ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ବଦନାମ କରୁଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ!

0

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସେପଟେ କିନ୍ତୁ ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପୁଣି ବିବାଦରେ ଫସିଗଲେଣି। ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଶ୍ରୀ ଜେନାଙ୍କ ଅଡୁଆ ବଢିଛି। ଚାର୍ଜସିଟ୍ ବେଳେ ତାଙ୍କ ନାମକୁ ପୁଲିସ ବାଦ୍ ଦେବା ଘଟଣାକୁ ଅଦାଲତ ବି ଗ୍ରହଣ କରିପାରିନାହାନ୍ତି। ଏହି ମାମଲାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମଏଫ୍‌ସି ଅଦାଲତରେ ରୁଜୁ କରିଥିବା ମାମଲାର ରାୟ ଶୁଣାଇ କୋର୍ଟ କହିଛନ୍ତି ଯେ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସାନି ତଦନ୍ତ ହେବ। ମାହାଙ୍ଗା ଥାନା ଆଇଆଇସି ଏହାର ତଦନ୍ତ କରିବେ। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି, ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି।

ଏହି ଘଟଣାଟି ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବା ସ୍ବାଭାବିକ। କାରଣ ଖୋଦ୍ ଆଇନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ଅତି ସାଧାରଣ ନୁହେଁ। ମର୍ଯ୍ଯାଦା ଦୃଷ୍ଟିରୁ, ମନ୍ତ୍ରୀ ନିଜ ଆଡୁ ପଦ ଛାଡିଦେବା କଥା। ଏହା ତାଙ୍କର ଗରିମା ବଢାଇବ, ସରକାରଙ୍କର ବି। ଅନ୍ୟଥା ଶ୍ରୀ ଜେନା ମନ୍ତ୍ରୀ ଥିବା ବେଳେ ପୁଲିସ ଯେ ନିରପେକ୍ଷ ତଦନ୍ତ କରିପାରିବ ନାହିଁ, ଏକଥା କାହାକୁ ବୁଝାଇବାକୁ ପଡିବ ନାହିଁ ବା ବୁଝାଇଲେ କେହି ଗ୍ରହଣ କରିବେ ନାହିଁ। ଅତି ସମ୍ବେଦନଶୀଳ ଏହି ପ୍ରସଙ୍ଗଟି ସରକାରଙ୍କ ତଣ୍ଟିରେ ସବୁବେଳେ କଣ୍ଟା ହୋଇ ଲାଗି ରହିବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ଥରେ ଯେତେବେଳେ ମାମଲା ଉପରେ କୋର୍ଟ ପ୍ରଶ୍ନ ଉଠାଇ ସାରିଲେଣି, ଏବେ ମନ୍ତ୍ରୀ ନିଜ ପଦ ନ ଛାଡିଲେ, ସରକାରଙ୍କ ପାଇଁ ଅଡୁଆ ବଢିବ। ବିଶେଷକରି ପୁଲିସ ବିଭାଗଟି ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାରୁ ମନ୍ତ୍ରୀ ପ୍ରସଙ୍ଗଟିକୁ ଅଧିକ ଚର୍ଚ୍ଚାକୁ ନ ଆଣି ନିଜ ପଦରୁ ଓହରିଯିବା ନିରାପଦ ପଦକ୍ଷେପ ବୋଲି କୁହାଯାଇପାରିବ। ଅନ୍ୟଥା ସଂଖ୍ୟାର ବଳରେ ସରକାର ପ୍ରସଙ୍ଗଟିକୁ ମାଡି ମକଚି ଦେବାକୁ ଚେଷ୍ଟା କଲେ ଏହା ଦବି ଯାଇପାରେ। କିନ୍ତୁ ଲୋକଙ୍କ ମଧ୍ୟରେ ସନ୍ଦେହ ଦ୍ବିଗୂୁଣିତ ହେବ ଓ ବିରୋଧୀ ହଲ୍ଲାବୋଲ କଲେ ଅଯଥାରେ ସରକାର ବଦନାମ ହୋଇପାରନ୍ତି। ଏମିତିରେ ଆସନ୍ତା ୧ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି।

କେବଳ ମନ୍ତ୍ରୀ ଶ୍ରୀ ଜେନାଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତା ନୁହେଁ, କଟକ ଜିଲ୍ଲାର ଅନ୍ୟତମ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବି ବିବାଦ ଭିତରେ ଆଉଟୁ ପାଉଟୁ ହେଉଛନ୍ତି। ଗୁରୁ଼ଡିଝାଟିଆ ପ୍ରାଥମିକ ସେବା ସମବାୟ ସମିତି କେଳେଙ୍କାରୀ କାର୍ଯ୍ୟାନୁଷ୍ଠାନ ପରଠାରୁ ସମବାୟ ବିଭାଗ କାରନାମା ଦାଣ୍ଡରେ ପଡି ହାଟରେ ଗଡୁଛି। ନିଜ ନିର୍ବାଚନମଣ୍ଡଳୀ ଭିତରେ ଯଦି ସମବାୟ ବିଭାଗ ସୁରକ୍ଷିତ ନୁହେଁ, ମନ୍ତ୍ରୀ ନିଜ ଅଞ୍ଚଳକୁ ନଜର ଦେଇପାରୁନାହାନ୍ତି ସମୁଦାୟ ଓଡ଼ିଶା ତାଙ୍କ ହାତରେ କେତେ ନିରାପଦ? ଦୁର୍ନୀତିର ଛାଇ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ରାଜାଙ୍କ ସଂପର୍କରେ କି ଆଭିମୁଖ୍ୟ ନେବେ?

ରାଜ୍ୟ ସରକାରଙ୍କ ଅନ୍ୟତମ ବରିଷ୍ଠ ମନ୍ତ୍ରୀ ତଥା ଜଙ୍ଗଲ ଏବଂ ପରିବେଶ ବିଭାଗ ଦାୟିତ୍ବରେ ଥିବା ବିକ୍ରମ କେଶରୀ ଆରୁଖ ବି ବିବାଦରେ ଉର୍ଧ୍ବରେ ନାହାନ୍ତି। ଆଇଏଫ୍‌ଏସ୍ ଅଭୟ ପାଠକ ମାମଲା କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ସରକାରଙ୍କ ଏହି ବିଭାଗର ସ୍ବାସ୍ଥ୍ୟ ଠିକ୍ ନାହିଁ। ଠିକ୍ ଏମିତି ସମୟରେ ଏବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାତିଅଧିଆ ବଦଳି ପ୍ରସଙ୍ଗ ତାଙ୍କ ଅଡୁଆ ବଢାଇ ଦେଇଛି। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ତୁହାକୁ ତୁହା ଖବର ପ୍ରକାଶ ପାଇଥିଲେ ବି ସରକାରୀସ୍ତରରୁ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହା ହିଁ ମନ୍ତ୍ରୀଙ୍କ ପ୍ରତି ସାଧାରଣରେ ବଢିଥିବା ସନ୍ଦେହକୁ ବହୁଗୁଣିତ କରିଦେଇଛି।

ରାଜନୈତିକ ମହଲର କହିବା କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଗୋଟିଏ ଘଟଣା ବିସ୍ମିତ କରିବା ଭଳି। ସବୁଠି ଚର୍ଚ୍ଚା ହେଉଛି ଯେ ମନ୍ତ୍ରୀମାନେ ଅସହାୟ। ସରକାରରେ ସେମାନଙ୍କର କୌଣସି ଭୂମିକା ନାହିଁ। ସବୁ ଅଫିସରମାନେ କରୁଛନ୍ତି। ତାଙ୍କର କୌଣସି ଗୁରୁତ୍ବ ନାହିଁ ବା ତାଙ୍କ କଥା କେହି ରଖୁନାହାନ୍ତି। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ସେହି ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ କାରାନାମା କେଉଁଠି ନା କେଉଁଠି ଜଣାଇ ଦେଉଛି, ସବୁ ଅଭିଯୋଗ ଠିକ୍ ନୁହେଁ। ଜଣେ ପରେ ଜଣେ ମନ୍ତ୍ରୀ ଯେଭଳି ବ୍ୟକ୍ତିଗତ କେଳେଙ୍କାରୀରେ ଛନ୍ଦି ହୋଇଯାଉଛନ୍ତି, ତାହା ସଙ୍କେତ ଦେଉଛି; ସେମାନେ ଜନସ୍ବାର୍ଥ କଥା ଉଠିବା ବେଳେ ସବୁକିଛି ଅଫିସରଙ୍କ ଉପରେ ଛାଡି ଦେଉଛନ୍ତି। ଅସଲ କଥା ହେଲା, ସେମାନେ ନିଜେ ନିଜ ପାଇଁ ବେଶୀ ବ୍ୟସ୍ତ ଅଛନ୍ତି।

ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ କାରନାମା ବିଜେଡିକୁ ଅଡୁଆରେ ପକାଇ ଦେଇଛି। ପଶ୍ଚିମ ଓଡ଼ିଶାରେ ଦଳର ଚେହେରାକୁ ନବ ଏମିତିସ୍ତରକୁ ନେଇଗଲେଣି ଯେ ସେଠାରେ ନବୀନଙ୍କ ପଟ୍ଟନାୟକଙ୍କ ଭାବମୂର୍ତି ବି ଧୀରେ ଧୀରେ ନିଷ୍ପ୍ରଭ ହେବାରେ ଲାଗିଛି। କେତେବେଳେ ପୁଅକୁ ନେଇ ଆଉ କେତେବେଳେ ନିଜର ଝିଅ ପାଇଁ ନବ ନିଜେ ବଦନାମ ତ ହେଉଛନ୍ତି, ତା ଠାରୁ ଅଧିକ ବଦନାମ କରୁଛନ୍ତି ଦଳକୁ।

ସରକାରର ଏହି ତିନିଜଣ ମନ୍ତ୍ରୀ ନୁହେଁ, ଅଧାରୁ ଅଧିକ ମନ୍ତ୍ରୀ ନିଜ ବିଭାଗର ସମୀକ୍ଷାଟିଏ କରି ସ୍ଥିତି ଜାଣିବା ପାଇଁ ମଧ୍ୟ ଆଗ୍ରହ ରଖୁନାହାନ୍ତି। ସରକାରଙ୍କର ପାରଦର୍ଶିତାରେ ଏମାନଙ୍କର ଅବଦାନ ନାହିଁ। ପ୍ରଶାସନିକ କ୍ରିୟାଶୀଳତା ସତ୍ତ୍ବେ ଏହା ସରକାରରେ ସ୍ଥାଣୁତା ବଢାଇ ଦେଉଛି।

ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ, ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ରୋକ୍ ଲଗାଇଛନ୍ତି। ୨୦୧୭ରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନିର୍ବାଚନ ପରେ କରାଯାଇଥିଲା। ଏହି ଫର୍ମୁଲା ଏଥର ବି ସରକାର ଲାଗୁ କରିବେ। ତଫାତ୍ ହେଲା, ସେବେ ବିଜେପି ପ୍ରତିକ୍ରିୟାଶୀଳ ଥିଲା। ଏବେ ସମସ୍ତେ ନିରବ ଅଛନ୍ତି। ଏଣୁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ପୁଟ ଲାଗି ଏହାକୁ ଅଧିକ ରଙ୍ଗିନ୍ କରାଯାଉଥିବା ନେଇ ସରକାରୀ ଦଳ ସବୁ ପ୍ରସଙ୍ଗରେ ଯେଉଁ ଅଭିଯୋଗ କରିବା ଲାଗି ସୁଯୋଗ ଜୁଟୁଥିଲା, ତାହା ଏଥର ନାହିଁ। ଏଣୁ ଯେ କୌଣସି ପ୍ରସଙ୍ଗ ସରକାର ବିରୋଧରେ ଗୋଟିଏ ଅନ୍ତଃସ୍ବର ତିଆରି ଲାଗି ଖୋରାକ ଜୁଟାଉଛି।

Leave A Reply

Your email address will not be published.