ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମିଳିମିଶି ଓଡ଼ିଶାରେ କଂଗ୍ରେସକୁ ବୁଡ଼ାଇଦେବେ!

0

ଭୁବନେଶ୍ବର: କଂଗ୍ରେସ ଦଳ ସହିତ ଯୋଡି ହୋଇ ରହିଥିବା ଗାଁ ଗଣ୍ଡାର ହଜାର ହଜାର କର୍ମୀ ଗୁରୁତ୍ବପୂର୍ଣ୍ଣ ନା ହାତଗଣତି କିଛି ନେତା? କାହା ପାଖରେ କଂଗ୍ରେସ ସଂଗଠନ ଉତ୍ତରଦାୟୀ? ରାଜ୍ୟ ସ୍ବାର୍ଥ ପାଇଁ ଦଳ କାର୍ଯ୍ୟ କରିବ ନା ହାତ ଗଣତି ନେତାଙ୍କ ହାତରେ ଶହେ ବର୍ଷର ସଂଗଠନକୁ ଦଳ ଭାଙ୍ଗିରୁଜି ଚୁରମାର କରିଦେବ? କଂଗ୍ରେସ ଶୀର୍ଷସ୍ତରରେ ବିବାଦରେ ଲିପ୍ତ ରହି ଦଳୀୟ ସଂଗଠନକୁ ବୁଡ଼ାଇ ଦେବା ଲାଗି ଯେଉଁମାନେ ଷଡ଼୍‌ଯନ୍ତ୍ର ରଚନା କରୁଛନ୍ତି, ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି। ଖାସ୍ ସେଇଥିପାଇଁ ବିଧାନସଭାରେ କଂଗ୍ରେସ ସଂଖ୍ୟା ଏକ ଅଙ୍କ ଛୁଇଁଲାଣି। ତଥାପି ରାଜ୍ୟ କଂଗ୍ରେସ ନେତା ଚେତିବେନି?

ଓଡ଼ିଶାରେ ଯେବେ ବିରୋଧୀ ଦଳର ସ୍ବର କ୍ଷୀଣ ହେବାରେ ଲାଗିଛି ସେବେ ହାତଗଣତି କେତେଜଣଙ୍କୁ ବାଦ୍ ଦେଲେ ଅନ୍ୟ କଂଗ୍ରେସ ନେତାମାନଙ୍କର ଆଚରଣ ଓ ଉଚ୍ଚାରଣକୁ ନେଇ ସାଧାରଣରେ ଏଭଳି ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ସ୍ବାଭାବିକ ଭାବେ ଏକଥା ସମସ୍ତଙ୍କୁ ଆନ୍ଦୋଳିତ କରୁଛି ଯେ କଂଗ୍ରେସ କର୍ମୀଙ୍କ ମନର ପ୍ରଶ୍ନର ଉତ୍ତର କିଏ ଦେବ? ଦଳର ଜାତୀୟ ସ୍ତରର ନେତୃତ୍ବ ନା ରାଜ୍ୟ ନେତା?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କଂଗ୍ରେସ ବିପର୍ଯ୍ୟୟର କାରଣ ସଂପର୍କିତ ଯେଉଁ କିଛି ମୂଳ ବିନ୍ଦୁ ଉପରେ ତର୍ଜମା କରୁଛନ୍ତି, ତାହା ହେଲା, ସ୍ବାଧୀନତା ପରବର୍ତୀ ଓଡ଼ିଶାରେ କଂଗ୍ରେସ ସବୁଠାରୁ ଅଧିକ ସମୟ ଶାସନ କରିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବରୁ ପାଖାପାଖି ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ଶାସନ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ଗୋଟିଏ କଥା ଲକ୍ଷ୍ୟ କରାଯାଏ ଯେ ଏହି ସମୟରେ ଘଟିଥିବା ବିଭିନ୍ନ ଅଘଟଣ ବା ଦୁର୍ନାମ ଲୋକଙ୍କ ମନକୁ ଢେର୍ ଭେଦିଛି। ଏପରିକି ଆଜି ଦିନରେ ଏହାର ଶହେ ଗୁଣ ଅଧିକ ବଡ଼ ଅପରାଧ ଘଟିଥିଲେ ହେଁ, ତାହା ଲୋକମାନଙ୍କୁ ସେତିକି ପ୍ରଭାବିତ କରିପାରୁନି। ଏଥିପାଇଁ ସେ ସମୟର ବିରୋଧୀ ଦଳକୁ ଦାୟୀ କରାଯାଇପାରିବ। କାରଣ ସରକାରଙ୍କ ବିରୋଧରେ ସେମାନଙ୍କର ସ୍ବର କେତେ ଶାଣିତ ଥିଲା, ତାହା ଏଥିରୁ ବୁଝାପଡେ। ହେଲେ ଆଜି ଦିନରେ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନ କରୁଥିଲେ ହେଁ, ତାଙ୍କ ବିରୋଧରେ କୌଣସି ଗୋଟିଏ ବଡ଼ ପ୍ରସଙ୍ଗକୁ କଂଗ୍ରେସ ନେତାମାନେ ନିର୍ଣ୍ଣାୟକ ସ୍ତର ପର୍ଯ୍ୟନ୍ତ ଟାଣିପାରିନାହାନ୍ତି। ଏଇ ଗୋଟିଏ କଥା ହିଁ ସୂଚାଉଛି ଯେ କାହିଁକି ତତ୍କାଳୀନ ବିରୋଧୀ ଦଳ ନେତାମାନେ କଂଗ୍ରେସକୁ ପଛକୁ ଠେଲି ଶାସନକୁ ଆସିପାରିଲେ ଓ ଆଜି କାହିଁକି ବିରୋଧୀ ଦଳ କେବଳ ଗଣମାଧ୍ୟମରେ ବିବୃତି ଯୁଦ୍ଧରେ ନିଜକୁ ସୀମିତ ରଖିଛି। କେଉଁଠି ନା କେଉଁଠି ଉଭୟଙ୍କ ସାମର୍ଥ୍ୟ, ପାରିବାରପଣିଆ ଉପରେ ଆଙ୍ଗୁଠି ଉଠୁଛି।

କେବଳ ଏଇ ଗୋଟିଏ କଥା କଂଗ୍ରେସ ବିପର୍ଯ୍ୟୟ ପାଇଁ ଦାୟୀ ତାହା ନୁହେଁ। କଂଗ୍ରେସ ବିରୋଧରେ ପାରିବାରିକ ଶାସନର ଅଭିଯୋଗ ଥିଲା। ଏହାକୁ ତତ୍କାଳୀନ ବିରୋଧୀ ନେତାମାନେ ସ୍ଲୋଗାନରେ ପରିଣତ କରିଦେଇଥିଲେ। ଆଜି ଦିନରେ ବିଜେଡିରେ ମାଳ ମାଳ ନେତା ଅଛନ୍ତି, ଯେଉଁମାନେ ଉତ୍ତରାଧିକାରୀ ସୂ୍ତ୍ରରେ ରାଜ୍ୟରେ ଶାସନ ଆରମ୍ଭ କଲେଣି। ଶାସକ ଦଳର ନେତାମାନେ ନିଜ ପଦଛାଡି ନିଜ ପୁଅକୁ ବିଧାୟକ କରିବା ଲାଗି ରୀତିମତ କସରତ କରିଛନ୍ତି। ହେଲେ ଏ ପ୍ରସଙ୍ଗଟି କିନ୍ତୁ କଂଗ୍ରେସ ନେତାମାନେ ଆଉ ସାମ୍ନାକୁ ଆଣିପାରୁନାହାନ୍ତି। କାରଣ, କଂଗ୍ରେସ ଦଳର ନେତାମାନେ ବି ପୁଅ ରୋଗରେ ଆକ୍ରାନ୍ତ। ଯୋଗ୍ୟତା ଥାଉ କି ନଥାଉ, ଲୋକେ ଗ୍ରହଣ କରନ୍ତୁ ବା ନ କରନ୍ତୁ, ପରିବାରରୁ ଜଣକୁ ଉତ୍ତରାଧିକାରୀ ସୂତ୍ରରେ ଶାସନ ଗାଦିକୁ ଆଣିବା ଲାଗି ନେତାମାନେ ପ୍ରୟାସ ଚଳାଇଛନ୍ତି। ଏମିତି ଚାପ କୌଶଳ ପ୍ରୟୋଗ କରୁଛନ୍ତି ଯେ ସେ ଅଞ୍ଚଳରେ ଥିବା ଦ୍ବିତୀୟ ପିଢିର ନେତାମାନେ ସଙ୍କୁଚିତ ହୋଇ ବିକଳ୍ପ ନୀତି ଆପଣାଇବାକୁ ବାଧ୍ୟ ହେଉଛନ୍ତି. ଏମିତିରେ ସଂଗଠନ ବଢ଼ିବ କେମିତି?

ଆହୁରି ସ୍ପଷ୍ଟ ଭାବେ କହିଲେ, ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ କାହିଁକି ଗତ ସାଧାରଣ ନିର୍ବାଚନରେ ନିଜ ପରିବାର ପାଇଁ ଦୁଇଟି ଟିକେଟ୍ ନେଲେ? ତାଙ୍କର ନା ଦଳର କାହାର ଆବଶ୍ୟକତା ଥିଲା? ତତ୍କାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଦଳର ବରିଷ୍ଠ ନେତା ଭକ୍ତଚରଣ ଦାସ, ଅନନ୍ତ ସେଠୀଙ୍କ ପରିବାରକୁ ଦୁଇଟି ଲେଖାଏଁ ଟିକେଟ୍ କାହାକୁ ଖୁସି କରିବା ଲାଗି ଦିଆଗଲା? ଏଭଳି ଅପ୍ରିୟ ସତ୍ୟ ସଂପର୍କରେ କଂଗ୍ରେସ ନେତୃତ୍ବ ଖୋଲାଖୋଲି ଆଲୋଚନା କରିବେନି କାହିଁକି? ଯଦି ଶୀର୍ଷସ୍ତରରେ ପରିବାରବାଦ ମୁଣ୍ଡ ଟେକିବ, ତେବେ ଦଳର ସଂଗଠନ ରହିବ? ଦ୍ବିତୀୟ ପିଢ଼ିର ଯୁବ ନେତା କଂଗ୍ରେସରେ କାହିଁକି ନିଜ ଭାଗ୍ୟର ପରୀକ୍ଷା ନିରୀକ୍ଷା କରିବେ?

ତୃତୀୟ ଗୁରୁ୍ତ୍ବପୂର୍ଣ୍ଣ କଥାଟି ହେଲା, ନୂଆଦିଲ୍ଲୀର ଅଦୃଶ୍ୟ ଚାପ। ଯେ କୌଣସି ନେତା ପିସିିସି ସଭାପତି ଭାବେ ଗାଦିରେ ଦୃଢ ଭାବେ ବସିବା ପୂର୍ବରୁ ତାଙ୍କ କ୍ଷମତାକୁ ଘୁଣ ଚରିଯାଉଛି। ଦଳ ଭିତରେ ହଠାତ୍ ଗୋଟିଏ ଗୋଷ୍ଠୀ ସଶକ୍ତ ହୋଇ ମୁଣ୍ଡ ଟେକୁଛନ୍ତି ଏବଂ ନୂଆଦିଲ୍ଲୀର କିଛି ନେତାଙ୍କ ସହଯୋଗରେ ରାଜ୍ୟ ନେତୃତ୍ବ ବିରୋଧରେ ଏମାନେ ଯୁଦ୍ଧ ଘୋଷଣା କରିବାର ଅନେକ ନଜିର ରହିଛି। ଏହାର ଅନ୍ୟ ଦିଗଟି ହେଲା, ଯେବେ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ଥିଲା (ଉପା ସରକାର), ସେବେ କେନ୍ଦ୍ରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସାରେ ମାତିଲେ ଠିକ୍ ଆଜିର ବିଜେପି ସରକାର ଭଳି। କେବଳ ସେତିକି ନୁହେଁ, ରାଜ୍ୟ ସରକାରକୁ ବିଭିନ୍ନ ସମୟରେ କଂଗ୍ରେସ ନେତୃତ୍ବ ଯେଭଳି ସୁରକ୍ଷା ଦେଲେ, ତାହା ବି ଆଜି ତାଙ୍କ ପାଇଁ ବୁମେରାଂ ହୋଇଛି। ସରଳ ଭାବରେ କହିଲେ, ରାଜ୍ୟ କଂଗ୍ରେସ ନେତ୍ବକୁ ହାଇକମାଣ୍ଡ ହିଁ ପରୋକ୍ଷରେ ଦୁର୍ବଳ କରୁଥିବା କାରଣରୁ ପିସିସି ସଭାପତି ପଦଟି ଧୀରେ ଧୀରେ ଆମ ରାଜ୍ୟରେ ଆଳଙ୍କରିକ ହୋଇଗଲାଣି।

ଚତୁର୍ଥ କାରଣଟି ବି ସଙ୍ଗନ। ଅନ୍ୟ ରାଜନୈତିକ ଦଳ ତୁଳନାରେ ରାଜ୍ୟ କଂଗ୍ରେସରେ କମ୍ ଜ୍ଞାନୀ, ଗୁଣୀ ବା ଧନୀ ନେତା ଅଛନ୍ତି ତା ନୁହେଁ। ବରଂ ସତ କଥା ହେଲା ଲୋକଙ୍କ ସହ ଯୋଡି ହେବାର କଳା କୌଶଳ ସମ୍ଭବତଃ ରାଜ୍ୟ କଂଗ୍ରେସର ଅନେକ ନେତା ଇତିମଧ୍ୟରେ ଭୁଲିଯାଇଛନ୍ତି। ଓଡ଼ିଶାରେ ଦୀର୍ଘ ଦିନ ଧରି ସରକାରରେ ରହିଯିବା କାରଣରୁ ବିରୋଧୀ ଦଳ ଭୂମିକାରେ ରହି ଲୋକଙ୍କର କିଭଳି ଦୃଷ୍ଟି ଆକର୍ଷଣ କରାଯାଇପାରିବ, ସେ ନେଇ ନେତାମାନେ ଆଉ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରୁନାହାନ୍ତି। ଆଜି କଂଗ୍ରେସକୁ ଏ କ୍ଷେତ୍ରରେ ବି ଦାରିଦ୍ର୍ୟ ଘୋଟିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଯେଉଁ ପଞ୍ଚମ କାରଣ ସଂପର୍କରେ ସଙ୍କେତ ଦେଉଛନ୍ତି, ତାହା ହେଲା, କିଛି ନେତାଙ୍କର ନିଜସ୍ବ ସ୍ବାର୍ଥ ଦଳ ବା ସାମୁହିକ ସ୍ବାର୍ଥରେ ସର୍ବଦା ପ୍ରତିବନ୍ଧକ ସାଜିଛି। ସେମାନେ ନିଜ ସ୍ଥାନରେ ସ୍ଥିର ରହି ଏବେ ବି ସରକାରଙ୍କ ଠାରୁ ବିଭିନ୍ନ ସାହାଯ୍ୟ ସହଯୋଗ ନେବାରେ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ଏହା ଲୋକଙ୍କ ପାଇଁ କରାଗଲେ, ତାର ଲାଭ ମିଳନ୍ତା। ମାତ୍ର ଏ କ୍ଷେତ୍ରରେ ବି ନେତାଙ୍କ ଠାରେ ସମଷ୍ଟିଗତ ସ୍ବାର୍ଥ ପରିବର୍ତ୍ତେ ବ୍ୟକ୍ତି ସ୍ବାର୍ଥ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ କାମ କରୁଛି। ଆଉ କିଛି ନେତା ନିଜର ସାମର୍ଥ୍ୟ ଉପରେ ଭରସା କରିବା ପରିବର୍ତ୍ତେ ସରକାରଙ୍କ କୌଶଳ ଓ ପାରଦର୍ଶିତା ସଂପର୍କରେ ଅଧିକ ଭାବୁଛନ୍ତି। ଫଳରେ ଏହା କେଉଁଠି ନା କେଉଁଠି ସେମାନଙ୍କୁ ଦୁର୍ବଳ କରିଦେଉଛି ଅଥବା ସେମାନେ ଧୀରେ ଧୀରେ ନିଷ୍ପ୍ରଭ ହେବା ଆରମ୍ଭ କରିଛନ୍ତି।

କଂଗ୍ରେସ ଦିନକୁ ଦିନ ବିପର୍ଯ୍ୟୟ ଭିତରେ ଫସିଯାଉଛି। ପ୍ରତି ନିର୍ବାଚନରେ ସେମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ହେବାରେ ଲାଗିଛି। ହେଲେ ଲୋକେ ବାରମ୍ବାର ସେମାନଙ୍କୁ କାହିଁକି ପ୍ରତ୍ୟାଖ୍ୟାନ କରୁଛନ୍ତି, ସେ ସଂକ୍ରାନ୍ତ ଅସଲ କାରଣଟିକୁ କଂଗ୍ରେସ ନେତୃତ୍ବ ଏଯାଏ ଆବିଷ୍କାର କରିପାରିନାହାନ୍ତି। ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ସେମାନଙ୍କର ଆଗ୍ରହ ବି ନାହିଁ। ଲକ୍ଷ୍ୟ କରାଯାଉଛି, ୨୦୦୯ ଠାରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ସବୁ ନିର୍ବାଚନ ପରେ ଦଳରେ ମାନସମନ୍ଥନ କରାଯିବ ବୋଲି ନେତାମାନେ ବୟାନବାଜି କରନ୍ତି। ହେଲେ ସେଭଳି କିଛି କଥା ପ୍ରଭାବୀ ଢଙ୍ଗରେ ହୁଏନାହିଁ କି ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ଅତୀତରୁ କିଛି ଶିଖିବା ଭଳି ଉଦାହରଣ ରଖିପାରେ ନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ କଂଗ୍ରେସ ଆଗକୁ କ୍ଷମତାକୁ ଫେରିବ, ନେତାଙ୍କ ଏଭଳି ଦମ୍ଭୋକ୍ତିକୁ ଆସ୍ଫାଳନ ବୋଲି କେହି କେହି ମତ ଦିଅନ୍ତି। ହେଲେ ଏକଥା କେହି ଭୁଲିବା ଉଚିତ୍ ନୁହେଁ ଯେ ସରକାରକୁ ଆସୁଥିବା ଦଳମାନଙ୍କ ସହିତ ୪୫ ପ୍ରତିଶତରୁ ଅଧିକ ଜନ ସମର୍ଥନ ନାହିଁ। ଏଭଳି ସ୍ଥଳେ ବାକି ୫୫ ପ୍ରତିଶତ ଭୋଟର ସରକାର ବିରୋଧରେ ହିଁ ମତଦାନ କରିଆସିଛନ୍ତି। ଏହି ଅବଶିଷ୍ଟ ୫୫ ପ୍ରତିଶତକୁ କିଏ ନେତୃତ୍ବ ଦେବ, କଣ ସେମାନେ ଚାହାନ୍ତି, ସେତିକି ବୁଝିଗଲେ, ନିର୍ବାଚନ ରଣନୀତିରେ ଆଗକୁ ଆସିବା ଗୋଟିଏ ବଡ଼ ପ୍ରସଙ୍ଗ ହୋଇ ରହିବ ନାହିଁ। ନିଜ ହାତରେ ନିଜର ରାଜନୈତିକ ଭାଗ୍ୟକୁ ଆଉ କେତେ ଦିନ ଦଳି ଚକଟି ଚାଲିବେ?

ଓଡ଼ିଶାରୁ କଂଗ୍ରେସ ବିଚାର କଣ ସବୁଦିନ ପାଇଁ ଲୋପ ହୋଇଯିବ?

Leave A Reply

Your email address will not be published.