୨ଲକ୍ଷ କୋଟିକୁ ଛୁଇଁଯାଇପାରେ ରାଜ୍ୟ ବଜେଟ୍
କୋଭିଡ୍ ପରବର୍ତ୍ତୀ ଅର୍ଥନୀତିରେ ସୁଧାର ଆସୁଛି
ଖଣିରୁ ମିଳୁଛି ବଡ ରାଜସ୍ବ, ନିଜ ଆୟ ବଢୁଥିବା ସୂଚନା
କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ଓ ଅନୁଦାନ କମୁଛି
ଫେବ୍ରୁଆରି ତୃତୀୟ ସପ୍ତାହରେ ବଜେଟ୍ ଉପସ୍ଥାପନ
ଦ୍ବିତୀୟ ସପ୍ତାହରେ ମନ୍ତ୍ରୀ ପରିଷଦ ବୈଠକ ବସିପାରେ
ଭୁବନେଶ୍ବର: ୨୦୨୧-୨୨ ତୁଳନାରେ ୨୦୨୨-୨୩ ଆର୍ଥିକବର୍ଷରେ ରାଜ୍ୟ ବଜେଟ୍ ଆକାର ପାଖାପାଖି ୧୭ ପ୍ରତିଶତ ବଢିବ। ଅର୍ଥାତ୍ ବଜେଟ୍ ପରିମାଣ ୨ଲକ୍ଷ କୋଟି ଛୁଇଁଯିବ। ଏମିତି ଏକ ବଡ ବଜେଟ୍ ପ୍ରସ୍ତୁତି ଲକ୍ଷ୍ୟ ରଖି ଅର୍ଥ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛି ଯେ ଡିସେମ୍ବର ୧୫ ତାରିଖ ସୁଦ୍ଧା ନିଜ ନିଜର ପ୍ରସ୍ତାବ ଦିଅ। ଏକଥା ବି କହିଛି ଯେ ଫେବ୍ରୁଆରି ତୃତୀୟ ସପ୍ତାହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ ଏବଂ ଦ୍ବିତୀୟ ସପ୍ତାହ ଅର୍ଥାତ୍ ଫେବ୍ରୁଆରି ୭ରୁ ୧୦ ତାରିଖ ମଧ୍ୟରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଚଳିତବର୍ଷ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା।
କେନ୍ଦ୍ର ସରକାର ଟିକସରେ ରାଜ୍ୟ ଅଂଶ ଏବଂ ଅନୁଦାନ କମ୍ କରୁଥିବା ମଧ୍ୟ ଦର୍ଶାଇଛି ଅର୍ଥ ବିଭାଗ। ୨୦୨୧ ଅଗଷ୍ଟ ଯାଏ ତଥ୍ୟକୁ ଆଧାର କରି ବିଭାଗ କହିଛି ଯେ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ଓ ଅଣଟିକସରେ କିନ୍ତୁ ମଧ୍ୟମ ଧରଣର ବୃଦ୍ଧି ଘଟୁଛି। ଖଣି ସୂତ୍ରରୁ ଭଲ ରାଜସ୍ବ ଆସୁଛି। ବକେୟା ଅର୍ଥ ଆଦାୟ ଉପରେ ସରକାର ଜୋର ଦେଉଛନ୍ତି। ୨୦୨୨ ଜୁନ୍ ମାସ ଯାଏ ଜିଏସଟି ବାବଦ ଅନୁକମ୍ପା ସହାୟତା ବି ମିଳିବ। ଏଣୁ ସମ୍ବଳରେ ସେଭଳି କୌଣସି ବଡ ଧରଣର ପ୍ରଭାବ ରହିବ ନାହିଁ। ଏମିତିରେ ବି ରାଜ୍ୟ ଅର୍ଥନୀତି ଟ୍ରାକକୁ ଫେରିଛି ବୋଲି ଅର୍ଥ ବିଭାଗ ସୂଚାଇ ଦେଇଛି।
ଅର୍ଥନୀତିର ଚିତ୍ର ଆଙ୍କିବା ବେଳେ ପ୍ରମୁଖ ସଚିବ ବିଶାଳ ଦେବ ବିଭାଗମାନଙ୍କୁ ଆହୁରି କହିଛନ୍ତି ଯେ ୨୦୨୧-୨୨ରେ ବିଶ୍ବ ଅର୍ଥନୀତିରେ ୬ ପ୍ରତିଶତ ବୃଦ୍ଧି ଘଟିଛି। ଏହା ୨୦୨୨-୨୩ରେ ୪.୫ ପ୍ରତିଶତକୁ ଖସିଯାଇପାରେ। ସେହିଭଳି ଆଇଏମ୍ଏଫ୍ ଯେଉଁ ଚିତ୍ର ଦେଉଛି, ସେଥିରୁ ଜଣାପଡୁଛି ଯେ ଚଳିତବର୍ଷ ଭାରତ ୯.୫ ପ୍ରତିଶତ ହାରରେ ଆଗେଇବ; ଯଦିଓ ଆସନ୍ତାବର୍ଷ ଏହା ୮.୫ ପ୍ରତିଶତକୁ ଖସିଆସିବ। ଏଭଳି ପୃଷ୍ଠଭୂମିରେ ଓଡ଼ିଶା କଥା ବିଚାର କଲେ ରାଜ୍ୟ ଚଳିତବର୍ଷ ୯.୫ ପ୍ରତିଶତ ହାରରେ ବିକାଶ କରିବ ଓ ଆସନ୍ତାବର୍ଷ ମଧ୍ୟ ଏହା ୯ ପ୍ରତିଶତ ରହିବ।
ଅର୍ଥ ବିଭାଗ କହିଛି ଯେ କୋଭିଡର ଦ୍ବିତୀୟ ଝଟକା ରାଜ୍ୟକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ୨୦୨୦ ମାର୍ଚ୍ଚ ମାସରୁ ସରକାର ଏହା ସହିତ ଲଢି ଆସୁଛନ୍ତି। ଏହା ଉଭୟ ଶିଳ୍ପ ଓ ସେବା କ୍ଷେତ୍ରର ଡଙ୍କ ମୋଡ଼ି ଦେଇଛି। ହେଲେ ଅର୍ଥନୀତିରେ କିନ୍ତୁ ଧୀରେ ଧୀରେ ସୁଧାର ଆସୁଥିବା ଲକ୍ଷ୍ୟ କରାଯାଉଛି। ସରକାରଙ୍କ ପାଇଁ ଏବେ ମୁଖ୍ୟ ଲକ୍ଷ୍ୟ ରହିଛି ଯେ କୋଭିଡ୍ କ୍ଷେତ୍ରରେ ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ଜୀବନ ଜୀବିକାକୁ ପୂର୍ଣ୍ଣ ମାତ୍ରାରେ ସୁରକ୍ଷା ଦେବା। ଏହା ସହିତ ସରକାର ପାଞ୍ଚବର୍ଷ ପାଇଁ ଯୋଜନା କରି ଆଗକୁ ବଢୁଛନ୍ତି ବୋଲି ଅର୍ଥ ସଚିବ କହିଛନ୍ତି।
ଏଥିରେ ସେ ଦର୍ଶାଇଛନ୍ତ ଯେ ଦାରିଦ୍ର୍ୟ ହ୍ରାସ ସରକାରଙ୍କ ପ୍ରାଥମିକତା ଭିତରେ ରହିଛି। ଏହାବ୍ୟତୀତ ଚାଷୀର ରୋଜଗାର ବୃଦ୍ଧି, ଧାନ ଚାଷରୁ ଅଣଧାନ ବା ଅର୍ଥକରୀ ଫସଲ ଆଡକୁ ଚାଷୀଙ୍କୁ ଆକୃଷ୍ଟ କରିବା, ସମସ୍ତଙ୍କୁ ବିଶୁଦ୍ଧ ପିଇବା ପାଣି, ବିଶ୍ବସ୍ତରୀୟ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ସହିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁଦୃଢୀକରଣ, ଗାଁରେ ଥିବା ପ୍ରାଥମିକ ସ୍କୁଲ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଯୋଡି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଣୁ ବିଭାଗମାନେ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ଜଣାଇଛି।
ଏଠାରେ ଉଲ୍ଲେଖଥାଉକି, ଡିସେମ୍ବର ୧୬ରୁ ୩୧ ତାରିଖ ମଧ୍ୟରେ ପ୍ରାକ୍ ବଜେଟ୍ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି। ସେହିଭଳି କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବା ପରେ ଏହାର ରୂପରେଖକୁ ନଜରରେ ରଖି ଫେବ୍ରୁଆରି ୫ ତାରିଖ ଦିନ ମୁଖ୍ୟସଚିବ ଓ ଉନ୍ନୟନ କମିସନରଙ୍କ ଉପସ୍ଥିତିରେ ବଜେଟ୍ ତର୍ଜମା ହେବ। ଫେବ୍ରୁଆରି ତୃତୀୟ ସପ୍ତାହ ଆରମ୍ଭରେ ଚିଠା ବଜେଟ୍ ଲେଖାଯିବ ବୋଲି ବିଭାଗ ଗୋଟିଏ କ୍ୟାଲେଣ୍ଡର ବି ପ୍ରସ୍ତୁତ କରିଛି।