ଭୁବନେଶ୍ବର: ହଠାତ୍ ଓଡ଼ିଶା ସାହିତ୍ୟ ଏକାଡେମୀ ଦୈନିକ ଓଡ଼ିଆ ଖବରକାଗଜରେ ଗୋଟିଏ ବିଜ୍ଞାପନ ଦେଇଛନ୍ତି। ଏକାଡେମୀ ପକ୍ଷରୁ ସଭାପତି ଏବଂ ସଚିବ କହିଛନ୍ତି ଯେ ଦୋକାନ, ବଜାର ଅବା ଦପ୍ତର, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ, ଓଡ଼ିଆ ଭାଷାଟି ମାଆ ତୁମର। ଏକାଡେମୀର ସଚିବ ପ୍ରବୋଧ ରାଉତ କହିଛନ୍ତି, ଓଡ଼ିଆ ଭାଷାର ବିକାଶ ପାଇଁ ଏହା ଗୋଟିଏ ଉଦ୍ୟମ। ଏକାଡେମୀ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ପୂରା ବର୍ଷକ ପାଇଁ ଗୋଟିଏ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି। ସେ ଅନୁସାରେ ପଦକ୍ଷେପ ନିଆଯିବ।
ଏକାଡେମି ପକ୍ଷରୁ ହୋଇଥିବା ଏହି ଉଦ୍ୟମକୁ ନାପସନ୍ଦ କରାଯାଇନପାରେ। ପୂର୍ବରୁ ସାମାନ୍ୟ ଉଦ୍ୟମ ହେଉନଥିଲା, ଏବେ ଟିକେ ହୋଇଛି। ହେଲେ ଯେଉଁ ଢଙ୍ଗରେ ଏହି ଲେଖାଟି ଆସିଛି, ଯେଉଁ ଶବ୍ଦ ବ୍ୟବହାର ହୋଇଛି ସେଥିରେ ଏକାଡେମିର ବାବୁ ଓ ସାହିତ୍ୟିକମାନଙ୍କର ନିଷ୍ଠା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ।
ପ୍ରଥମତଃ ଏହି ବିଜ୍ଞାପନର ଲେଖାଶୈଳୀ ଯେ କୌଣସି ବ୍ୟକ୍ତିକୁ ବିସ୍ମିତ କରିବ। ଦ୍ବିତୀୟତଃ ଏଥିରେ ଯେଉଁ ବଜାର ବା ଦପ୍ତର ଶବ୍ଦ ବ୍ୟବହାର ହୋଇଛି, ତାହା ବି ଓଡ଼ିଆ ନୁହେଁ। ଓଡ଼ିଆରେ କ୍ରୟ ବିକ୍ରିୟ ସ୍ଥାନ, ବିପଣୀ, ହାଟ, ଦୋକାନ ସମୂହ ଭଳି ଅନେକ ଶଦ୍ଦ ରହିଛି। ଏସବୁ ଶଦ୍ଦକୁ ମାରିଦେଇ ଗୋଟିଏ ବିଦେଶୀ ଶବ୍ଦ କୁ କିଛି ଅଭିଧାନ ଆବୋରି ନେଇଛନ୍ତି। ଏକାଡେମୀ ବି ସେହି ରାସ୍ତାରେ ଯିବ? ଯଦିଓ ଆଜିକାଲି ଆମେ ଅତି ସହଜରେ ଏସବୁକୁ ବ୍ୟବହାର କରି ନେଲେଣି, ତଥାପି ଓଡ଼ିଆ ଭାଷା ବ୍ୟବହାର କରିବା ଲାଗି ପରାମର୍ଶ ଦେବା ବେଳେ ଏମିତି ଲେଖିବା କଥାକୁ ବୁଦ୍ଧିଜୀବୀ ଗ୍ରହଣ କରିପାରୁନାହାନ୍ତି। ଏକାଡେମୀ ଯେଉଁ ବିଜ୍ଞାପନରେ ଓଡ଼ିଆ ଶବ୍ଦ ବ୍ୟବହାର କରିବା ଲାଗି ପରାମର୍ଶ ଦେଉଛି, ତାହାର ସ୍ଥିତି ଯଦି ଏୟା…ତେବେ….।
ତୃତୀୟତଃ, ଏହାକୁ କାର୍ଯ୍ୟକାରୀ କରିବା ଲାଗି ଏକାଡେମୀ ବିଜ୍ଞାପନ ପ୍ରକାଶ କରିବାର କୌଣସି ଆବଶ୍ୟକତା ଅଛି କି? ସାଧାରଣ ଲୋକଙ୍କୁ ପରେ ପରାମର୍ଶ ଦେବ। ଆଗ ପ୍ରଶାସନକୁ ଓଡ଼ିଆ ଭାଷା ବ୍ୟବହାର କରିବା ଲାଗି ଏକାଡେମୀ ବାଧ୍ୟ କରୁ। ସେମାନେ ଇଂରାଜି ଶଦ୍ଦର କିଭଳି ଓଡ଼ିଆ ବ୍ୟବହାର କରିବେ ତାହା ସେମାନଙ୍କୁ ଜଣାଇବା ଦରକାର।
ଏବେ ବି ସରକାରଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଅଧିକାଂଶ ବିଜ୍ଞାପନ ଇଂରାଜି ଭାଷାରେ ଆସୁଛି। ସରକାରଙ୍କ ଇ-ଡେସପାଚରେ ଶହ ଶହ ଚିଠି ଇଂରାଜିରେ ଲେଖାଯାଇଛି। ଓଡ଼ିଆ ଭାଷାରେ ନ ଲେଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କୁହାଯାଇଥିଲା। କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି? ସରକାରଙ୍କ ବିଭିନ୍ନ ବିଭାଗ ତାଙ୍କର ଓଡିଆ ୱେବସାଇଟ୍ କଲେଣି? ଯେତେବେଳେ ସରକାରଙ୍କ ଆଭିମୁଖ୍ୟରେ କଠୋରତା ନାହିଁ, ସେବେ ଏକାଡେମୀର ଏ ଉଦ୍ୟମକୁ କିଏ କାହିଁକି ଗ୍ରହଣ କରିବ?
ଅବଶ୍ୟ ଏଥିଲାଗି କାହାକୁ ଦୋଷ ଦେବା ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଏହାର କାରଣ ହେଲା, ଶୁଦ୍ଧ ଓଡ଼ିଆ ଭାଷାରେ ଟେଣ୍ଡରର ସ୍ବରୂପ ନିର୍ଣ୍ଣୟ ହୋଇନାହିଁ। ଚିଠି ବି। ବଡ ବଡ ସାହିତ୍ୟକମାନେ ଯେଉଁ ପ୍ରଶାସନିକ ଶବ୍ଦ କୋଷ ପ୍ରସ୍ତୁତ କରିଛନ୍ତି, ତାହା ଆଲମାରୀ ଭିତରେ ରହିଛି। କୌଣସି ପ୍ରଶାସକଙ୍କ ଟେବୁଲ ଉପରେ ଏହାକୁ ଦେଖିବାକୁ ମିଳେ ନାହିଁ। କେବଳ ସେତିକି ନୁହେଁ, ଏହା ବି ପୂର୍ଣ୍ଣାଙ୍ଗ ନୁହେଁ। ବିମାନବନ୍ଦରରେ ଲେଖାଯାଇଥିବା ଓଡ଼ିଆ ଭାଷା ତ ଯେ କୌଣସି ବ୍ୟକ୍ତିଙ୍କୁ ବହେ ହସାଇ ଦେବ। ଏଣୁ ଭୁଲ୍ ଭାଲ୍ ଓଡ଼ିଆ ଲେଖି ରାଜ୍ୟର ଅସ୍ମିତାକୁ କୁଠାରଘାତ କରିବା କାହିଁକି? ଏକାଡେମୀ ସହିତ ଯୋଡି ହୋଇଥିବା ରାଜ୍ୟର ବିଶିଷ୍ଟ ସାହିତ୍ୟିକ ଗଣ ଗୋଟିଏ ମଡେଲ୍ ତିଆରି କରି, ତା ପରେ ପରାମର୍ଶଦେଲେ ଭଲ ଲାଗିବ। ସେମାନଙ୍କର କାମ କଣ କେବଳ ପୁରସ୍କାର ବାଣ୍ଟିବା,କିଛି ବହି ଲେଖିଦେବା କି? ଓଡ଼ିଆ ଭାଷାର ବିକାଶ ପାଇଁ ପଞ୍ଚାୟତସ୍ତରରୁ କାମ କରାଯିବାର ଆବଶ୍ୟକତା ଅଛି। ଏଥିଲାଗି କିଛି ଅର୍ଥ ମଧ୍ୟ ଦରକାର। ଏସବୁ ତ ଏକାଡେମି ହାତରେ ନାହିଁ। ଏମିତି ମିଛଟାରେ କୁମ୍ଭୀରକାନ୍ଦଣାର କୌଣସି ମାନେ ନାହିଁ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ କିଛି ସାହିତ୍ୟିକ ଲେଖୁଥିବା ବହିରେ ମାଳ ମାଳ ଇଂରାଜି ଶଦ୍ଦ ବ୍ୟବହାର ହୋଇଥିବା ଦେଖିବାକୁ ମିଳୁଛି। କାହିଁକି ଏମିତି ହୁଏ? ଓଡ଼ିଆ ଭାଷାରେ ସେସବୁ ବୁଝାଇବା ପାଇଁ ଶଦ୍ଦ ନାହିଁ, ନା ଆମ ସାହିତ୍ୟିକମାନଙ୍କ ଭିତରେ ଭାଷାକୁ ନେଇ କାର୍ପଣ୍ୟତା ରହିଛି? ଅନେକ ଓଡ଼ିଆ ଶଦ୍ଦକୁ ସାହିତ୍ୟିକମାନେ ମାରିଦେଉନାହାନ୍ତି କି?
ଓଡ଼ିଶା ସାହିତ୍ୟ ଏକାଡେମୀ ଏ ଦିଗରେ କି କାର୍ଯ୍ୟ କରିଛି? ପ୍ରଥମେ ସାହିତ୍ୟ ରଚନା କରୁଥିବା ସାହିତ୍ୟିକମାନଙ୍କୁ ଏକାଡେମି ଏକାଠି କରୁ। ସେମାନଙ୍କୁ ନେଇ ଏହାର ଜନ ଆନ୍ଦୋଳନ କରାଯାଇପାରିବ। ଏମିତି କିଛି ନ କରି ଗୋଟିଏ ବିଜ୍ଞାପନ ପ୍ରକାଶ କରିଦେଲେ, ହୋର୍ଡିଂ ମାରିଦେଲେ ଭାଷା ସୁରକ୍ଷା ହେଇଯିବ?
ଆହୁରି କୌତୂହଳ କଥା ହେଲା, ରାଜ୍ୟ ସରକାର ବିଭିନ୍ନ ସ୍କୁଲକୁ ଲକ୍ଷ ଲକ୍ଷ ଟଙ୍କାର ବହି ବାଣ୍ଟୁଛନ୍ତି। ସେ ମଧ୍ୟରେ କେତୋଟି ଅଭିଧାନ ରହିଛି? ଏ ଅଭିଧାନଗୁଡିକୁ କିଏ ସ୍ବୀକୃତି ଦେଇଛନ୍ତି? ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମଧ୍ୟରେ ଏ ସଂପର୍କରେ ଥରୁଟିଏ କେବେ ବୈଠକ ବସିଛି କି?
ଏସବୁ ପ୍ରଶ୍ନର ଉତ୍ତର କିଏ ଦେବ?