ନୂଆଦିଲ୍ଲୀ: ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା କ୍ୟାମ୍ପେନିଂ ଆରମ୍ଭ କରିଦେଇଛନ୍ତି। କୋଭିଡ୍ -୧୯ ର ଦ୍ବିତୀୟ ତରଙ୍ଗ ମୁକାବିଲା ଏହାର କାରଣ ନା ଆଉ କିଛି? ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରଠାରୁ ମୋଦୀଙ୍କ ପାଇଁ ସବୁଠାରୁ ଏହା ବଡ଼ ସମାଲୋଚନା ବୋଲି କୁହାଯାଉଛି।
ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା – ବିବିସି, ୱାଶିଂଟନ୍ ପୋଷ୍ଟ, ନ୍ୟୁୟର୍କ ଟାଇମ୍ସ, ଗାର୍ଡିଆନ୍, ଟାଇମ୍, ଇକୋନୋମିଷ୍ଟ, ଡେଲି ମେଲ୍, ଗ୍ଲୋବାଲ ଟାଇମ୍ସ, ଜାପାନ ଟାଇମ୍ସ ଆଦି ଗଣମାଧ୍ୟମ ଭାରତରେ କୋଭିଡ୍ ପରିଚାଳନାର ବିଫଳତା ପାଇଁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି। ସେମାନଙ୍କର ମତ ହେଉଛି, ପ୍ରଧାନମନ୍ତ୍ରୀ ଅବହେଳା କରିଛନ୍ତି। ମୋଦୀ ଏପ୍ରିଲରେ ବ୍ୟାପକ ନିର୍ବାଚନ ସମାବେଶ କରିଥିଲେ, ଯେଉଁଥିପାଇଁ ସଂକ୍ରମଣ ବଢ଼ିଥିଲା। ସେହିଭଳି କୁମ୍ଭମେଳାକୁ ଅନୁମତି ଦେବା ଓ ଲୋକଙ୍କୁ ଉତ୍ସାହିତ କରିବା ଏକ କାରଣ ବେଲି ମଧ୍ୟ ତାଙ୍କର ମତ।
ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ଅତ୍ୟନ୍ତ ନିରବ ଅଛନ୍ତି। ରାଜନୈତିକ ବିଶେଷଜ୍ଞ କିନ୍ତୁ ଯେଉଁ କେତୋଟି କଥା ଉପରେ ତର୍ଜମା କରୁଛନ୍ତି, ତାହା ହେଲା, ଚମତ୍କାର ଢଙ୍ଗରେ କେନ୍ଦ୍ର ସରକାରଙ୍କର କିଛି ବେପରୁଆ ନିଷ୍ପତ୍ତି କାରଣରୁ ଜନସ୍ବାସ୍ଥ୍ୟ ଆଜି ବିପର୍ଯ୍ୟସ୍ତ ହୋଇଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିଛି। ବିଶେଷକରି କୋଭିଡ୍କୁ ନେଇ ଏହି ବିରୋଧ ବୋଲି କୁହାଯାଇପାରେ।ଏହାବ୍ୟତୀତ ପଶ୍ଚିମବଙ୍ଗ ନିର୍ବାଚନରେ ବିଫଳତା ମଧ୍ୟ ଏହି ପ୍ରସଙ୍ଗକୁ ବହୁଗୁଣିତ କରିଛି। ବିଦେଶୀ ଗଣମାଧ୍ୟମ ଗୋଟିଏ ବାର୍ତା ତିଆରି କରିବାକୁ ଉଦ୍ୟମ କରୁଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାରେ ମୋଦୀ ସରକାର ବିଫଳ ଏବଂ ତାଙ୍କ ବିରୋଧରେ ଜନମତ ବୃଦ୍ଧି ପାଉଛି।
ଯଦିଓ କେନ୍ଦ୍ରୀୟ ନେତୃତ୍ବ ଏହି ପ୍ରସଙ୍ଗରେ ଯେଭଳି ପ୍ରତିକ୍ରିୟା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ, ତଥାପି କଂଗ୍ରେସକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା ଗୋଟିଏ କଡ଼ା ଚିଠି ଲେଖିବା ପରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ରମାନେ ଏବେ ଏହି ପ୍ରସଙ୍ଗରେ ଘମାଘୋଟ ବିବୃତି ମାଡ଼ ଆରମ୍ଭ କରିଛନ୍ତି। ବିଜେପି ସମର୍ଥକମାନଙ୍କର ଯୁକ୍ତି ହେଉଛି, ମୋଦୀଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ଲାଗି ବିଦେଶୀ ଗଣମାଧ୍ୟମ ଷଡ଼୍ଯନ୍ତ୍ର ଚଳାଇଛନ୍ତି।
ଅବଶ୍ୟ ଗତ ସପ୍ତାହରେ ବୈଦଶିକ ସଚିବ ଏସ୍ ଜୟଶଙ୍କର ମଧ୍ୟ ଭାରତୀୟ କୁଟନୀତିଜ୍ଞମାନଙ୍କୁ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ଏକପାଖିଆ କାହାଣୀକୁ ପ୍ରତିହତ କରିବା ଲାଗି ପରାମର୍ଶ ଦେଇଛନ୍ତି, ଏହାର ପ୍ରଭାବ କିନ୍ତୁ ଏଯାଏ ଦେଖାଯାଇନାହିଁ।
ଗୋଟିଏ ଗୋଷ୍ଠୀର ମତ ହେଉଛି, ଭାରତର ଗଣମାଧ୍ୟମ ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ ସମର୍ଥନ କରିଆସିଛି। ଗୋଟିଏ ଅନୁକୂଳ ଚିତ୍ର ସବୁବେଳେ ସାମ୍ନାରେ ରଖିଛି। ଏଣୁ ବିଦେଶୀ ଗଣମାଧ୍ୟମ ରିପୋର୍ଟ ଏବେ ବେଶୀ ପ୍ରତିକ୍ରିୟା ସୃଷ୍ଟି କରିବା ଏକ ସ୍ବାଭାବିକ କଥା। କିନ୍ତୁ ଏକଥା ବି ସତ ଯେ ଦ୍ୱିତୀୟ ତରଙ୍ଗ ପାଇଁ ମୋଦୀଙ୍କୁ ଏକା କେହି ଦାୟୀ କରିପାରିବେ ନାହିଁ। କାରଣ ଏହା ତାଙ୍କ ନିୟନ୍ତ୍ରଣରେ ନାହିଁ ବା ଚାହିଁଲେ ନିୟନ୍ତ୍ରଣ କରିପାରିବେ ନାହିଁ। ଏ କ୍ଷେତ୍ରରେ ଯେଉଁ ମୌଳିକ ପ୍ରଶ୍ନଟି କେନ୍ଦ୍ର ସରକାରଙ୍କ ଆଡକୁ ଆଙ୍ଗୁଠି ଉଠାଉଛି, ତାହା ହେଲା ଏଭଳି ଏକ ବଡ଼ ଲହର ପାଇଁ କେନ୍ଦ୍ର ସରକାର କେତେ ପ୍ରସ୍ତୁତ ଥିଲେ।
ଅମ୍ଳଜାନ, ଭେଣ୍ଟିଲେଟର, ଡାକ୍ତରଖାନା ଶଯ୍ୟା ଏବଂ ଏକ ଟିକାକରଣ ଡ୍ରାଇଭ୍ର ତୀବ୍ର ଅଭାବକୁ ଏହି ମୋଦୀ ବିରୋଧୀ କ୍ୟାମ୍ପେନିଂକୁ ବଳ ଦେଉଛି। ଜଣେ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଯେଭଳି ସହଯୋଗ କରିବା କଥା ତାହା ପରିଦୃଷ୍ଟ ହେଉନାହିଁ।
ଅନ୍ୟ ଗୋଟିଏ ଗୋଷ୍ଠୀର ମତ ହେଉଛି, ୨୦୧୨ରୁ ୨୦୧୪ ଯାଏ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମାଲୋଚିତ ହୋଇଥିଲେ। ଯେହେତୁ ଭାରତବର୍ଷ ଗୋଟିଏ ବଡ଼ ଖାଉଟି ବଜାର, ଏଣୁ ଏଥିରେ ସାମାନ୍ୟ ପ୍ରଭାବ ପଡିଲେ, ତାହା ବିଶ୍ବକୁ ଚମକାଇବ ନିଶ୍ଚିତ। ଗତ କିଛି ଦିନ ଧରି ବିଦେଶୀ ଗଣମାଧ୍ୟମ ଭାରତ ବିରୋଧୀ ଚିତ୍ର ଆଙ୍କି ପରୋକ୍ଷରେ ରାଷ୍ଟ୍ରକୁ ଦୁର୍ବଳ ବୋଲି ଚିତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି।
ହେଲେ ଏ କ୍ଷେତ୍ରରେ ଯେଉଁ ବଡ଼ କୌଶଳ ମୋଦୀ ସରକାର ହାତକୁ ନେବା କଥା ତାହା ମଧ୍ୟ ଏଯାଏ ଆରମ୍ଭ ହୋଇନାହିଁ। ଦଳମତ ଊର୍ଧ୍ବକୁ ଉଠି ପ୍ରଧାନମନ୍ତ୍ରୀ ଏବେ ସମସ୍ତଙ୍କୁ ସାଙ୍ଗରେ ଧରି କୋଭିଡ୍ ପରିଚାଳନା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉଚିତ୍। ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ବିଶ୍ବ ବଜାରରୁ ଟିକା ଆଦି କିଣିବା ଲାଗି ଉଦ୍ୟମ କରିବା ପରିବର୍ତ୍ତେ ନିଜ ନିଜେ ଗ୍ଲୋବାଲ୍ ଟେଣ୍ଡରରେ ଭାଗ ନେବା, ଅକ୍ସିଜେନ୍, ଟିକା ଅଭାବ ବୋଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତୁହାକୁ ତୁହା ପ୍ରଚାର କରିବା କେନ୍ଦ୍ର ସରକାରଙ୍କ ବିରୋଧୀ ମନୋଭାବକୁ ଅଧିକ ଉଗ୍ର କରୁଛି। ଏଣୁ ବିଦୈଶିକ ମନ୍ତ୍ରାଳୟ ଯେଭଳି ସକ୍ରିୟ ହେବା କଥା, ଠିକ୍ ଅନୁରୂପ ଢଙ୍ଗରେ ସମଭାବାପନ୍ନ ରାଜନୈତିକ ଦଳକୁ ବିଶ୍ବାସକୁ ନେଇ ପ୍ରଧାନମନ୍ତ୍ରୀ କୋଭିଡ୍ ମୁକାବିଲାକୁ ତ୍ବରାନ୍ବିତ କଲେ କେବଳ ଯେ ପରିସ୍ଥିତିରେ ସୁଧାର ଆସିବ ତା ନୁହେଁ, ବରଂ ବିଦେଶୀ ଗଣମାଧ୍ୟମ ସମାଲୋଚନା ତଳକୁ ଭେଦିପାରିବ ନାହିଁ।