ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

0

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର । କଂକ୍ରିଟ୍ ତିଆରି ସେତୁ ନଦୀକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଶବ୍ଦରେ ପ୍ରସ୍ତୁତ ସେତୁ ସମାଜକୁ ଏକତ୍ରିତ କରିଥାଏ ବୋଲି ଡ଼କ୍ଟର ପତର ନିଜ ବକ୍ତବ୍ୟରେ କହିଛନ୍ତି । ସୋଆ ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ଲେଖକ, କବି, ସମାଲୋଚକ ଓ କଳାକାର ଯୋଗଦେଇଥିଲେ ।

ଡକ୍ଟର ପତର କହିଥିଲେ କବିତା ଆତ୍ମ ଅନୁଶୀଳନରେ ସହାୟକ ହୋଇଥାଏ । କବିତା ଏବଂ ଦୁଃଖ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିଶ୍ୱର ଗରିବତମ ଦେଶ ଗୁଡିକରେ ସବୁଠାରୁ ଉନ୍ନତ ଧରଣର କବିତା ଦେଖିବାକୁ ମିଳିଥାଏ । ପୃଥିବୀର ଦେଶ ଗୁଡିକ ମଧ୍ୟରେ ଭାରତ ହେଉଛି ଅନ୍ୟତମ ଯେଉଁଠାରେ କି ସବୁଠାରୁ ଅଧିକ ଲିପି ଦେଖିବାକୁ ମିଳିଥାଏ । ଶବ୍ଦର ଅଭାବ ଅନ୍ଧକାର ଆଡକୁ ନେଇଯାଏ ବୋଲି ଡକ୍ଟର ପତର କହିଥିଲେ । ଲେଖକ ଏବଂ କବି ମାନଙ୍କ ବିଷୟରେ ମନ୍ତବ୍ୟ ରଖି ଡକ୍ଟର ପତର କହିଥିଲେ ଯେ କବି ମାନେ ବୃକ୍ଷ ସଦୃଶ ଯେଉଁମାନେ କି ସମାଜର ହିତ ପାଇଁ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି ଓ ଅମ୍ଳଜାନ ତ୍ୟାଗ କରିଥାନ୍ତି ।

ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ୧୧ ଜଣ ଲେଖକ, କବି ଓ ସମାଲୋଚକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ଏହି ଅବସରରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ । ସେମାନେ ହେଲେ ବିଶିଷ୍ଟ କଥାକାର ଶ୍ରୀ ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଲେଖକ ଶ୍ରୀ ସାତକଡ଼ି ହୋତା, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ତଥା ଲେଖକ ପ୍ରଫେସର ସାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ କବି ଓ ଲେଖକ ଶ୍ରୀ ରମାକାନ୍ତ ରଥ, ବିଶିଷ୍ଟ ଅନୁବାଦକ ଓ କବି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ବିଶିଷ୍ଟ ସମାଲୋଚକ ପ୍ରଫେସର ଦାଶରଥି ଦାସ, ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ଔପନ୍ୟାସିକ ଶ୍ରୀ ବିଭୂତି ପଟ୍ଟନାୟକ ।

ତେବେ ବ୍ୟକ୍ତିଗତ କାରଣ ବଶତଃ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଓ ବିଶିଷ୍ଟ ମଂଚ ବ୍ୟକ୍ତିତ୍ୱ ଶ୍ରୀ ଅନନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାରିନଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଏହି ମହାନ ବ୍ୟକ୍ତିମାନଙ୍କୁ ସନ୍ଦର୍ଭ, ଉତରୀୟ, ଦେବୀ ସରସ୍ୱତୀଙ୍କ ମୂର୍ତି ଓ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମୀର ଉପ ସଭାନେତ୍ରୀ ପ୍ରଫେସର କୁମୁଦ ଶର୍ମା ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଏହି ମହାନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରଫେସର ଶର୍ମା କହିଥିଲେ ଯେ ସାହିତ୍ୟ ଜଗତର ଏହି ମହାନ ହସ୍ତୀ ମାନେ ତାଙ୍କର ସାରା ଜୀବନକୁ ସାହିତ୍ୟ କ୍ଷେତ୍ରରେ ସମର୍ପିତ କରିଛନ୍ତି । ସାହିତ୍ୟ ହିଁ ସମାଜରେ ଆଶାର ସଂଚାର କରିଥାଏ ବୋଲି ସେ କହିଥିଲେ । ସମାଜର ଅନେକ ଗୁଡିଏ ପରସ୍ପର ବିରୋଧାତ୍ମକ ବିଷୟ ରହିଥିବା ବେଳେ ସାହିତ୍ୟ ସମାଜକୁ ଏକାଠି ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ସାହିତ୍ୟିକ ମାନେ ଯେଉଁମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ କେହି ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାଇବାର ଦାୟିତ୍ୱ ନେବା ଦରକାର ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

ନିଜ ବକ୍ତବ୍ୟରେ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିବା ଅବସରରେ ପ୍ରାଚୀନର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ଏହି କିମ୍ବଦନ୍ତୀ ମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିବା ଏକ ସ୍ୱପ୍ନ ଥିଲା । ଏହି ସାହିତ୍ୟ ଉତ୍ସବରେ ସେମାନଙ୍କର ଯୋଗଦାନ ଉତ୍ସବକୁ ଆହୁରି ରୁଦ୍ଧିମନ୍ତ କରିଥିବା ସହ ଏଥିରେ ଭାଗନେଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଲାଭଦାୟକ ହୋଇଛି ବୋଲି ସେ କହିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବର୍ଦ୍ଧିତ ହେବା ପରେ ଏହି ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ଏଭଳି ସାହିତ୍ୟ ଉତ୍ସବ ଆୟୋଜନ କରିଥିବାରୁ ସୋଆକୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ସାହିତ୍ୟ ଉତ୍ସବରେ ବୟୋଜ୍ୟେଷ୍ଠ ସାହିତ୍ୟିକ ମାନଙ୍କୁ ଏକତ୍ରିକ କରିପାରିଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଗୋଟିଏ ସହରରେ ରହି ମଧ୍ୟ ସ୍ୱାସ୍ଥ୍ୟଗତ ଓ ବୟସାଧିକ କାରଣରୁ ଏହି ବୟୋଜ୍ୟେଷ୍ଠମାନେ ଦୀର୍ଘ ଦିନ ଧରି ପରସ୍ପର ସହ ସାକ୍ଷାତ କରି ପାରିନଥିବାବେଳେ ଏହି ମଂଚରେ ସମସ୍ତେ ଏକତ୍ରିତ ହୋଇପାରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ।

ଏହି ଅବସରରେ ଶ୍ରୀ ରମାକାନ୍ତ ରଥ କହିଥିଲେ ଯେ ପୁରାତନ କାଳଜୟୀ ପୁସ୍ତକ ଯେଉଁଗୁଡିକ ଆଉ ଉପଲବ୍ଧ ହୋଇପାରୁନାହିଁ ସେଗୁଡିକୁ ପ୍ରକାଶନ କରିବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍ । ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିବା ଅନ୍ୟତମ ଲେଖକ ପ୍ରଫେସର ଦାଶରଥି ଦାସ ଆଦିକବି ଶାରଳା ଦାସଙ୍କ ଦ୍ୱାରା ଲିଖିତ \”\”ସାରୋଳ ମହାଭାରଥ\’\’ର କ୍ରିଟିକାଲ ଏଡିସନ୍‌ର ସଂସ୍କରଣ ପ୍ରକାଶନ କରିଥିବାରୁ ପ୍ରାଚୀନକୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.