ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଆଜି ସୁନା ବେଶ : ଦୁନିଆ ଦେଖିବ ଜଗାର ଅନନ୍ୟରୂପ

0

ପୁରୀ: ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ଆଜି ସୁନାବେଶ। ସୁବର୍ଣ୍ଣ ଆଭୂଷଣରେ ସଜେଇ ହେବେ ବ୍ରହ୍ମାଣ୍ଡଠାକୁର। ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୁଏ। ଦାରୁବ୍ରହ୍ମଙ୍କ ଏହି ରାଜକୀୟ ଠାଣି ବେଶର ଦର୍ଶନ ପାଇଁ ବଡଦାଣ୍ଡକୁ ଛୁଟିବ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ପ୍ରାୟ ୧୩୮ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ। ତେବେ ଧାର୍ଯ୍ୟ ନୀତି ଅନୁୟାୟୀ, ସନ୍ଧ୍ୟା ୫ଟାରୁ ଏହି ବେଶ ଦର୍ଶନ ଆରମ୍ଭ ହେବ। ରାତ୍ର ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ। ଅନ୍ୟପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ। ଆଜି ମହଣ ମହଣ ସୁନାରେ ଛାଉଣି ହୋଇ ଭକ୍ତଙ୍କୁ ନିଜର ଦୁର୍ଲଭ ବେଶରେ ଦର୍ଶନ ଦେବେ ରଥାରୂଢ ବଡ ଠାକୁର ବଳଭଦ୍ର, କଳାସାଆନ୍ତ ଜଗନ୍ନାଥ, ହଳଦୀମୁହିଁ ମା ସୁଭଦ୍ରା। ଏଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ରଧାମ । ମହାପ୍ରଭୁଙ୍କ ସୁନାବେଶରେ ଚମକିବ ପୂରା ଶ୍ରୀନଅର। ଶ୍ରୀଜିଉଙ୍କ ସକାଳଧୂପ ସହ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ସୁନାବେଶ ଆରମ୍ଭ ହେବ। ରଥ ଉପରେ ସୁନାବେଶର ସ୍ୱତନ୍ତ୍ରତା ରହିଛି। ତେବେ ଏହି ବେଶକୁ ରାଜବେଶ,ରାଜରାଜେଶ୍ବର, ରାଜାଧିରାଜ ବା ବଡତଢାଉ ବେଶ ମଧ୍ୟ କୁହାଯାଏ।

ସୁନାବେଶ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛି। ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ସୂଚନା ଦେଇଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍‌ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ ଦେଇ ରଥ ସମ୍ମୁଖରେ ପହଞ୍ଚିବେ। ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିବେ। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳୟ ସମେତ କୁଇକ୍‌ ରେସପନ୍ସ ଟିମ୍‌ ନିୟୋଜିତ କରାଯାଇଛି।

Leave A Reply

Your email address will not be published.