ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡିକୁ ବେଶୀ ଅଡୁଆ, ବିରୋଧୀଙ୍କୁ ଟିକେ କମ୍…

0

ଭୁବନେଶ୍ବର: ପୁରୀ ପୌରାଧ୍ୟକ୍ଷ ଥିଲେ ଜୟନ୍ତ ଷଡଙ୍ଗୀ। ବିଜେଡିର ଏହି ନେତା ୨୦୧୯ ନିର୍ବାଚନରେ ଟିକେଟ୍ ଆଶା କରିଥିଲେ। ବିଜେଡି ଦେଲାନି, ବିଜେପି ଯାଇ ସେଠାରୁ ବିଧାନସଭାକୁ ଜିତିଗଲେ। ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବିଧାନସଭା ଦଖଲ ମଧ୍ୟ ସମାନ ପ୍ରକ୍ରିୟାରେ ହୋଇଥିଲା। କେବଳ ପୁରୀରେ ଏଭଳି ଘଟଣା ଘଟିଛି ତା ନୁହେଁ। ଏକଦା ଭୁବନେଶ୍ବର ମେୟର ଥିବା ଅନନ୍ତ ନାରାୟଣ ଜେନା ଏବେ ବିଧାୟକ। ରାଜ୍ୟରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନେ ବ୍ଲକ ଅଧ୍ୟକ୍ଷ ବା ପୌରାଧ୍ୟକ୍ଷ ପଦବି ଦେଇ ବିଧାନସଭାରେ ପଶିଛନ୍ତି।

ଏଣୁ ସ୍ବାଭାବିକ ଭାବେ, କାଳେ ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରିବେ, ଏଣୁ ଅନେକ ବିଧାୟକ ବା ବିଧାୟକ ଆଶାୟୀ ବ୍ଲକ ଅଧ୍ୟକ୍ଷ ଏବଂ ପୌରାଧ୍ୟକ୍ଷମାନଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥାନ୍ତି। ତାଙ୍କୁ ଯେଭଳି ସଂପୃକ୍ତ ନେତା ନ ଟପିଯାନ୍ତି, ସେଥିଲାଗି ଢେର୍ ଉଦ୍ୟମ କରିଥାନ୍ତି। ଯଦି ଦଳର ଶୀର୍ଷ ନେତୃତ୍ବ ସ୍ଥାନୀୟ ରାଜନୀତି ସଂପର୍କରେ ନ ଜାଣିପାରନ୍ତି ବା ଅବଗତ ନ ଥାନ୍ତି, ତେବେ ଏହି କାରଣରୁ ଅନେକ ଦକ୍ଷ ନେତୃତ୍ବର ଅପମୃତ୍ୟୁ ହୋଇଯାଏ।

ଏବେ କିନ୍ତୁ ରାଜ୍ୟ ରାଜନୀତିରେ ଆଗଧାଡିର ଅନେକ ନେତାଙ୍କର ହୃତସ୍ପନ୍ଦନ ବଢିଯାଇଛି। ରାଜ୍ୟ ସରକାର ପୌରାଧ୍ୟକ୍ଷ, ମେୟର ପଦ ଲାଗି ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପରଠାରୁ ଏବେ ସମସ୍ତେ ସଂଶୟରେ ପଡିଯାଇଛନ୍ତି। ସମାନ୍ତରାଳ ଭାବେ ପୌର ନିର୍ବାଚନ ରାଜନୀତିରେ ବିଭିନ୍ନ ସମୟରେ ଅଧ୍ୟକ୍ଷ ହେବା ପରେ ଯେଉଁମାନେ ବିଧାୟକମାନଙ୍କ ଚାପରେ କୋଣଠେସା ହୋଇଯାଇଥିଲେ, ସେମାନେ ମୁଖ୍ୟ ରାଜନୀତି ସ୍ରୋତକୁ ଚାଲିଆସିଲେଣି। ପୁରୀ ଠାରୁ କେନ୍ଦ୍ରାପଡା, ଭୁବନେଶ୍ବର ଠାରୁ ଅନୁଗୁଳ, ଢେଙ୍କାନାଳ, ଓଡ଼ିଶାର ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମ ଭାଗର ରାଜନୀତିକୁ ନିରେଖି ଦେଖିଲେ, ଏକଥା ଯେ କେହି ବୁଝିପାରିବ।

ରାଜଧାନୀକୁ ଏସବୁ ଆଶାୟୀ ନେତାମାନେ ମାଳ ମାଳ ହୋଇ ଆସୁଛନ୍ତି। ଦଳର ଶୀର୍ଷ ନେତାଙ୍କର ଶରଣ ନେଲେଣି। କେବଳ ସେତିକି ନୁହେଁ, ନିଜ ବିଧାୟକମାନଙ୍କର ଦୋଷ ତ୍ରୁଟି ସଂପର୍କରେ ମାଳେ ତାଲିକା ଶୀର୍ଷ ନେତୃତ୍ବ ପାଖରେ ଧରାଇ ଦେଇ ଯାଉଛନ୍ତି। ବିରୋଧୀ ରାଜନୈତିକ ଦଳ ସହିତ ମଧ୍ୟ ସଂପର୍କ ସ୍ଥାପନ କରୁଛନ୍ତି। ଯଦି ନିଜ ଦଳରୁ ସବୁଜ ସଙ୍କେତ ନ ମିଳେ, ତେବେ ଅନ୍ୟ ଦଳରୁ ସେମାନେ ନିର୍ବାଚନ ଲଢିବେ। ଏସବୁରୁ ଗୋଟିଏ କଥା ତ ଜଳ ଜଳ ହୋଇ ଦିଶୁଛି ଯେ ପୌର ନିର୍ବାଚନ ବେଳକୁ ତିରିଶଟି ଯାକ ଜିଲ୍ଲାର ରାଜନୀତି ସମୀକରଣ ବଦଳିଯାଇଥିବ। ଏହା ବିରୋଧୀଙ୍କ ଅପେକ୍ଷା ଶାସକ ଦଳ ପାଇଁ ଅଧିକ ଚିନ୍ତା ବଢାଇପାରେ।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ମଉକା ଦେଖି ଚୌକା ମାରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ସେମାନେ ବେଶୀ ଖୁସି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାଗସ୍ତରେ ଆସି ନେତାଙ୍କ ସ୍ବରରେ ସ୍ବର ମିଳାଇ ଦାବି କରିଛନ୍ତି ଯେ ପୌର ନିର୍ବାଚନ ଏବଂ ପଞ୍ଚାୟତ ଭୋଟ ଏକାସାଙ୍ଗରେ ହେଉ। ଏହି ପ୍ରସଙ୍ଗଟିକୁ ବିଜେପି ଜୋର ଦେଇ ଆଗକୁ ବଢିବାକୁ ନୂଆଦିଲ୍ଲୀରେ ଗତ ସପ୍ତାହରେ ହୋଇଥିବା ଗୋଟିଏ ବୈଠକରେ ସ୍ଥିର ହୋଇଛି। କୌଣସି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ଗୋଟିଏ ନିର୍ବାଚନ କରି ଆଗକୁ ବଢିବାକୁ ଦେବ ନାହିଁ, ବରଂ ଆନ୍ଦୋଳନକୁ ଓହ୍ଲାଇ ଘେରିବ ବୋଲି ବିଜେପି ସଂକଳ୍ପ ନେଇଛି।

ରାଜନୀତି ସମୀକ୍ଷକମାନେ ମଧ୍ୟ ବିଜେପିର ଚାଲକୁ ଅତ୍ୟନ୍ତ ସଙ୍ଗିନ୍ ବୋଲି ମତ ଦେଲେଣି। ପ୍ରଥମତଃ ସାଧାରଣରେ ଏହି ପ୍ରସଙ୍ଗଟି ଧରିବ। କାରଣ ପୂର୍ବରୁ ବକେୟା ପୌର ନିର୍ବାଚନ ନ କରି ସରକାର ଯେବେ ପଞ୍ଚାୟତ ନିର୍ବାଚନକୁ ଯିବେ, ସେବେ ଗୋଟିଏ ପ୍ରଶ୍ନ ତ ନିଶ୍ଚିତ ଭାବେ ଉଠିବ ଯେ କାହିଁକି ପୌର ନିର୍ବାଚନ ହେବ ନାହିଁ? ପୌର ନିର୍ବାଚନକୁ ସରକାର ଡରୁଛନ୍ତି କି? ଏଭଳି କିଛି ପ୍ରଶ୍ନ ବିଜେଡି ବିରୋଧରେ ଜନମତ ବଢାଇ ଦେବାରେ ଅସ୍ବାଭାବିକତା କିଛି ନାହିଁ। ଏହା ସାଧାରଣ ଲୋକ ବୁଝିପାରୁଥିବା ଭଳି ଗୋଟିଏ କଥା।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯଦି ପଞ୍ଚାୟତ ଓ ପୌର ନିର୍ବାଚନ ସମାନ୍ତରାଳ ଭାବେ ହୁଏ, ତେବେ ୬ଟି ପଦବି ପାଇଁ ଏକାସାଙ୍ଗରେ ଭୋଟ ହେବ। ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, କର୍ପୋରେଟର ବା କାଉନସିଲର ଏବଂ ପୌରାଧ୍ୟକ୍ଷ ବା ମେୟର। ଓ୍ବାର୍ଡ ମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ଦଳୀୟ ଟିକେଟରେ ଲଢିବେନି ସତ; ଏହା କିନ୍ତୁ ରାଜନୀତିର ମୁଳଦୁଆ। ଏଣୁ ନିର୍ବାଚନମଣ୍ଡଳୀ ରାଜନୀତି ପ୍ରତି ଆଗ୍ରହ ରଖୁଥିବା ଯେ କୌଣସି ବ୍ୟକ୍ତି ଏସବୁ ପଦବିକୁ ଗୌଣ ବୋଲି ମନେ କରିପାରିବ ନାହିଁ କିମ୍ବା ଅଣଦେଖା କରିପାରିବ ନାହିଁ। ସମାନ୍ତରାଳ ଭାବେ ଜିଲ୍ଲା ପରିଷଦ ଓ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାପ ମଧ୍ୟ ନେତାଙ୍କ ଉପରେ ରହିବ। ଠିକ୍ ସେହି ସମୟରେ ପୌର ନିର୍ବାଚନ ହେଲେ, ପଞ୍ଚାୟତିରାଜ ଓ ନଗର ରାଜନୀତି ମଧ୍ୟରେ ସମୀକରଣ ରଖିବା ଆଦୌ ସହଜ ନୁହେଁ। ସମ୍ଭବତଃ, ବିଜେଡିର ଅନ୍ତଃକନ୍ଦଳକୁ ଦେଖି ବିଜେପି ଏଯେଉଁ ସୂତ୍ର କାଢିଛି, ତାହା କିଛି ପରିମାଣରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ।

ତୃତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୌରାଧ୍ୟକ୍ଷ ବା ମେୟର ପଦବି ପାଇଁ ଯାହାକୁ ରାଜନୈତିକ ଦଳମାନେ ରୋକିବେ, ସେମାନେ ବିଦ୍ରୋହୀ ଭାବେ ଉଭା ହେବେ ଓ ଯେତେ ପ୍ରତିଶ୍ରୁତି ଦେଲେ ବି ଓଲଟା କାମ କରିବା ଲାଗି ଆଦୌ କାର୍ପଣ୍ୟ ଦେଖାଇବେ ନାହିଁ। କାରଣ ତୃଣମୂଳସ୍ତରର ରାଜନୀତିରୁ ଯଦି କେହି ଦୂରେଇ ଯାଏ, ତେବେ ଶୀର୍ଷସ୍ତରର ନେତାଙ୍କ ଯେତେ ଆଶୀର୍ବାଦ ରହିଲେ ବି ନିର୍ବାଚନ ଜିତିବା କଷ୍ଟକର ବ୍ୟାପାର। ଅର୍ଥାତ୍ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ ବା ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ସବୁଦଳକୁ ଅଳ୍ପବହୁତେ ପ୍ରଭାବିତ କରିବ, ଶାସକ ଦଳକୁ ଟିକେ ବେଶୀ।

କିଛି ବରିଷ୍ଠ ନେତାଙ୍କର କହିବା କଥା ହେଉଛି, ଅତୀତରେ ଦୁଇଥର ପୌରାଧ୍ୟକ୍ଷ ପଦବି ଲାଗି ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ଦେଖି ନେତୃତ୍ବ ସେଥିରୁ ଓହରିଯାଇଥିଲେ। ଏବେ ରାଜ୍ୟ ସରକାର ପଞ୍ଚମ ପାଳିରେ ଯେଉଁ ଫର୍ମୁଲା କାଢି ଆଗକୁ ବଢିଛନ୍ତି, ତାହା କିଭଳି ପ୍ରଭାବ ରଖିବ, ତାହା ଦେଖିବା କଥା।

Leave A Reply

Your email address will not be published.