ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପରିବର୍ତ୍ତନ ମୁହାଁ ଓଡ଼ିଶା ବିଜେପି ରାଜନୀତି

0

ରାଜ୍ୟ ରାଜନୀତିରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଭାବ କମୁଛି କି?

ସବୁଠି ଅଶ୍ବିନୀଙ୍କୁ ନେଇ ଚର୍ଚ୍ଚା, ଧର୍ମେନ୍ଦ୍ରଙ୍କ ପତିଆରାରେ ଭାଗ ବସାଇଲେ

ବିଜେଡି ଶିବିରରେ ବି ଛାଇଗଲେଣି ଅଶ୍ବିନୀ, ଅଫିସର ବି କହୁଛନ୍ତି ସେ ଭଲ

ବୈଜୟନ୍ତ କ୍ଷୁବ୍ଧ ଏବଂ ଅସୁଖୀ, ସେପଟ ବନ୍ଧୁ ମନ୍ତ୍ରୀ ହୋଇଥିବାରୁ ଅପରାଜିତା ଖୁସ୍

ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଲାଗି ଜୋରଦାର ଚାଲିଛି କ୍ଷେତ୍ର ପ୍ରସ୍ତୁତି

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ନବକଳେବର ପରେ ଓଡ଼ିଶା ବିଜେପି ରାଜନୀତିରେ ବଡ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ହଠାତ୍ ରାଜ୍ୟ ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଭାବ ବଢିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ବ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଏହାର ଛାଇ ପଡିଲାଣି। କେବଳ ସେତିକି ନୁହେଁ, ରାଜ୍ୟ ବିଜେପିର ଗୋଟିଏ ବଡ ଗୋଷ୍ଠୀ ଇତିମଧ୍ୟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଏକପ୍ରକାର ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ଲକ୍ଷ୍ୟ ହେଉଛି, ଯେନତେନ ପ୍ରକାରେ ଏହି ମଉକାରେ ଶ୍ରୀ ପ୍ରଧାନଙ୍କ ପ୍ରଭାବକୁ ରାଜ୍ୟରେ ଧୂଳିସାତ୍ କରିବାକୁ ହେବ। ଏସବୁ ଦେଖି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କଲେଣି ଯେ ଆଗକୁ ବିଜେପି ରାଜନୀତି ଅନେକାଂଶରେ ପ୍ରଭାବିତ ହୋଇପାରେ।

ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ରାଜ୍ୟ ରାଜନୀତିର ଚିତ୍ର ଥିଲା ଏୟା ଯେ କେନ୍ଦ୍ରମନ୍ତ୍ରୀ ପଦରେ ପ୍ରତାପ ଷଡଙ୍ଗୀ ଥିଲେ ହେଁ, ତାଙ୍କର ସେମିତି କିଛି ପ୍ରଭାବ ଅନୁଭବ ହେଉନଥିଲା। କାଁ ଭାଁ କିଛି ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଥିଲା ଓ ସେ ବାଲେଶ୍ବର ଭିତରେ ନିଜକୁ ସୀମିତ କରି ରଖିଥିଲେ। ଏପଟେ କିନ୍ତୁ ସବୁକଥାରେ ଓ ସବୁଠି ଧର୍ମେନ୍ଦ୍ରଙ୍କୁ ଲୋଡାଯାଉଥିଲା। ବିଜେପି ଭିତରେ ଏବଂ ବାହାରେ ବି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗତ କିଛି ମାସ ଧରି ରାଜ୍ୟର ସମସ୍ତ ବିକାଶ ସଂପର୍କିତ ବୈଠକରେ ବସୁଥିଲେ। ରାଜ୍ୟ ସରକାର ମଧ୍ୟ ଯେତେବେଳେ କିଛି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ସଂପର୍କରେ ସମୀକ୍ଷା ବୈଠକ କରୁଥିଲେ, ସେବେ ଧର୍ମେନ୍ଦ୍ରଙ୍କୁ ସେଠାରେ ଦେଖିବାକୁ ମିଳୁଥିଲା। ଏହା ପରୋକ୍ଷରେ ଆଉ ଗୋଟିଏ ବାର୍ତ୍ତା ଦେଇଥିଲା ଯେ ନିର୍ବାଚନ ପୂର୍ବରୁ ଅତ୍ୟନ୍ତ ଉଗ୍ର ଥିବା ଧର୍ମେନ୍ଦ୍ରଙ୍କ ସହିତ ଅଫିସରମାନେ ଧୀରେ ଧୀରେ ସହଜ ହେବା ଆରମ୍ଭ କରିଥିଲେ। ତାଙ୍କର ପତିଆରା ବୃଦ୍ଧିରେ ଏହି ସଙ୍କେତ ଅନେକ ପ୍ରଭାବ ରଖୁଥିଲା। ସେହିଭଳି ତୈଳ କଂପାନିର ବିଜ୍ଞାପନ କାରଣରୁ ଗଣମାଧ୍ୟମମାନେ ଧର୍ମେନ୍ଦ୍ରଙ୍କ ଖବରକୁ ତୁହାକୁ ତୁହା ପ୍ରଚାର କରୁଥିଲେ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜ୍ୟ ରାଜନୀତିରେ ବିଶେଷ ମୁଣ୍ଡ ଖେଳାଉନଥିଲେ। ଅଳ୍ପ କିଛି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଥିଲା। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ବିଜେପି କାର୍ଯ୍ୟାଳୟ ଠାରୁ ଦୂରେଇ ଯାଇଥିବା ବେଳେ ସେ ତାଙ୍କର ନିଜସ୍ବ ଶୈଳୀରେ ଓ ନିଜ ଅନ୍ଦାଜରେ ପଦକ୍ଷେପ ନେଉଥିଲେ। ଏହାବ୍ୟତୀତ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପତିଆରା ଟିକେ ଚର୍ଚ୍ଚାରେ ଥିଲା। ଯଦିଓ ଦଳ ତାଙ୍କୁ ଅଙ୍କୁଶ ଦେଇ ରଖିବାକୁ ବାରମ୍ବାର ଚେଷ୍ଟା କରିଥିଲା, ସେଥିରେ ସେମାନେ ଅଳ୍ପ ସଫଳ ହୋଇଥିଲେ ଓ ବେଶୀ ବିଫଳ ହୋଇଥିଲେ।

ମାତ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସହିତ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ଥିବା ଭାରସାମ୍ୟ ଏକରକମ ଦୋହଲିଯାଇଛି। ପ୍ରତାପ ଷଡଙ୍ଗୀଙ୍କୁ ହରାଇ ବିଜେପି ଆଉ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ପଦ ପାଇଲା। ସେମାନେ ହେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଶ୍ରୀ ଟୁଡୁ ଏବେ କୋଭିଡ୍ ପରବର୍ତ୍ତୀ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଇଥିବା ପରିପ୍ରେକ୍ଷୀରେ ତାଙ୍କର ପ୍ରଭାବ ଜଣାପଡିନାହିଁ। କିନ୍ତୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବେ ରାଜ୍ୟ ରାଜନୀତିରେ ଛାଇ ଗଲେଣି। ବିଜେପି ଭିତରେ ଓ ବାହାରେ, ଏପରିକି ବିଜେଡି ଭିତରେ ବି ବୈଷ୍ଣବଙ୍କୁ ନେଇ ଢେର୍ ଚର୍ଚ୍ଚା। ରାଜ୍ୟ ରାଜନୈତିକ ମହଲ, ଯେଉଁମାନେ ଦିନେ ଧର୍ମେନ୍ଦ୍ରଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠୁଥିଲେ ସେଠି ଯାହା ଦେଖିବାକୁ ମିଳୁଛି, ସାମ୍ବାଦିକମହଲରେ ବି ସେହି ସ୍ଥିତି। ସବୁଠୁ ଅଶ୍ବିନୀଙ୍କର ଚର୍ଚ୍ଚା। ଅଶ୍ବିନୀ ଏମିତି କଲେ, ସେମିତି କଲେ, ଏମିତି କହିଲେ, ଏମିତି ହେବ, ଆଗକୁ ଓଡ଼ିଶା ରାଜନୀତିରେ ଅମୁକଙ୍କ ବଦଳରେ ସମୁକ ନେତା ହେବେ, ଏମିତି ଯାବତୀୟ ଆଲୋଚନାର ମୁଖ୍ୟରେ ଅଛନ୍ତି ଅଶ୍ବିନୀ ବୈଷ୍ଣବ।

ରାଜନୈତିକ ରଣନୀତିକାରମାନଙ୍କର କହିବା କଥା ହେଲା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ। ଏକଥା ସତ ଯେ ଯେବେ ଅଶ୍ବିନୀ ଓଡ଼ିଶା ରାଜନୀତିରେ ରାଜ୍ୟସଭା ଆସନ ହାତେଇଲେ, ସେବେ ଧର୍ମେନ୍ଦ୍ର ଆଲୋଚନାରେ ନିଶ୍ଚୟ ଥିବେ। କିନ୍ତୁ ତାଙ୍କର ଉତ୍ତରଣ ଏବେ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବେଶୀ ମହଙ୍ଗା ପଡିବ। ଅଶ୍ବିନୀ ନିଜେ ଏକଥା ସଙ୍କେତ ଦେଇସାରିଲେଣି।

ମନ୍ତ୍ରୀ ପଦବି ହାତେଇବା କ୍ଷଣି ହଠାତ୍ ରାତିରେ ଓଡ଼ିଶାର ରେଳ ବିକାଶ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ। ଏହି ଖବର ଗଣମାଧ୍ୟମ ମୁଖ୍ୟ ପୃଷ୍ଠାରେ ଛାଇଗଲା। ଏହା ଯେହେତୁ ତାଙ୍କ ମନ୍ତ୍ରାଳୟର କାର୍ଯ୍ୟ ସେଥିରେ ଧର୍ମେନ୍ଦ୍ରଙ୍କର ଉପସ୍ଥିତି ଆଦୌ ଆବଶ୍ୟକ ନାହିଁ। ଏଣୁ ସେ ଡାକିଲେ ନାହିଁ। ଏହା କିନ୍ତୁ ଅନ୍ୟବାଟରେ ଧର୍ମେନ୍ଦ୍ରଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି। ଅତୀତରେ ରେଳ ବିକାଶ ନେଇ ଯେତେ ବୈଠକ ହେଉଥିଲା, ସବୁଥିରେ ସେ ଲୋଡାଯାଉଥିଲେ। ରାଜ୍ୟ ସରକାର ମଧ୍ୟ ବୈଠକ କରିବା ବେଳେ ଧର୍ମେନ୍ଦ୍ର ସେଠାରେ ବସୁଥିଲେ। ପୂର୍ବତଟ ବିକାଶ ଠାରୁ ଆରମ୍ଭ କରି ସବୁ ବଡ ପ୍ରକଳ୍ପରେ ତାଙ୍କର ଯୋଗଦାନ ଥିଲା। ଏବେ କିନ୍ତୁ ଏକଥା ଆଉ ଦେଖାଯିବ ନାହିଁ।

ଏହି ମହଲର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସଙ୍କେତ ଦେଉଛନ୍ତି। ସେମାନଙ୍କର କହିବା କଥା ହେଉଛି, ଉଭୟ ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ହେଉଛନ୍ତି ଅଶ୍ବିନୀ। ଏଣୁ ସ୍ବାଭାବିକ ଭାବେ ବିଜେଡି ସହିତ ତାଙ୍କର ନିବିଡତା ପୂର୍ବରୁ ରହିଛି ଓ ଏହା ଆଗକୁ ଆହୁରି ନିବିଡ ହେବ। ମୁଖ୍ୟମନ୍ତ୍ରୀଙ୍କ ସରକାରରେ ସେ ଜିଲ୍ଲାପାଳ ଥିଲେ। ଅଧିକାଂଶ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ସହିତ ତାଙ୍କର ସଂପର୍କ ଅତ୍ୟନ୍ତ ବ୍ୟକ୍ତିଗତ। ପୂରା ମିଠା କଥା କହୁଥିବା ଅଶ୍ବିନୀ କଟକ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ଥିଲେ। ସେଠି ବି ତାଙ୍କର ପତିଆରା ଥିଲା। ଏହି ଦୁଇ ଜିଲ୍ଲାର ନେତାମାନେ ଏବେ ବି ରାଜ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ଏଣୁ ଏବେ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଜେଡି ନେତାଙ୍କୁ ବି ତାଙ୍କର ରାଜନୀତିରେ ସକ୍ରିୟତା ଆମୋଦିତ କରୁଛି।

ଅତି ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଶ୍ବିନୀ ଇତିମଧ୍ୟରେ ଓଡ଼ିଶା ବିଜେଡିର ବହୁତ ବରିଷ୍ଠ ନେତାଙ୍କ ସହିତ ଟେଲିଫୋନରେ କଥା ହୋଇସାରିଲେଣି। ଓଡ଼ିଶାର ରେଳ ବିକାଶରେ ଆଉ କଣ କଣ ହୋଇପାରିବ, ସେ ପରାମର୍ଶ ମାଗୁଛନ୍ତି। ଏହି ଘଟଣାଟି ବିଜେଡି ନେତାମାନଙ୍କୁ ବି ବେଶ୍ ସନ୍ତୁଷ୍ଟ କରିଛି। ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ସେମାନେ କେବେ ବି ପାଇନାହାନ୍ତି। ବରଂ ବେଳେ ବେଳେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ତାଙ୍କର ସହଯୋଗୀଙ୍କ ବ୍ୟବହାର ଅତିଷ୍ଠ କରିଛି। ଏକଥା ସାମ୍ବାଦିକମାନେ ଅନୁଭବ କରିଆସିଛନ୍ତି, ବିଜେପି ନେତା ବି।

ତୃତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବେ ଅତ୍ୟନ୍ତ ଅସୁଖୀ ଅଛନ୍ତି, କ୍ଷୁବ୍ଧ ବି। ତାଙ୍କ ନିକଟତମ ମହଲର କହିବା କଥା ହେଲା, କେନ୍ଦ୍ରରେ ତାଙ୍କୁ ମନ୍ତ୍ରୀ କରାଯିବା ସଂପର୍କରେ ସଙ୍କେତ ଦିଆଯାଇଥିଲା, କିନ୍ତୁ ଶେଷ ସମୟରେ ତାଙ୍କ ନାମ ବାଦ୍ ପଡିଗଲା। ଏଥିପାଇଁ ସମସ୍ତେ ଧର୍ମେନ୍ଦ୍ରଙ୍କୁ ହିଁ ଦାୟୀ କରୁଛନ୍ତି। ଗୋଟିଏ ପଟେ ଅପରାଜିତାଙ୍କ ବ୍ୟାଚ୍ ମେଟ୍ ହେଲେ ଅଶ୍ବିନୀ, ଏକଥା ସେ ଖୋଲି କହିଛନ୍ତି ଓ ଉଭୟଙ୍କର ବନ୍ଧୁତା ଏବଂ ନିବିଡତା ନେଇ ସେ ଯଥେଷ୍ଟ ସୁରାକ ଦେଇଛନ୍ତି। ଅନ୍ୟପଟରେ ବୈଜୟନ୍ତ କ୍ଷୁବ୍ଧ ହେବା ସଙ୍କେତ ଦେଉଛି ଯେ ରାଜ୍ୟ ବିଜେପିରେ ଗୋଟିଏ ନୂଆ ସମୀକରଣ ଲାଗି ରାସ୍ତା ଖୋଲିପାରେ। ନିକଟରେ ବିଜୟ ମହାପାତ୍ରଙ୍କ ସହିତ ବୈଜୟନ୍ତଙ୍କର ବୈଠକ ଏହି ଆଲୋଚନାର ଗୋଟିଏ ଖିଅ ବୋଲି କେତେକ ଚର୍ଚ୍ଚା କରୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଯଦିଓ ପେଟ୍ରୋଲିୟମ୍ ବିଭାଗ ଧର୍ମେନ୍ଦ୍ରଙ୍କ ହାତରୁ ଯାଇଛି, ଏହାଠାରୁ ଢେର୍ ଅଧିକ ପ୍ରଭାବୀ ଶିକ୍ଷା ବିଭାଗ ଏବେ ତାଙ୍କ ହାତରେ। ଓଡ଼ିଶାର ଘରେ ଘରେ ପହଞ୍ଚିବା ଲାଗି ଏହାଠାରୁ ଆଉ ବଡ଼ ଶକ୍ତି କିଛି ତାଙ୍କ ପାଖରେ ନାହିଁ। କିନ୍ତୁ ମନ୍ତ୍ରୀ ପଦ ହାତେଇବାର ୧୫ ଦିନ ପରେ ବି ସେ ଥରୁଟିଏ ଓଡ଼ିଶା ଆସିବା ଲାଗି ଚାହିଁନାହାନ୍ତି କି ରାଜ୍ୟର ଶିକ୍ଷା ବିକାଶ ସଂପର୍କରେ ସରକାରଙ୍କ ସହିତ ଆଲୋଚନା କରିବା ଦେଖାଯାଇନାହିଁ। ସେହିଭଳି ଦକ୍ଷତା ବିକାଶ ଭଳି ବିଭାଗ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ବ ରଖେ। ଲକ୍ଷ ଲକ୍ଷ ବେକାର ଯୁବକଙ୍କ ହାତକୁ କାମ ଦେବାର ଶକ୍ତି ଶ୍ରୀ ପ୍ରଧାନଙ୍କର ହାତରେ ରହିଛି। ହେଲେ କାହିଁକି କେଜାଣି ଏ ଦିଗରେ ବି ତାଙ୍କର ଉପସ୍ଥିତି ଏଯାଏ ଦେଖାଯାଇନାହିଁ। ଧର୍ମେନ୍ଦ୍ରଙ୍କ ଉଦାସୀନତା ଓ ବୈଷ୍ଣବଙ୍କ ସକ୍ରିୟତା ଗଣମାଧ୍ୟମ ପୃଷ୍ଠା ସଙ୍କେତ ଦେଉଛି।

Leave A Reply

Your email address will not be published.