାନ ନହେଲେ ଭୟଙ୍କର ହେବ
ନୂଆଦିଲ୍ଲୀ: କେଉଁଠି ଅକ୍ସିଜେନ୍ ନାହିଁ ତ ଆଉ କେଉଁଠି ଶଯ୍ୟା। ଟିକା ଅଭାବ ଯେମିତି, କରୋନା କ୍ଷେତ୍ରରେ ପ୍ରଭାବୀ ଔଷଧର ଅଭାବ ବି ସେମିତି ବଢ଼ିବାରେ ଲାଗିଛି। ସଂକ୍ରମିତ ରୋଗୀ ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଦୌଡ଼ି ଦୌଡି ନିରାଶ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ଏମିତି ବଢିଲାଣି ଯେ ଦେଶର ବିଭିନ୍ନ ସ୍ଥାନରେ ଶବ ଦାହ ପାଇଁ ମଧ୍ୟ ଲୋକଙ୍କୁ ଲମ୍ବା ଲାଇନ୍ କରିବାକୁ ପଡ଼ୁଛି। ଆଉ କିଛି କ୍ଷେତ୍ରରେ ପରିବାର ଲୋକ ଶବ ଛାଡ଼ି ଦେଇ ଆସୁଛନ୍ତି ଓ ସ୍ବେଚ୍ଛାସେବୀଙ୍କ ଦ୍ବାରା ଦାହ କାର୍ଯ୍ୟ ସମାହିତ ହେଉଛି।
କରୋନା ସଂକ୍ରମଣ ହଠାତ୍ ବହୁଗୁଣିତ ହେବା ପରେ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ବିହାର ପ୍ରମୁଖ ରାଜ୍ୟରେ ଏଭଳି ସଙ୍ଗିନ୍ ଅଭିଯୋଗ ସଂଖ୍ୟା କେବଳ ବୃଦ୍ଧି ପାଇଛି ତା ନୁହେଁ, କୋଭିଡ୍ ସଂକ୍ରମଣର ଭୟାବହତା ନେଇ ସମଗ୍ର ଭାରତବର୍ଷ ଏବେ ଥରି ଉଠିଲାଣି। ସ୍ଥିତି ବେଳକୁ ବେଳ ଗମ୍ଭୀର ଆଡ଼କୁ ଯାଉଥିବା ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିବା ପରେ ତମାମ ଦେଶରେ ଏବେ କମ୍ପନ ସୃଷ୍ଟି ହୋଇଛି। ପୂରା ଦେଶ ଏବେ କୋଭିଡ୍ ମନସ୍କ।
ଗୋଟିଏ ବର୍ଗ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ଦାୟୀ କରି ଖୋଲା ସମାଲୋଚନା କରିବାକୁ ପଛାଉ ନାହାନ୍ତି। ସମଗ୍ର ଭାରତରେ ସଂକ୍ରମିତଙ୍କ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶାସନ ସ୍ୱାସ୍ଥ୍ୟ ସଙ୍କଟ ମୁକାବିଲା କରିବାରେ ବିଫଳ ବୋଲି ବିରୋଧୀ ପ୍ରଶ୍ନ ଉଠାଇଲେଣି। ଆହୁରି ପାଦେ ଆଗକୁ ଯାଇ ନିର୍ଦିଷ୍ଟ ଭାବେ କୁମ୍ଭମେଳା ଓ ନିର୍ବାଚନ ରାଲିକୁ ସେମାନେ ଦାୟୀ କରୁଛନ୍ତି।
ଏପରିସ୍ଥଳେ ଓଡ଼ିଶା ପରିସ୍ଥିତି ମଧ୍ୟ ଧୀରେ ଧୀରେ ଗମ୍ଭୀର ଆଡ଼କୁ ଗତି କରିବା ଆରମ୍ଭ କଲାଣି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ମାସରେ ପାଖାପାଖି ୨୭ହଜାରରୁ ଅଧିକ ଲୋକଙ୍କୁ କରୋନା ହେଲାଣି। ଏହା ହିଁ ସୂଚାଇ ଦେଉଛି ଯେ ସ୍ଥିତି ଆଗକୁ ଆହୁରି ଗମ୍ଭୀର ରୂପ ନେବ। ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଶଯ୍ୟା ସଂଖ୍ୟା ବୃଦ୍ଧି ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକ ନିର୍ଦେଶନାମା ଦିଆଯାଇସାରିଲାଣି। ଏପରିକି ଗତବର୍ଷ ଅପେକ୍ଷା ୪ରୁ ୫ଗୁଣ ପର୍ଯ୍ୟନ୍ତ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ସେହିଭଳି ଆଇସିୟୁ ସଂଖ୍ୟା ଦୁଇଗୁଣ କରାଯିବାକୁ ଯୋଜନା ଚାଲିଛି।
ବିଶେଷଜ୍ଞମାନଙ୍କ ମତରେ ପ୍ରତି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଆଇସିୟୁରେ ୬ଟି ଶଯ୍ୟା ରହିବା କଥା। ହେଲେ କୋଭିଡ୍ କ୍ଷେତ୍ରରେ କିଛି ଶଯ୍ୟା ଏଭଳି ହେବା ଦରକାର, ଯେଉଁଥିରେ କେବଳ ଅମ୍ଳଜାନ ବ୍ୟବସ୍ଥା ଥିଲେ ଚଳିବ। ଏହାବ୍ୟତୀତ ଆଇସିୟୁ ଓ ଭେଣ୍ଟିଲେଟର ନେଇ ମଧ୍ୟ ପଦକ୍ଷେପ ନେବାକୁ ହେବ। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଶଯ୍ୟା ସଂଖ୍ୟା ହେଉ ଭେଣ୍ଟିଲେଟର ଅଥବା ଆଇସିୟୁ ଏସବୁଥିରେ ଅଭାବ ନାହିଁ। କିନ୍ତୁ ଆଗକୁ ଯେ ଭୀଷଣ ସ୍ଥିତି ନ ହେବ ଓ ବିଭିନ୍ନ ବର୍ଗରେ ଶଯ୍ୟା ଆବଶ୍ୟକ ନ ପଡ଼ିବ ଏକଥା କିଏ କହିବ? ସେହିଭଳି ଗତବର୍ଷ ତୁଳନାରେ ୧୦ଗୁଣ ଅଧିକ ଅକ୍ସିଜେନ୍ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର।
ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରୁଥିଲେ ଯେ ଏପ୍ରିଲ ମାସରେ ସଂକ୍ରମଣ ଶୀର୍ଷ ଛୁଇଁବ। କିନ୍ତୁ ଏବେ ଚିତ୍ର ଯାହା ଦେଖାଗଲାଣି, ଏହି ସମୟ ସୀମା ମେ’ରୁ ଆରମ୍ଭ ହୋଇ ଜୁନ୍ ପର୍ଯ୍ୟନ୍ତ ଚାଲିପାରେ ଓ ପୁଣି ଧୀରେ ଧୀରେ ଖସିପାରେ। ଏଣୁ କେଉଁ ଅଞ୍ଚଳରେ କି ଆବଶ୍ୟକତା ରହିଛି, ତାହାର ମ୍ଯାପିଂ କରିବା ସହିତ ସରକାର ଶଯ୍ୟା, ଅକ୍ସିଜେନ୍ ଆଦିର ବ୍ୟବସ୍ଥା କରୁଥିବା ଅଧିକାରୀମାନେ ମତପ୍ରକାଶ କରୁଛନ୍ତି।
ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ଛତିଶଗଡ଼ ସଂଲଗ୍ନ ୧୦ଟି ସ୍ଥାନରେ ସପ୍ତାହାନ୍ତ ସଟ୍ଡାଉନ୍ ବା ଶନିବାର ଏବଂ ରବିବାର ବନ୍ଦ ରଖିଥିବା ବେଳେ ପ୍ରତ୍ୟେହ ସନ୍ଧ୍ୟା ୬ରୁ ସକାଳ ୫ଯାଏ ରାତ୍ରୀକାଳୀନ କର୍ଫ୍ୟୁ ବ୍ୟବସ୍ଥା କରିଛନ୍ତି। ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଏହା ଜାରି ରହିଛି। କେବଳ ସେତିକି ନୁହେଁ, କୁମ୍ଭମେଳାରୁ ଫେରୁଥିବା ଲୋକଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ବେ କରୋନା ଉପରମୁହାଁ ହୋଇରହିଛି। ଏହା ସତ୍ତ୍ବେ ଅମାନିଆ ଚେତୁନାହାନ୍ତି। କିଛି ଅମାନିଆଙ୍କ ଲାଗି ଓଡ଼ିଶାରେ ବି ବିପଦ ବଢ଼ିବା ବିଚିତ୍ର ନୁହେଁ।
ଗୋଟିଏ ପଟେ ଲକ୍ଡାଉନ୍ କଲେ ଅର୍ଥନୀତି ଭୁଶୁଡି଼ିଯିବାର ଭୟ ରହିଛି। ସେପଟେ କରୋନା ବୃଦ୍ଧି ସହିତ ଜୀବନ ମୃତ୍ୟୁ ପ୍ରସଙ୍ଗ ଯୋଡ଼ି ହୋଇଥିବା କାରଣରୁ ଆସନ୍ତା ଦୁଇମାସ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ କଠିନ ପରୀକ୍ଷା ସମୟ ବୋଲି କୁହାଯାଉଛି। ଏଠାରେ ସ୍ମରଣଥାଉକି, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସବୁ ପ୍ରମୁଖ ପରୀକ୍ଷା ବନ୍ଦ କରିସାରିଛନ୍ତି। ଆସନ୍ତାକାଲିଠାରୁ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ, ସ୍ପୋର୍ଟସ ହଷ୍ଟେଲ ଆଦି ସବୁ ବନ୍ଦ ହୋଇଯିବ।
ଏତେ ସବୁ କଟକଣା ଓ ତ୍ୟାଗ ସେବେ ସଫଳ ହେବ ଯେବେ କରୋନା ନିୟନ୍ତ୍ରଣରେ ରହିବ। ଅନ୍ୟଥା କିଛି ଅମାନିଆଙ୍କ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଯେ ଅତି ବିପଜ୍ଜନକ ସ୍ଥିତି ନ ହେବ, ଏକଥା କିଏ କହିବ?