ଆଜି ସେପ୍ଟେମ୍ବର ୧୧ ତାରିଖ। ଠିକ୍ ୨୦ବର୍ଷ ତଳେ ଆମେରିକାରେ ଆଜିର ଦିନରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଏବଂ ପେଣ୍ଟାଗନ୍ ଉପରେ ଆକ୍ରମଣ ହୋଇଥିଲା। ଆଜି ଦିନରେ ଏହି ଘଟଣାଟି ଅଧିକ ଉଲ୍ଲେଖନୀୟ ଓ ଚର୍ଚ୍ଚାକୁ ଆସିବାର କାରଣ ହେଉଛି, ଇତିମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେଇଛି। ତାଲିବାନ ପୁଣି ଥରେ ଏହି ଭୂଖଣ୍ଡରେ ନିଜର ରାଜୁତି ଆରମ୍ଭ କରିଛି। ସବୁଠାରୁ ବଡ କଥା ହେଲା, ୫ମିଲିୟନ୍ ଡଲାର ମୁଣ୍ଡଜାମିନ୍ ରଖାଯାଇଥିବା ଦୁର୍ଦାନ୍ତ ଆତଙ୍କବାଦୀ ସିରାଜୁଦ୍ଦିନ୍ ହକ୍କାନି ତାଲିବାନ ସରକାରଙ୍କର ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି।
ଆମେରିକା ଉପରେ ହୋଇଥିବା ଏହି ଆକ୍ରମଣ ସମଗ୍ର ବିଶ୍ବର ଗୋଟିଏ କ୍ଷେତ୍ରରେ ମାନସିକତା ବଦଳାଇ ଦେଇଛି। ତାହା ହେଲା ଆତଙ୍କବାଦ ବିରୋଧରେ ସମସ୍ତେ ସତର୍କ ହୋଇଛନ୍ତି। ସ୍ବୟଂ ଆମେରିକାର ଆଭିମୁଖ୍ୟ ବଦଳିଛି। ଆତଙ୍କବାଦୀଙ୍କୁ ଭାରୀ ମୂଲ୍ୟ ଦେବାକୁ ପଡୁଛି। କିନ୍ତୁ ସ୍ଥିତି ବିଶେଷ ସୁଧୁରିନି, ବରଂ ଉତ୍କଟ ଆଡକୁ ଗତି କରୁଛି।
କେହି ଏକଥା ଭୁଲିନାହାନ୍ତି ଯେ ସେପ୍ଟେମ୍ବର ୧୧ ତାରିଖ ଆକ୍ରମଣ ପରେ ଆମେରିକା ରକ୍ତ ମୁଖା ହୋଇପଡିଥିଲା। ଆତଙ୍କବାଦ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା ଆମେରିକା। ୨୦୦୧ରେ ଆଫଗାନିସ୍ତାନ ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ପରବର୍ତ୍ତୀ ସମୟରେ ୨୦୦୩ରେ ଇରାକକୁ ବ୍ୟାପିଲା, ୨୦୦୬ରେ ଇସ୍ରାଏଲ୍-ହିଜବୁଲ ଯୁଦ୍ଧରେ ଲେବାନନ ବି କ୍ଷତିଗ୍ରସ୍ତ ହେଲା। ଲିବିୟା, ସିରିଆ ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହାର ପ୍ରଭାବ ପଡିଛି।
ସବୁଠାରୁ ବ଼ଡ କଥା ହେଲା, ଆମେରିକାରେ ଏହି ଆକ୍ରମଣ ବେଳେ ଜନ୍ମଲାଭ କରିଥିବା ଶିଶୁ, ଏବେ ୨୦ବର୍ଷର ଯୁବକ। ସେ ନିଜେ ଭିନ୍ନ ଏକ ଆମେରିକାକୁ ଅନୁଭବ କରୁଛି। ସେବେ ବିପର୍ଯ୍ୟୟକୁ ସାମ୍ନାରେ ଦେଖିଥିବା ଓ ଏହାର ପ୍ରଭାବକୁ ଅନୁଭବ କରିଥିବା ଏହି ଯୁବକ ଆଜି ଦେଖୁଛି ଯେ ଆତଙ୍କବାଦ କେତେ ଭୀଷଣ ରୂପରେ ସମଗ୍ର ବିଶ୍ବକୁ ଧୀରେ ଧୀରେ କବଳିତ କରିବା ଆରମ୍ଭ କରୁଛି। ଏକଦା ଯୁଦ୍ଧକୁ ଓହ୍ଲାଇଯାଇଥିବା ଆମେରିକା, ସ୍ବାର୍ଥ ପାଇଁ ତାର ନୀତିରେ ଅନେକ ପରିବର୍ତ୍ତନ ଆଣିଛି।
ଏହି ଯୁବକ ସାମ୍ନାରେ ଅନ୍ୟ ଏକ ଦୃଶ୍ୟ ବି ରହିଛି। ତାହା ହେଲା ଯେଉଁମାନେ ଆକ୍ରମଣ କରି ସେମାନଙ୍କ ପାଇଁ ଦିନେ ବିପର୍ଯ୍ୟୟ ଆଣିଥିଲେ, ସେମାନଙ୍କୁ ତାଙ୍କ ଦେଶ ଆଜି ପୁଣି ଥରେ କ୍ଷମତାକୁ ଫେରିବା ଲାଗି ବାଟ କଢେଇ ଦେଲା। କେବଳ ସେତିକି ନୁହେଁ, ଆଫଗାନିସ୍ତାନ ମାର୍ଗ ଦେଇ ଭାରତରେ ଏବେ ସେମାନେ ପଶିବାକୁ ଉପକ୍ରମ କରୁଛନ୍ତି। ପାକିସ୍ତାନର ହାତ ପ୍ରଚ୍ଛନ୍ନ ଭାବେ ରହିଛି। ଅଥଚ ଅତି କ୍ଷମତାଶାଳୀ ତାଙ୍କ ରାଷ୍ଟ୍ର ଉଦ୍ବିଗ୍ନ ନୁହେଁ।
ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେବା ଭଳି ଗୋଟିଏ ରାଜନୈତିକ ନିଷ୍ପତ୍ତି କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ଅନୁଶୀଳନର ସମୟ ଆସିଛି। ଏକଥା ହୁଏତ ଠିକ୍ ହୋଇପାରେ ଯେ ଆମେରିକାର ଜୀବନ, ଜୀବିକା, ଧନ ଓ ସ୍ବାସ୍ଥ୍ୟ ଭଳି ସଂପତ୍ତି ପ୍ରଭାବିତ ହୋଇଛି। କିନ୍ତୁ ଆତଙ୍କବାଦ ଭଳି ଏକ ବୃହତ୍ତର ପ୍ରସଙ୍ଗରେ ଏହାକୁ ଅଣଦେଖା କରାଯାଇପାରିଥାନ୍ତା। ଏତେ ବିଶାଳ ଅଭିଯାନ ପରେ ଆଜି ଦିନରେ ଯାହା ଆଫଗାନରେ ଘଟିଲା, ତାହା ସଙ୍କେତ ଦେଉଛି ଯେ ଆମେରିକା ଗୋଟିଏ ସୁନ୍ଦର ଚିତ୍ର ଆଙ୍କିବାରେ ବିଫଳ ହୋଇଛି।
ସେପ୍ଟେମ୍ବର ୧୧ ଆକ୍ରମଣ ପରବର୍ତ୍ତୀ ପରିସ୍ଥିତିରେ ଗୋଟିଏ ଆକଳନ ହୋଇଛି। ତାହା ହେଲା ପ୍ରାଥମିକ ଆକ୍ରମଣରେ ସେବେ ୬୬ହଜାର ଲୋକଙ୍କର ପ୍ରାଣହାନି ହୋଇଥିଲା। ୟେମେନରେ ଏହାର ସଂଖ୍ୟା ୯୦ ହଜାର ଥିଲା। ଶାସନ ପରିବର୍ତ୍ତନ ପାଇଁ ଇରାକରେ ହୋଇଥିବା ଯୁଦ୍ଧରେ ୩ଲକ୍ଷ ୮ ହଜାର ଲୋକ ପ୍ରାଣ ହରାଇଥିଲେ। ଏସବୁ କିନ୍ତୁ ଏବେ ନିଷ୍ପଳ ହୋଇଗଲା। ବୋଷ୍ଟନ ବିଶ୍ବବିଦ୍ୟାଳୟର ନେଟା ସି କ୍ରାଇଫୋଡ୍ କହିଛନ୍ତି ଯେ ସେପ୍ଟେମ୍ବର ୧୧ଯୁଦ୍ଧ ପରେ ସମୁଦାୟ ୭ଲକ୍ଷ ୭୦ ହଜାରରୁ ୮ ଲକ୍ଷ ୧ହଜାର ପର୍ଯ୍ୟନ୍ତ ବ୍ୟକ୍ତିଙ୍କର ଜୀବନ ଯାଇଛି।
ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଜୋସେଫ ଇ ଷ୍ଟିଗଲିଜ୍ ଏବଂ ହାର୍ଭାର୍ଡ ୟୁନିଭରସିଟି କେନେଡି ସ୍କୁଲର ଡାନିଏଲ୍ ପାଟ୍ରିକ୍ ମୋନିହାନ ସିନିୟର ଅଧ୍ୟାପକ ଲିଣ୍ଡା ଜେ ବିଲମସଙ୍କ ଏକ ପୁସ୍ତକରେ ହିସାବ କରାଯାଇଛି ଯେ ଇରାକ ଯୁଦ୍ଧରେ ଆମେରିକାକୁ ୩ ଟ୍ରିଲିୟନରୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡିଛି। ଏହି କାରଣରୁ ପୁସ୍ତକର ନାମ ଥ୍ରୀ ଟ୍ରିଲିୟନ ଡଲାର ଯୁଦ୍ଧ ହୋଇଛି। ହଜାର ହଜାର ଆହତ ଆମେରିକୀୟ ସୈନିକଙ୍କ ପାଇଁ ଚିକିତ୍ସା ସେବା ଜାରି ରଖିବା, ସେମାନଙ୍କର ଅକ୍ଷମତାର ମୂଲ୍ୟ ଏବଂ ସେହି ଯୁଦ୍ଧ ପାଇଁ ଋଣ ଖର୍ଚ୍ଚ ସହିତ ଚୂଡ଼ାନ୍ତ ମୂଲ୍ୟ ଅସୀମ ହେବ।
ଏକ ସ୍ୱତନ୍ତ୍ର ଅନୁସନ୍ଧାନରୁ ଜଣାପଡିଛି ଯେ ସେପ୍ଟେମ୍ବର ୧୧ ପରେ ଆମେରିକା ତାର ମାନସିକତାରେ ବିଶେଷ ପରିବର୍ତ୍ତନ କରିପାରିନାହିଁ। ଏବେ ବି ବିଦେଶୀ ଯୁଦ୍ଧକୁ ବନ୍ଦ କରିବା ରାଷ୍ଟ୍ରପତିମାନଙ୍କର ପ୍ରମୁଖ କାର୍ଯ୍ୟ ହୋଇଯାଇଛି। ଗତ ତିନିବର୍ଷ ମଧ୍ୟରେ ଆମେରିକାର ସାମରିକ କାର୍ଯ୍ୟକଳାପ ପ୍ରତ୍ୟକ୍ଷ ଯୁଦ୍ଧରେ, ଡ୍ରୋନ୍ ଆକ୍ରମଣ, ସୀମା ପାଟ୍ରୋଲିଂ, ଗୁପ୍ତଚର ସଂଗ୍ରହ କିମ୍ବା ଅନ୍ୟ ଦେଶର ସୁରକ୍ଷା ବାହିନୀକୁ ପ୍ରଶିକ୍ଷଣ ଦେବା” ୮୫ ଦେଶକୁ ବିସ୍ତାର କରି ରହିଛି।
ବରଂ ଏହା ହୋଇଛି ଯେ ଅଣ ସାମରିକ ବିପଦ ଏବେ ବଢିଯାଇଛି। ଜଳବାୟୁ ପରିବର୍ତ୍ତନ ଗୋଟିଏ ବଡ ପ୍ରସଙ୍ଗ ଭାବେ ଏହା ସହିତ ଯୋଡି ହୋଇଗଲାଣି। ସାଇବର ନିରାପତ୍ତା ଏଥିରେ ସାମିଲ ହୋଇଛି। ସମଗ୍ର ବିଶ୍ବକୁ ଏହି ପ୍ରସଙ୍ଗ ଆଜି ସବୁଠାରୁ ଅଧିକ ଖର୍ଚ୍ଚାନ୍ତ କରୁଛି।