ନୂଆଦିଲ୍ଲୀ: ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ରବିବାର ଅର୍ଥାତ୍ ଆଜି ବିଧାୟକ ଦଳ ବୈଠକ ବସିବ। କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହଲ୍ଲାଦ ଯୋଶୀ ଆଜି ଗୁଜରାଟରେ ପହଞ୍ଚି ଆଲୋଚନା ଆରମ୍ଭ କରିବେ। ଏହା ପୂର୍ବରୁ ବିଜେପି ସାଧାରଣ ସଂପାଦକ ବିଏଲ୍ ସନ୍ତୋଷ ଏବଂ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଘନ ଘନ ବୈଠକ ଜାରି ରଖିଛନ୍ତି। ସ୍ଥିତିରେ ଯଦି ବେଶୀ କିଛି ସମସ୍ୟା ଦେଖାଦେବ, ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଧାୟକ ଦଳ ବୈଠକରେ ଯୋଗ ଦେଇପାରନ୍ତି ବୋଲି ଗୁଜୁରାଟ ବିଜେପି ମୁଖପାତ୍ର ୟମଲ ଭାଇ କହିଛନ୍ତି। ତେବେ ପରବର୍ତ୍ତୀ ଗୁଜୁରାଟର ସିଏମ୍ ପାଇଁ ବିବେଚନା କରାଯିବାକୁ ଥିବା ନାମଗୁଡିକ ମଧ୍ୟରେ ପ୍ରଫୁଲ୍ଲ ପଟେଲ, ପଟ୍ଟିଦାରମାନଙ୍କ ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆଗରେ ଅଛନ୍ତି।
ଏଠାରେ ଉଲ୍ଲେଖଥାଉକି, ଶେଷ ଦୁଇମାସରେ ଗୁଜରାଟର ତିନି ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେଣି। ହେଲେ କାହିଁକି? ଏମିତି କଣ ପରିସ୍ଥିତି ହେଲା ଯେ ବିଜୟ ରୂପାନି ଶନିବାର ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ? ରାଜ୍ୟ ମତଦାନକୁ ଯିବାର ଏକ ବର୍ଷ ପୂର୍ବରୁ ଏହି ନିଷ୍ପତ୍ତି ପଛରେ କି ରହସ୍ୟ ରହିଛି?
ଶନିବାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଇସ୍ତଫା ଦାଖଲ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ରୂପାନି କହିଥିଲେ ଯେ ବିଜେପିରେ ଏହି ପରିବର୍ତ୍ତନ ସ୍ୱାଭାବିକ। ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ଦଳର ନେତୃତ୍ୱଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।ଆହୁରି କହିଥିଲେ, “ମୋତେ ପାଞ୍ଚ ବର୍ଷ ରାଜ୍ୟ ସେବା କରିବାକୁ ଅନୁମତି ଦିଆଯାଇଥିଲା। ମୁଁ ରାଜ୍ୟର ବିକାଶରେ ସହଯୋଗ କରିଛି। ମୋ ପାର୍ଟି ଯାହା କହିବ ମୁଁ ତାହା କରିବି।”ଭବିଷ୍ୟତରେ ଦଳ ମୋତେ ଯାହା ଦାୟିତ୍ୱ ଦେବ, ତାହା ନେବାକୁ ମୁଁ ପ୍ରସ୍ତୁତ ରହିବି ବୋଲି ମଧ୍ୟ ସେ କହିଥିଲେ।
ଏନଡିଟିଭି ରିପୋର୍ଟ ଅନୁଯାୟୀ, ରୂପାନିଙ୍କ କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇଛନ୍ତି। ଜୁଲାଇରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମାନସୁଖ ମାଣ୍ଡଭିଆ ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କୁ ନେଇ କେନ୍ଦ୍ରୀୟ ନେତୃତ୍ବ ଗଣିତ କରୁଛନ୍ତି। ସେମାନଙ୍କୁ ନେଇ ଦଳ କିଛି ପରିବର୍ତ୍ତନ କରିପାରେ। ହିନ୍ଦୁ ରିପୋର୍ଟ କହୁଛି, ବିଜେପି ସାଧାରଣ ସମ୍ପାଦକ ବି ଏଲ୍ ସନ୍ତୋଷ ଦଳୀୟ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ସହିତ ମନ୍ତ୍ରଣା କରିଛନ୍ତି। ରୂପାନିଙ୍କ ପ୍ରଶାସନରେ ଅନେକ ଅଭାବ ପରିଲକ୍ଷିତ ହୋଇଥିଲା। ଏଥିରେ ଦଳର ହାଇକମାଣ୍ଡ ସନ୍ତୁଷ୍ଟ ନ ଥିଲେ।
ରାଜନୈତିକ ମହଲର କହିବା କଥା ହେଉଛି, ଆସନ୍ତା ବର୍ଷ ଗୁଜୁରାଟ ମତଦାନକୁ ଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ନେତୃତ୍ୱର ପରିବର୍ତ୍ତନ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଉଭା ହୋଇଛି। ଅଗଷ୍ଟ ୨୦୧୬ରେ, ଗତ ବିଧାନସଭା ନିର୍ବାଚନର ଏକ ବର୍ଷ ପୂର୍ବରୁ, ଆନନ୍ଦିବେନ ପଟେଲଙ୍କୁ ବଦଳାଇ ଦଳ ରୁପାନିଙ୍କୁ ଆଣିଥିଲା। ପଟେଲ୍ ସଂପ୍ରଦାୟର କ୍ରୋଧକୁ ପ୍ରଶମିତ କରିବା ପାଇଁ ସେବେ ଖେଳାଯାଇଥିବା କାର୍ଡ ଯାକ ଅନେକାଂଶରେ କାମ ଦେଇଥିଲା। ବର୍ତ୍ତମାନ ଯେତେବେଳେ ରାଜ୍ୟରେ କୋଭିଡ୍ ମୃତ୍ୟୁ ଜନିତ ଅଦୃଶ୍ୟ ମୃତ୍ୟୁ ଘଟିଲା ଓ ମହାମାରୀକୁ ନେଇ ରୁପାନି ସମାନ କ୍ରୋଧର ସମ୍ମୁଖୀନ ହୋଇଥିଲେ, ତାଙ୍କୁ ହଟାଇବା ନିଷ୍ପତ୍ତି ପୁଣିଥରେ ବିଜେପି ନେଇ ଏଥିରେ ପୂର୍ଣ୍ଣଛେଦ ଟାଣିବାକୁ ଉଦ୍ୟମ କରିଥିବା କୁହାଯାଉଛି।
କିନ୍ତୁ ବାସ୍ତବ କଥା ହେଲା, ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପୂର୍ବରୁ ୧୩ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ପାଇପାରୁନି ରାଜ୍ୟ ବିଜେପି। ଯଦିଓ ମୋଦୀ ଓ ରୂପାନି ହେଉଛନ୍ତି, ମାତ୍ର ଦୁଇଜଣ ମୁଖ୍ୟମନ୍ତ୍ରୀ ଯିଏ କି ପାଞ୍ଚବର୍ଷ ଅତିକ୍ରମ କରିପାରିଲେ, ତଥାପି ରୂପାନିଙ୍କ କ୍ଷେତ୍ରରେ ଅନେକ ଅଭାବ ପାଇଛି ଦଳ।
ରୂପାନିଙ୍କ ପୂର୍ବରୁ ତିରଥ ସିଂ ରାୱତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ବି ୟେଦୁରପ୍ପା ମଧ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆସନରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ବଦଳି କରିବାର ଚାରି ମାସ ପରେ ତିରଥ ରାୱତଙ୍କ ଇସ୍ତଫା ଆସିଥିଲା। ଆସାମରେ ସରବନନ୍ଦ ସୋନୋୱାଲଙ୍କୁ ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ହିମାଂଶ ବିଶ୍ୱ ସାରମାଙ୍କ ସ୍ଥାନରେ ସ୍ଥାନୀତ କରାଯାଇଥିଲା। ମଣିପୁର ଏବଂ ତ୍ରିପୁରା ପରି ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟରେ ମଧ୍ୟ ପରିବର୍ତ୍ତନ ସପକ୍ଷରେ ଗୋଟିଏ ମତ ଆସିଲାଣି।