ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ସୀମା ବିବାଦରେ ମୁଣ୍ତ ପୂରାଇଲେ ଧର୍ମେନ୍ଦ୍ର

0
  • କୋରାପୁଟ ଏବଂ ଗଜପତି ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ
  • କୋରାପୁଟ ଓ ଗଜପତି ଲୋକଙ୍କ ଦୁର୍ଦ୍ଦଶା ଏବଂ ଚିନ୍ତାକୁ ନେଇ ଓଡ଼ିଆ ଭାବେ ମୁଁ ଦୁଃଖିତ
  • ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ୍ କରାନଯାଉ
  • ରାଜ୍ୟର କଲ୍ୟାଣ ପାଇଁ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋସ ସମାଧାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିସନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ମୋଟ ୪ଟି ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋରାପୁଟ ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତୀ ଅଞ୍ଚଳ ଗଜପତି ଜିଲ୍ଲାକୁ ମଧ୍ୟ ବ୍ୟାପିଛି। ଏହା ଦ୍ୱାରା ଆନ୍ତରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି ଯାହା ଗଭୀର ଚିନ୍ତାଜନକ । ଏହି ସବୁ ବିବାଦ ଦ୍ୱାରା ଆନ୍ଧ୍ର ଏବଂ ଓଡ଼ିଶାର ସୀମାବର୍ତୀ ଗାଁର ସୁରକ୍ଷା ଏବଂ ଅଞ୍ଚଳବାସୀଙ୍କ ବିକାଶମୂଳକ ଆକାଂକ୍ଷାରେ କ୍ଷତି ପହଁଚାଉଛି । ଏହି ସୀମା ବିବାଦର ସମାଧାନ କରିବା ସମୟ ସାପେକ୍ଷ ଏବଂ ଏହାକୁ ସମାଧାନ କରିବା ପାଇଁ ଉଚ୍ଚ ସ୍ତରରେ ପରିପକ୍ୱ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ, ବୁଝାମଣା ତଥା ସହଯୋଗର ଆବଶ୍ୟକତା ରହିଛି । ତୃଣମୂଳ ସ୍ତରରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କଥାବାର୍ତ୍ତା ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।

ଏହି ପୃଷ୍ଠଭୂମିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶାର ସ୍ୱାର୍ଥ ନିମନ୍ତେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏହି ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ୪ଟି ପ୍ରସ୍ତାବ ଦେଇଛନ୍ତି । ପ୍ରଥମତଃ ବିବାଦୀୟ ଗ୍ରାମ ଗୁଡ଼ିକରୁ ସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ ଏବଂ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ । ଦ୍ୱିତୀୟତଃ ଗ୍ରାମାଞ୍ଚଳ ଭିତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ସୁବିଧାକୁ ବାଦ୍ ଦେଇ ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଉ । ତୃତୀୟତଃ ଏହି ବିବାଦରେ ଆଗାମୀ ଦିନର ରୋଡ଼ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଉ ।ଚତୁର୍ଥତଃ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିସନରଙ୍କ ସ୍ତରରେ ଜଏଣ୍ଟ ଓାର୍କିଂ କମିଟି ବା ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ ବୋଲି ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

କୋରାପୁଟ ଏବଂ ଗଜପତି ଲୋକଙ୍କର ଦୁର୍ଦ୍ଦଶା ଏବଂ ଚିନ୍ତାକୁ ନେଇ ଜଣେ ଓଡ଼ିଆ ଭାବେ ଶ୍ରୀ ପ୍ରଧାନ ଦୁଃଖିତ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି । ଆପୋଷ ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ କେନ୍ଦ୍ର ସରକାରଙ୍କ ତରଫରୁ ସମର୍ଥନ ଦେବା ନେଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୀମାବର୍ତୀ ଗ୍ରାମାଂଚଳରେ ଶାନ୍ତି ଫେରାଇବା ଏବଂ ବାମପନ୍ଥୀ ଉଗ୍ରବାଦୀ ଉପଦ୍ରବକୁ ଦମନ କରିବା ପାଇଁ ପ୍ରଶାସନ, ପୋଲିସ ଓ ସୁରକ୍ଷା ବଳ, ରାଜନେତା ଏକଜୁଟ୍ ହୋଇ କାମ କରୁଛନ୍ତି । କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆନ୍ତଃରାଜ୍ୟ ସୀମାକୁ ନେଇ ଏକ ବିବାଦ ସୃଷ୍ଟି ହେବା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସବୁ ବିବାଦ ଦ୍ୱାରା ଏହି ଅଂଚଳରେ ଅନେକ ବର୍ଷ ଧରି ହୋଇଥିବା ବିକାଶମୂଳକ କାର୍ଯ୍ୟ ଦିଗହରା ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତି ଉଭୟ ରାଜ୍ୟର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇ ଲୋକଙ୍କ ଆସ୍ଥା ହରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ୍‌ ନକରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ଏକ ଅନୁକୂଳ ଓ ପରସ୍ପର ସହମତ ଉପରେ ଏକ ଚୁକ୍ତି ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.