- ଏସସିବିରେ ୯ଟି ଏକ୍ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
- ପୂର୍ବ ଭାରତର ସବୁଠାରୁ ବଡ ଏକ୍ମୋ ୟୁନିଟ୍ ହେଲା ଏସ୍ସିବି
- ଚିକିତ୍ସା ପାଇଁ ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ
- ସଂପୂର୍ଣ୍ଣ ମାଗଣା ଚିକିତ୍ସା ଦେବାରେ ଦେଶରେ ପ୍ରଥମ ଓ ସର୍ବବୃହତ
ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ଗୋଟିଏ ପରେ ଗୋଟିଏ ମାଇଲ୍ ଷ୍ଟୋନ୍ ଅତିକ୍ରମ କରିବା ଆରମ୍ଭ କରିଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍ମୋ ମେସିନ ଗୁଡିକୁ ବୁଲି ଦେଖିଥିଲେ।
ସରକାରୀ ତଥ୍ୟ ଅନୁସାରେ, ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍ମୋ ୟୁନିଟ୍ଏ। ଆଜି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଏକ ବଡ ଘୋଷଣା କରିଛନ୍ତି ଯେ ଏକ୍ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ପାଇଁ ରୋଗୀଙ୍କୁ ପଇସା ଦେବାକୁ ପଡିବ ନାହିଁ। ବିନା ଖର୍ଚ୍ଚରେ ଏହି ଚିକିତ୍ସା ଯୋଗାଇବାରେ ସମଗ୍ର ଦେଶରେ ସରକାରୀ ସ୍ତରରେ ଓଡ଼ିଶା ପ୍ରଥମ ଓ ସର୍ବବୃହତ। ଏଥିପାଇଁ ଅଭିଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି।
କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କରୋନାର ଦ୍ବିତୀୟ ଲହରୀରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ପାଇଁ ଏକ୍ମୋ ମେସିନ୍ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ ।
ଦ୍ବିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ କରୋନାର ଦ୍ବିତୀୟ ଲହର ସାରା ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁ ଓଡିଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ । ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ଦରକାର।
ସୂଚନାଯୋଗ୍ୟ ଯେ ଘରୋଇ ଡାକ୍ତରଖାନାରେ ଏକ୍ମୋ ଚିକିତ୍ସା ପାଇଁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ ।ସ୍ଥଳ ବିଶେଷ ରେ ଏହା ଆହୁରି ବୃଦ୍ଧି ପାଇଥାଏ ।ତେଣୁ ସରକାରୀ ସ୍ତରରେ ଏହି ଉନ୍ନତ ଚିକିତ୍ସା ସୁବିଧା ଗରିବ ତଥା ମଧ୍ୟ ବିତ୍ତ ଲୋକଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ଵୋଲି ଆଶା କରାଯାଏ ।
କଟକରୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ବର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଧାୟକଗଣ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।