ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଜଳବାୟୁ ପରିବର୍ତ୍ତନର ସଙ୍କେତ ଆସୁଛି

0

ଭୁବନେଶ୍ବର: ବର୍ଷା ନଥିଲା। ମାଟି ଫାଟି ଆଁ କରିଥିଲା। ବର୍ଷା ର ଖୋଜା ପଡ଼ିଲା ସବୁଠି। ମାତ୍ର ଦୁଇ ତିନି ଦିନ ମଧ୍ୟରେ ସମୁଦାୟ ଚିତ୍ର ବଦଳିଗଲା ।

ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ସଠିକ୍ ସମୟରେ ଆସିଥିଲା। ଆଶା କରାଯାଉଥିଲା କି ଏଥର ଭଲ ବର୍ଷା ହେବ , ଚାଷ ବି ଭଲ ହେବ। କିନ୍ତୁ ଜୁଲାଇ, ଅଗଷ୍ଟ ମାସ ଯେଉଁ ସମୟରେ ବର୍ଷାର ନିହାତି ଆବଶ୍ୟକତା ରହିଛି ସେ ସମ ରେ ବର୍ଷା ହେଲା ନାହିଁ। ଅଗଷ୍ଟ ଶେଷ ସୁଦ୍ଧା ପ୍ରାୟ ୩୦% କମ୍ ବର୍ଷା ହୋଇଥିଲା। ମୌସୁମୀ ସକ୍ରିୟ ଥିବା ସମୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ହେଲେ ଓଡ଼ିଶାରେ ଭଲ ବର୍ଷା ହୋଇଥାଏ। ଯାହା ଦେଖାଯାଇଛି, ଜୁଲାଇ ଓ ଅଗଷ୍ଟ ମାସରେ ସମୁଦାୟ ପାଖାପାଖି ୭-୮ ଟି କ୍ଷେତ୍ର ସୃଷ୍ଟି ହୋଇଥାଏ। ଏଥର କିନ୍ତୁ ଲଘୁଚାପ ସଂଖ୍ୟା ହ୍ରାସ ପାଇଲା ଏବଂ ଯେଉଁ ଲଘୁଚାପ ଗୁଡ଼ିକ ସୃଷ୍ଟି ହେଲା ତାହା ସୀମିତ ଅଞ୍ଚଳରେ ବର୍ଷା କରାଇଲା ତେଣୁ ବର୍ଷା ଅଭାବରୁ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିଲା। ଉତ୍ତର, ଆଭ୍ୟନ୍ତର, ଉପକୂଳ ସବୁଠାରେ ଅଭାବୀ ବର୍ଷା ଚିନ୍ତାର କାରଣ ହେଲା। କେଉଁଠାରେ ମାଟି ଫାଟି ଆଁ କଲା ତ ପୁଣି କିଏ ପାଣି ବୋହି ଧାନ ଗଛକୁ ବଞ୍ଚେଇବା ପାଇଁ ଉଦ୍ୟମ କଲା। ବର୍ଷା ଋତୁରେ ଖରା ଓ ଗୁଳୁଗୁଳି ର ପ୍ରଭାବ ରହିଲା। ଆକାଶରେ ମେଘଖଣ୍ଡ ଥିଲା କିନ୍ତୁ ଆଶାନୁରୂପ ବର୍ଷା ହେଉ ନଥିଲା।

ଆସିଲା ସେପ୍ଟେମ୍ବର। ଅର୍ଥାତ୍ ମୌସୁମୀ ଋତୁର ଶେଷ ମାସ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା। ବର୍ଷା ହେଲା। ବହୁ ଦିନ ଧରି ଅପେକ୍ଷା କରିଥିବା ଶୁଖିଲା ମାଟି ବର୍ଷାରେ ଓଦା ହେଲା। ପୁଣି ୧୧ ସେପ୍ଟେମ୍ବରରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା। କ୍ରମାଗତ ଭାବରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ହୋଇ ଓଡ଼ିଶା ଉପକୂଳରେ ବର୍ଷାର ତାଣ୍ଡବ ରଚିଲା। ୭୨ ଘଣ୍ଟାର ଭୀଷଣ ବର୍ଷା ଯୋଗୁଁ ଚାରିଆଡେ ପାଣି ଆଉ ପାଣି ଭରିଗଲା। ବର୍ଷାର ପରିମାଣ ଏତେ ରହିଲା ଯେ, ବିଲ, ବାଡି ଠାରୁ ଆରମ୍ଭ କରି ରାସ୍ତାଘାଟ, ଗ୍ରାମ, ସହର ସବୁଆଡେ ପାଣି ଲହଡ଼ି ଭାଙ୍ଗିଲା।

ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗି ୪୮ ଘଣ୍ଟା ମଧ୍ୟ ରେ ପୁରୀ ଜିଲ୍ଲା ରେ ୩୬୦ ମିମି ବର୍ଷା ଜନଜୀବନ କୁ ପ୍ରଭାବିତ କରିଦେଲା। ସେହିପରି ରାଜଧାନୀ ଭୁବନେଶ୍ୱର, କଟକ, ଜଗତସିଂହପୁରରେ ମଧ୍ୟ ବର୍ଷାର ପ୍ରକୋପ ଖୁବ୍ ଅଧିକ ରହିଲା। ଚାଷ ପାଇଁ ଯେଉଁ ଭୂମି ବର୍ଷାର ସନ୍ଧାନରେ ଥିଲା; ମାତ୍ର ୪୮ ଘଣ୍ଟା ବର୍ଷା ମଧ୍ୟରେ ସେହି ଭୂମିରେ ଅତ୍ୟଧିକ ପାଣି ଜମି ରହି ଚିଲିକା ପରି ଦୃଶ୍ୟମାନ ହେଲା। ସବୁ ଧାନ ଗଛ ପାଣି ଭିତରେ ରହିଗଲା ଓ ଦୃଶ୍ୟମାନ ହେଲାନାହିଁ । ମାତ୍ର ଗୋଟିଏ ସପ୍ତାହରେ ବର୍ଷା ଯୋଗୁଁ ନିଅଣ୍ଟିଆ ବର୍ଷାର ପରିମାଣ ୧୫% କମିଗଲା।

ତେବେ ଏ ସବୁ ହେଉଛି ଜଳବାୟୁ ପରିବର୍ତ୍ତନର ସଙ୍କେତ। ଆଗାମୀ ଦିନ ମାନଙ୍କରେ ବି ଆମକୁ ଏମିତି ଆହୁରି ଅନେକ ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ପଡ଼ିବ। ବର୍ଷା ହେବନି ହେବନି; ଯେତେବେଳେ ହେବ ବୁଡ଼େଇଲା ଭଳି ବର୍ଷା। ସେହିପରି ବିଶ୍ଵ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ତାପମାତ୍ରା ବୃଦ୍ଧି ପାଇବ। ଯାହା ଫଳରେ ବାତ୍ୟାର ସଂଖ୍ୟା ଓ ତୀବ୍ରତା ମଧ୍ୟ ବୃଦ୍ଧି ପାଇବ। ସମୁଦ୍ର ର ଜଳସ୍ତର ବୃଦ୍ଧି ଯୋଗୁଁ ଆଗାମୀ ୧୦୦ ବର୍ଷ ମଧ୍ୟରେ ଉପକୂଳ ଅଞ୍ଚଳ ଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏସବୁରୁ ରକ୍ଷା ପାଇବା ପାଇଁ ଆମକୁ ଏବେଠାରୁ ସତର୍କ ହେବାକୁ ପଡିବ। ପ୍ରଚୁର ବୃକ୍ଷ ସୃଷ୍ଟି କରିବାକୁ ହେବ ଓ ଜଙ୍ଗଲକ୍ଷୟକୁ ରୋକିବାକୁ ହେବ। ପ୍ରକୃତିକୁ ଆମେ ଯେତେ ସୁରକ୍ଷିତ ରଖିବା ପ୍ରକୃତି ମଧ୍ୟ ଆମକୁ ସୁରକ୍ଷା ଦେବ। ଆଉ ପ୍ରକୃତି କୁ ଆମେ ବିଗାଡି ଦେଲେ ଆମ ଭବିଷ୍ୟତ ବିନାଶ ଆଡ଼କୁ ଗତି କରିବ।

ସାର୍ଥକ ମିଶ୍ର, ପାଣିପାଗ ଗବେଷକ, ନୂଆ ସୋମେଶ୍ବରପୁର, ସାକ୍ଷୀଗୋପାଳ, ପୁରୀ

Leave A Reply

Your email address will not be published.