ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ବିଧାୟକମାନଙ୍କ ପତିଆରା କ୍ଷୁଣ୍ଣ ପଛରେ କିଏ?

0

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ୬୦ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଜେଡିର ସର୍ବାଧିକ ୪୧ ଜଣ, ବିଜେପିର ୧୪, କଂଗ୍ରେସର ୪ ଓ ଜଣେ ସ୍ବାଧୀନ ବିଧାୟକ। ଗତବର୍ଷ ବିଜେପିର ଜଣେ ନବାଗତ ବିଧାୟକଙ୍କ ପରଲୋକ ଘଟିଛି ଓ ଦୁଇଟି ଉପନିର୍ବାଚନରେ ଦୁଇ ଜଣ ନୂଆ ବିଧାୟକ ଗୃହକୁ ଆସିଛନ୍ତି> ଉଭୟ ବିଜେଡିର। ଏଣୁ ବିଜେଡିର ନୂଆ ବିଧାୟକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି, ବିଜେପିର ୧୩। ସେହିପରି ୬ ଜଣ ମହିଳା ଓ ୫୪ ଜଣ ପୁରୁଷ ବିଧାୟକ ପୁନଃ ନିର୍ବାଚିତ ହୋଇଥିଲେ।

ଅଭିଜ୍ଞତା ଦୃଷ୍ଟିରୁ ଦେଖିବାକୁ ଗଲେ, ବିଧାନସଭାରେ ଦ୍ବିତୀୟ ଥରିଆ ବିଧାୟକଙ୍କ ସଂଖ୍ୟା ୩୦, ତୃତୀୟ ଥରିଆ ବିଧାୟକଙ୍କ ସଂଖ୍ୟା ୨୨, ଚତୁର୍ଥ ଥରିଆ ବିଧାୟକଙ୍କ ସଂଖ୍ୟା ୧୨ ,ପଞ୍ଚମ ଥରିଆ ବିଧାୟକଙ୍କ ସଂଖ୍ୟା ୧୨, ଛଅ ଥରିଆ ବିଧାୟକଙ୍କ ସଂଖ୍ୟା ୭ ଓ ସାତ ଥରିଆ ବିଧାୟକଙ୍କ ସଂଖ୍ୟା ୨ ରହିଛି। ବିଧାୟକମାନେ ନିଜେ ତଥ୍ୟ ରଖିଛନ୍ତି ଯେ ସେମାନଙ୍କ ମଧ୍ୟରୁ ୪୦ ଜଣ ପୋଷ୍ଟ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ସହିତ ଆଇନ ପଢ଼ିଛନ୍ତି ୧୮ ଜଣ। ଆଇନରେ ପୋଷ୍ଟ ଗ୍ରାଜୁଏଟ୍ କରିଥିବା ବିଧାୟକଙ୍କ ସଂଖ୍ୟା ୪, ଡାକ୍ତରଙ୍କ ସଂଖ୍ୟା ୪, ସାମ୍ବାଦିକତା ୩ଜଣ, ଡିପ୍ଲୋମା ୬ ଓ ଟେକ୍ନିକାଲ ଗ୍ରାଜୁଏଟ୍‌ଙ୍କ ସଂଖ୍ୟା ୯ ରହିଛି। ଏସବୁ ସଂଖ୍ୟା ଦର୍ଶାଉଛି ଯେ ବିଧାନସଭାକୁ ଧୀରେ ଧୀରେ ଶିକ୍ଷିତ ବିଧାୟକ ଅଧିକ ସଂଖ୍ୟାରେ ନିର୍ବାଚିତ ହେଉଛନ୍ତି।

ସାଧାରଣରେ ଗୋଟିଏ ଧାରଣା ରହିଛି, ଯେତେ ଶିକ୍ଷିତ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବେ, ଆମ ଗଣତନ୍ତ୍ର ସେତିକି ପରିପୁଷ୍ଟ ହେବ। ହେଲେ ଏହି ପରିସଂଖ୍ୟାନ ଦେଖିବା ପରେ ସ୍ବାଭାବିକ ଭାବେ ଯେ କୌଣସି ବ୍ୟକ୍ତି ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି ଏହା ସତ, ତେବେ କାହିଁକି ଓଡ଼ିଶା ବିଧାନସଭାରେ ଠିକ୍ ଠାକ୍ କାର୍ଯ୍ୟ ଚାଲିପାରେ ନାହିଁ? ଯେଉଁ କାର୍ଯ୍ୟ ପାଇଁ ବିଧାୟକମାନେ ନିର୍ବାଚିତ ହୋଇଛନ୍ତି, ସେ ମଧ୍ୟରୁ ପ୍ରମୁଖ ହେଲା, ରାଜ୍ୟ ଶାସନ ପାଇଁ ସେମାନେ ହିଁ ବିଧାନ ତିଆରି କରିବେ। କେଉଁ କାରଣ ପାଇଁ କେଇ ମିନିଟ୍ ମଧ୍ୟରେ ବିଲ୍‌ ପାରିତ ହୋଇଯାଉଛି, ତା ପୁଣି କେବେ ବିରୋଧୀ ଦଳ ଉପସ୍ଥିତିରେ, କେବେ ଅନୁପସ୍ଥିତିରେ? ଏଥିପାଇଁ ଆମେ କାହାକୁ ଦାୟୀ କରିପାରିବା? କାହିଁକି ଆମ ବିଧାୟକମାନେ ବିଲ୍ ଉପରେ ଘଣ୍ଟା ଘଣ୍ଟା ତର୍ଜମା କରିବା ଲାଗି ଚାହୁଁନାହାନ୍ତି? କାହିଁକି ଗୃହରେ କମ୍ ବିତର୍କ, ବେଶୀ ବିବାଦ ସୃଷ୍ଟି ହେଉଛି?

ନିୟମ ଅନୁସାରେ, ଓଡ଼ିଶା ବିଧାନସଭା ସର୍ବନିମ୍ନ ୬୦ ଦିନ ବସିବା କଥା। ହେଲେ ହାତଗଣତି କିଛି ବର୍ଷକୁ ବାଦ୍ ଦେଲେ ଅଧିକାଂଶ ବର୍ଷ ଏତିକି ଦିନ ବି ଅଧିବେଶନ ଚାଲିପାରୁନାହିଁ। ରାଜ୍ୟ ଶାସନ ସଂପର୍କରେ ପର୍ଯ୍ୟାପ୍ତ ଆଲୋଚନା, ପର୍ଯ୍ୟାଲୋଚନା ଲାଗି ଏହା ଠାରୁ ଆଉ ସୁରକ୍ଷିତ ବା ଉପଯୁକ୍ତ କ୍ଷେତ୍ର ନାହିଁ। ଟିଭି ସ୍କ୍ରିନ୍‌ରେ ଗର୍ଜୁଥିବା ନେତାମାନେ ବିଧାନସଭାରେ ସେଭଳି ବିତର୍କ ନ କରିବା ପଛରେ କି ରାଜନୀତି ବା ଚାପ ରହିଛି? ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି।

କେଉଁଠି ନା କେଉଁଠି ବିଧାନସଭାରେ ନେତାଙ୍କ ପ୍ରଦର୍ଶନ, ବିଧାନସଭା ବାହାରେ ସେମାନଙ୍କ ପତିଆରା ସୃଷ୍ଟିରେ ବିଶେଷ ସହାୟକ ହୋଇଥାଏ। ଏକଥା ବି ଦେଖାଯାଇଛି ଯେ ବିଧାନସଭାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବିଧାୟକଙ୍କ ପ୍ରତି କେବଳ ସାଧାରଣ ଲୋକଙ୍କର ବା ସଂପୃକ୍ତ ନିର୍ବାଚନମଣ୍ଡଳୀର ଭୋଟରଙ୍କର ସମ୍ମାନ ଥାଏ, ତାହା ନୁହେଁ, ବରଂ ଅମଲାତନ୍ତ୍ର ବି ସଂପୃକ୍ତ ନେତାଙ୍କୁ ସେତିକି ଗୁରୁତ୍ବ ଦେଇଥାନ୍ତି। ଆଜି ଦିନର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାର ବଡ଼ ଉଦାହରଣ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ପ୍ରମୁଖଙ୍କ ପ୍ରଦର୍ଶନ ଉପରେ ସାରା ରାଜ୍ୟର ନଜର ରହିଥାଏ।

ଏକଥା ସତ ଯେ ବିଧାନସଭାରେ ପ୍ରଶ୍ନକାଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଢେର୍ କସରତ ହୋଇଥାଏ ଓ ବ୍ୟାପକ ଅର୍ଥ ବିନିଯୋଗ ବି। ବିଭିନ୍ନ ଟିଭି ଚ୍ୟାନେଲରରେ ଏହାର ସିଧା ପ୍ରସାରଣ ବ୍ୟବସ୍ଥା ବିଧାନସଭା କରିଛି। କିନ୍ତୁ ଯେତିକି ଦିନ ଗୃହ ଚାଲେ, ତା ମଧ୍ୟରୁ ଅନେକ ଦିନ ପ୍ରଶ୍ନକାଳରୁ ହିଁ ଅଚଳ ହୋଇଯାଏ ଗୃହ। କେବେ ସାଧାରଣ ଲୋକଙ୍କ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ ବୋଲି କହି ଗୃହରେ ହଟ୍ଟଗୋଳ ହୁଏ, ଆଉ କେବେ ବିଧାୟକମାନଙ୍କ ମତକୁ ଗୃହରେ ସୁରକ୍ଷା ମିଳେ ନାହିଁ ବୋଲି ତାର ପ୍ରତିବାଦ ପ୍ରଦର୍ଶନ ହୋଇଥାଏ। ଉଭୟ ଘଟଣା ରାଜନୀତି ଦୃଷ୍ଟିରୁ ଠିକ୍ ନୁହେଁ ବୋଲି ବିଶେଷଜ୍ଞମାନେ ମତ ରଖିଆସିଛନ୍ତି। ବିତର୍କର ସ୍ଥିତି ଯେବେ ଅତି ଦୁର୍ବଳସ୍ତରରେ ପହଞ୍ଚିଯାଏ, ସେହିଠାରୁ ହିଁ ବିବାଦ ଆରମ୍ଭ ହୋଇଥାଏ। ଆମ ବିଧାୟକମାନେ ବିତର୍କ କରିପାରୁନାହାନ୍ତି କାହିଁକି? ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସମୟ ଭିତରେ ନିଜ ପଏଣ୍ଟକୁ ସର୍ବୋତ୍କୃଷ୍ଟ ଭାବେ ଉପସ୍ଥାପନ କରାଯାଇପାରୁନାହିଁ କାହିଁକି? ଏସବୁ ଏବେ ସବୁ ରାଜନୈତିକ ଦଳ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କଲାଣି।

ବିଧାନସଭାରେ ଗଣମାଧ୍ୟମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ମ ଥାଏ ଶୂନ୍ୟକାଳ। ଏହି ସମୟରେ ବିଧାୟକମାନଙ୍କର ପାରଦର୍ଶିତା ରାଜ୍ୟ ଦେଖେ। କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଲତବୀ ଆଲୋଚନା ବେଳେ ସାରା ରାଜ୍ୟ ଅପେକ୍ଷା କରିଥାଏ, ତାଙ୍କ ପ୍ରତିନିଧିଙ୍କର ବିତର୍କ କେତେ ପ୍ରଭାବୀ। ଆଉ ଯେବେ ବିଲ୍‌ ଉପରେ ଆଲୋଚନା ହୁଏ, ସେବେ ଅମଲାତନ୍ତ୍ର ଠାରୁ ବୁଦ୍ଧିଜୀବୀ ମହଲରେ କମ୍ପନ ସୃଷ୍ଟି ହୁଏ। ଅନେକ ସମୟରେ ଦେଖାଯାଉଛି, ଗୃହରେ ବିବାଦ ଭିତରେ ବିଲ୍ ପାରିତ ହେଉଥିବା କାରଣରୁ ଏହାର କାର୍ଯ୍ୟାନ୍ବୟନ ବେଳେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଏପରିକି ଓଡ଼ିଶାବାସୀ ପରବର୍ତ୍ତୀ ସମୟରେ ଏଥିପାଇଁ ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି। ଏସବୁ ଉପରେ ବିଧାନସଭାରେ ପର୍ଯ୍ୟାପ୍ତ ଆଲୋଚନା ହୋଇନପାରିବା, ଅନେକ କାରଣ ମଧ୍ୟରୁ ଗୋଟିଏ ବଡ଼ କାରଣ।

ବିଶେଷଜ୍ଞମାନଙ୍କର ମତ ହେଉଛି, ଗୃହରେ ବିଧାୟକମାନଙ୍କର ପ୍ରଦର୍ଶନ କେବଳ ଆମ ବିଧାନସଭାର ଗରିମାକୁ ପ୍ରଭାବିତ କରୁଛି ତା ନୁହେଁ, ସଂପୃକ୍ତ ବିଧାୟକମାନେ ନିର୍ବାଚିତ ହୋଇଥିବା ରାଜନୈତିକ ଦଳ ମଧ୍ୟ ଏହାଦ୍ବାରା ଢେର୍ କ୍ଷତିର ସାମ୍ନା କରିଥାନ୍ତି। କାରଣ କଣ ବି ହୋଇଥାଉ, ଏହାଦ୍ବାରା ସମସ୍ତଙ୍କ ଜାଣତରେ ଗଣତନ୍ତ୍ରକୁ ଆମେ ଧୀରେ ଧୀରେ ଦୁର୍ବଳ କରିବାରେ ଲାଗିଛନ୍ତି। ଯଦି ଗଣତନ୍ତ୍ର ଦୁର୍ବଳ ହୋଇଯିବ, ସେବେ ବିଧାୟକମାନେ କିଭଲି ସମ୍ମାନିତ ବ୍ୟକ୍ତି ହୋଇ ରହିବେ, ଏକଥା ରାଜନୀତି କରୁଥିବା ସମସ୍ତେ ହେଜିବା କଥା। ବିଧାୟକମାନଙ୍କ ପ୍ରତି ଅମଲାତନ୍ତ୍ରର ଆଚରଣ ଏବଂ ଉଚ୍ଚାରଣ ବଦଳିବା, ବିଧାନସଭାର ରୁଲ୍ ୪୭ ଉଲ୍ଲଂଘନ ଭଳି ଅଭିଯୋଗ ବଢ଼ିବା ପଛରେ ଏହା ଗୋଟିଏ ଗୋଟିଏ କାରଣ ବୋଲି କୁହାଯାଇପାରେ।

ଏହି ମହଲର ଆହୁରି କହିବା କଥା ହେଉଛି, ଥରେ ଟିକେଟ୍ ଦେଇ ଗୃହକୁ ନିର୍ବାଚିତ କରିଦେବା ପରେ ସଂପୃକ୍ତ ରାଜନୈତିକ ଦଳର କାର୍ଯ୍ୟ ଆପାତତଃ ସରିଯାଉଛି ବୋଲି ସେମାନଙ୍କ ମୁଖିଆ ବା ରାଜ୍ୟ ସଭାପତିମାନେ ମନେ କରୁଛନ୍ତି। ଦଳ ଭିତରେ ବିଧାୟକମାନଙ୍କର ପ୍ରଭାବୀ ପ୍ରଦର୍ଶନ ଲାଗି କୌଣସି ଉଦ୍ୟମ କରାଯାଉନାହିଁ। ସେମାନଙ୍କୁ ଦଳୀୟସ୍ତରରେ ପ୍ରଶିକ୍ଷଣ ଦେବା ଲାଗି କୌଣସି ବ୍ୟବସ୍ଥା ବି ନାହିଁ। ଭାରତ ବର୍ଷର ବଡ଼ ବଡ଼ ଆଇନଜୀବୀ, ରାଜନେତା ପ୍ରମୁଖଙ୍କୁ ନେଇ କୌଣସି ଦଳରେ କର୍ମଶାଳା କରିବାର ନଜିର ନାହିଁ। ଏପରିକି ନିଜ ନିଜ ଦଳର ବରିଷ୍ଠ ବିଧାୟକମାନେ ବି ଆଉ ଜଣେ ଟାଣୁଆ ଲୋକପ୍ରତିନିଧି ସୃଷ୍ଟି କରିବା ଲାଗି ବିଶେଷ କୌଣସି ଉଦ୍ୟମ କରନ୍ତି ନାହିଁ। ଅନ୍ୟପଟରେ ଓଡ଼ିଶା ବିଧାନସଭାରେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦାହରଣ ବି କମ୍। ଜାତୀୟସ୍ତରର କର୍ମଶାଳା କରି ଯେ କୌଣସି ପ୍ରସଙ୍ଗ ଉପରେ ବିଧାନସଭା ଅଧିବେଶନ ବାହାରେ ଆଲୋଚନା କରିବା ଦେଖାଯାଏ ନାହିଁ। ଏସବୁ ଉଭୟ ବିଧାୟକ ଓ ବିଧାନସଭାର ଗରିମାକୁ ପ୍ରଭାବିତ କରୁଛି।

ଏଠାରେ ଉଲ୍ଲେଖଥାଉକି, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ, ସେମାନଙ୍କ ପ୍ରସଙ୍ଗକୁ ବିଧାନସଭାକୁ ଆଣିବା ବିଧାୟକମାନଙ୍କର ଅନେକ ଦାୟିତ୍ବ ମଧ୍ୟରୁ ଗୋଟିଏ। କିନ୍ତୁ ଯେଉଁ ମୂଳ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ହୋଇଛି, ତାହା ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ବିଲ୍, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନିୟମ କେତେଦୂର ପ୍ରଭାବୀ, ସେଥିରେ କି କି ପରିବର୍ତ୍ତନର ଆବଶ୍ୟକତା ରହିଛି, ଆଇନର ଦୁରୂପଯୋଗ ଲାଗି ଏଥିରେ ଗଳାବାଟ ଅଛି କି, ଏସବୁ ସଂପର୍କରେ ମୁଖ୍ୟତଃ ବିତର୍କ ହେବାର ଆବଶ୍ୟକତା ଅଛି। ଅତି କମ୍ ଦିନ ବସୁଥିବା ବିଧାନସଭାରେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ସଂଖ୍ୟା ସିନା ବଢ଼ୁଛି, ବିଧାନ ଉପରେ ବିତର୍କର ମାନ କମୁଛି। ଆଉ ସ୍ଥିତି କେତେ ଖରାପ ହେଲେ ସମସ୍ତେ ଚେତିବେ?

Leave A Reply

Your email address will not be published.