ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ହଠାତ୍ ବିଜେପିରେ ହଲ୍‌ଚଲ୍ କାହିଁକି?

0

ଚିନ୍ତା ବଢ଼ାଇଲାଣି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ରାଜନୀତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିକୁ କେତେ ପ୍ରଭାବିତ କରିଛି, ତାହା ପରେ ବିଚାର କରିବା। କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ କିଛି ଅଂଶରେ କ୍ଷତବିକ୍ଷତ କରିଛି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ରାଜ୍ୟରେ ଦଳ ଶାସନ ରହିଛି। ହେଲେ ସେଠାକାର ରାଜନୀତିକୁ ନିରେଖି ଦେଖିବା ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମତ ରଖୁଛନ୍ତି ଯେ ବିଜେପି କେନ୍ଦ୍ରରେ ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ସାମ୍ନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅତି ଶୃଙ୍ଖଳିତ ଭାବେ ଚାଲୁଥିବା ବିଜେପିରେ ଏବେ କେଁ କଟର ଆରମ୍ଭ ହୋଇଗଲାଣି। ସମୁଦାୟ ଦେଶ ଅପେକ୍ଷା କରୁଛି ଯେ ଉତ୍ତରପ୍ରଦେଶରେ ବିଜେପିର ରାଜନୀତି କେଉଁ ରୂପ ନେବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗକୁ ୟେଦୁରପ୍ପାଙ୍କୁ ସୁରକ୍ଷା ଦେବେ ନା ନାହିଁ? ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସରୁ ଆସିଥିବା ନେତାମାନଙ୍କୁ ବିଜେପି ଆଉ କେତେ ସମୟ ନିଜ ପାଖରେ ଅଟକାଇ ପାରିବ? ଶିବରାଜ ସିଂହ ଚୌହ୍ବାନ ସୁରକ୍ଷିତ ତ?

୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଜେପି ଭିନ୍ନ ଏକ କୌଶଳ ପ୍ରୟୋଗ କରିଥିଲା ପଶ୍ଚିମବଙ୍ଗରେ। ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସତ, କିନ୍ତୁ ସେଠାରେ ଦଳ ଏତେ ଆକ୍ରମଣାତ୍ମକ ଅଭିଯାନ ତେଜସ୍ବୀ ଯାଦବଙ୍କ ବିରୋଧରେ ଆରମ୍ଭ କରିନଥିଲା, ଯେମିତି ନେତାମାନେ ପଶ୍ଚିମବଙ୍ଗରେ କଲେ। ବିଜେପି ପ୍ରତ୍ୟେକ୍ଷ ଭାବେ ଲଢେଇ କଲା ଏବଂ ବ୍ୟକ୍ତିଗତସ୍ତରକୁ ଓହ୍ଲାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲା। କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗରେ ବିଜେପି ନିଜ ସ୍ଥିତିକୁ ଅତି ପ୍ରଭାବୀ କରିବା ପାଇଁ ଦଳର ମାଷ୍ଟର କାର୍ଡ ତଥା ଆଇକନ୍ ବୋଲି କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ରାଧିକ ବ୍ୟବହାର କରିବାକୁ ପଛାଇଲା ନାହିଁ। କୋଭିଡ୍ କଟକଣା ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କର ଅନେକ ରାଲି କରାଗଲା। ଟିଏମ୍‌ସିକୁ କ୍ଷତବିକ୍ଷତ କରି ବିଜେପି ଭାରତ ରାଜନୀତିରେ କମ୍ପନ ସୃଷ୍ଟି କଲା। ଏତେ ସବୁ ପରେ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଗଲା ନାହିଁ, ବରଂ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଲା।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଏଭଳି ରଣକୌଶଳ ଆଜି ଦିନରେ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୨୦୧୪ ଓ ୨୦୧୯ ନିର୍ବାଚନ ଦେଶ ସାମ୍ନାରେ ଗୋଟିଏ ସ୍ପଷ୍ଟ ଚିତ୍ର ରଖିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ସମକକ୍ଷ ଆଉ କେହି ନାହାନ୍ତି। ଅମିତ ଶାହଙ୍କ ରାଜନୈତିକ ଗୋଟିଚାଳନା ଯେକୌଣସି ପରିସ୍ଥିତିକୁ ମାତ୍ ଦେବାକୁ ସକ୍ଷମ। ଦେଶ ଯେତେ ବି ବଡ଼ ପରିସ୍ଥିିତି ସାମ୍ନା କରୁ, ତାକୁ ମୁକାବିଲା କରିବା ପାଇଁ ମୋଦୀଙ୍କ ଟିମ୍ ଯଥେଷ୍ଟ କ୍ଷମତା ରଖନ୍ତି। ହେଲେ ପଶ୍ଚିମବଙ୍ଗ ନିର୍ବାଚନ ବିଫଳତା, କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଦେଶକୁ ଆବଶ୍ୟକ ପ୍ରସ୍ତୁତ କରିନପାରିବା, ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପାଇଁ ପ୍ରଧାନମନ୍ତ୍ରୀ କ୍ୟାମ୍ପେନିଂ କରିବା, ସର୍ବୋପରି ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବାରେ କେନ୍ଦ୍ର ସରକାର ସଫଳ ନ ହେବା ବିଜେପିର ଅନ୍ତର୍ଜାତୀୟ, ଜାତୀୟ ଚେହେରା ବା ଚିତ୍ରକୁ ଢେର୍ ପ୍ରଭାବିତ କରିଛି। ଏହାର ପ୍ରଭାବ ଏବେ ଦଳ ଉପରେ ପଡ଼ିବା ଆରମ୍ଭ କଲାଣି।

ରାଜନୈତିକ ମହଲ ଆହୁରି ମତ ରଖନ୍ତି ଯେ କୌଣସି ଗାଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଫଳାଫଳ ସବୁବେଳେ ନେତୃତ୍ବକୁ ବଳ ଦେଇଥାଏ। ଯେତେ ବି ପ୍ରଭାବ ଥାଉ ନା କାହିଁକି, ଯଦି ନିର୍ବାଚନ ଫଳାଫଳ ସପକ୍ଷରେ ନ ଗଲା, ତେବେ ନେତୃତ୍ବ ପ୍ରତି ସମ୍ମାନ କମିବ ହିଁ କମିବ। ଏହା ପ୍ରାଦେଶିକ ରାଜନୀତିରେ ଶୀଘ୍ର ଘଟେ, ଜାତୀୟ ରାଜନୀତିରେ ମଧ୍ୟ ବିଳମ୍ବରେ ପ୍ରଭାବ ରଖେ। ସମାନ ପରିସ୍ଥିତି କାରଣରୁ କଂଗ୍ରେସ ଏବେ ଦୁର୍ଦିନ ଭିତରକୁ ଚାଲିଯାଇଛି। ନିର୍ବାଚନ ଜିତାଇବାରେ ରାହୁଲ ଗାନ୍ଧୀ ବିଫଳ ହେବା କାରଣରୁ ସୋନିଆ ଯେତେ ଚେଷ୍ଟା କଲେ ବି ଦଳରେ ତାଙ୍କ ପ୍ରଭାବକୁ ଫେରାଇ ଆଣିପାରୁନାହାନ୍ତି। ବରଂ ମାତ୍ରାଧିକ ପୁତ୍ର ମୋହ ଏବେ ସୋନିଆଙ୍କ ପାଇଁ ବି ସମସ୍ୟା ହୋଇଛି। ସେହିଭଳି ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଶ୍ରଦ୍ଧା ଓ ଆସ୍ଥା କିଛି ପରିମାଣରେ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଉତ୍ତରପ୍ରଦେଶ ହେଉ କି ମହାରାଷ୍ଟ୍ର, କର୍ଣ୍ଣାଟକ, ସବୁଠି ଅସନ୍ତୋଷ ପଛର ଗୋଟିଏ ଗୋଟିଏ କାରଣ।

ଏଭଳି ପରିସ୍ଥିତିରେ ବିଜେପି ପାଇଁ ଚ୍ୟାଲେଞ୍ଜ ହେଉଛି, ପୁଣି ଥରେ ଦେଶ ସାମ୍ନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରିସ୍ମା ଏବଂ ପ୍ରଭାବକୁ ପୁର୍ନଜୀବିତ କରିବାକୁ ହେବ। ଏଥିପାଇଁ ଉତ୍ତର ପ୍ରଦେଶ ନିର୍ବାଚନ ବଡ଼ ଭୂମିକା ରଖେ। କେବଳ ସେତିକି ନୁହେଁ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରି ସବୁ ରାଜ୍ୟ ରାଜନୀତିରେ ଭାରସାମ୍ୟ ରକ୍ଷା କରିବା ମଧ୍ୟ ଅପରିହାର୍ଯ୍ୟ। କଂଗ୍ରେସ ସରକାର ବି ଠିକ୍ ସାତ ବର୍ଷ ପରେ ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଥିଲା। ହେଲେ ନେତୃତ୍ବ ଭାରସାମ୍ୟ ରକ୍ଷା କରିବାରେ ବିଫଳ ହେବା କାରଣରୁ ବିଜେପି ସେ ସ୍ଥାନକୁ ହାତେଇ ନେଲା ଓ ଦେଶ ସାମ୍ନାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତି ପ୍ରଚଣ୍ଡ ଭାବେ ଉଭା ହେଲେ।

ଏଠାରେ ଉଲ୍ଲେଖଥାଉକି, ମଧ୍ୟପ୍ରଦେଶ ରାଜନୀତିରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ପରେ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିବାକୁ ପଡିଛି ବିଜେପି ନେତୃତ୍ବଙ୍କୁ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରରେ କୌଣସି ଅସ୍ଥିରତା ନାହିଁ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି,ଯେ ଶିବରାଜ ସିଂ ଚୌହ୍ବାନ ଏବଂ ଭି.ଡି ଶର୍ମାଙ୍କ ନେତୃତ୍ୱରେ ବିଜେପି ସମ୍ପୂର୍ଣ୍ଣ ଏକଜୁଟ ଏବଂ ସଂଗଠିତ ହୋଇରହିଛି। ଉତ୍ତରପ୍ରଦେଶ ଘଟଣାରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟ ଢେର୍ ବଢିଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବି ଏ ସଂକ୍ରାନ୍ତ କଳ୍ପନାଜଳ୍ପନା ଅନ୍ତଃ ଘଟିନାହିଁ। ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ସରକାର ପ୍ରତି ଆଦୌ ବିପଦ ନାହିଁ ବୋଲି ଯେତେ ଅଧିକ କହୁଛନ୍ତି, ତାହା ତାଙ୍କ ସରକାରର ଦୁର୍ବଳ ସ୍ଥିତି ସଂପର୍କରେ ସେତିକି ଅଧିକ ବିଶ୍ବାସ ସୃଷ୍ଟି କରୁଛି। ସର୍ବୋପରି ମୁକୁଲ ରାୟ ଟିଏମ୍‌ସିକୁ ଫେରି ଆସିବା ପରେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ମାତ୍ରାଧିକ ଚାପ ସୃଷ୍ଟି ହୋଇଛି। ସବୁ ବିଜେପି ନେତାଙ୍କୁ ପଛରେ ପକାଇ ସେ ଗୁରୁତ୍ବ ଆସନ ହାତେଇ ନେଲେ ସତ, କିନ୍ତୁ ଯଦି ଟିଏମ୍‌ସି ନେତାଙ୍କୁ ରଖିବାରେ ସେ ବିଫଳ ହୁଅନ୍ତି, ତେବେ ପଶ୍ଚିମବଙ୍ଗ ରାଜନୀତିରୁ ପୁଣି ଏକ ଭିନ୍ନ ବାର୍ତ୍ତା ବିଜେପିର ଶୀର୍ଷ ପର୍ଯ୍ୟନ୍ତ ଯିବ।

Leave A Reply

Your email address will not be published.