ଭୁବନେଶ୍ବର; ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମ ଥର ଉପକୂଳରେ ଉଡିଲା ତ୍ରିରଙ୍ଗା। ସମୁଦ୍ର ତଟବର୍ତ୍ତୀ ୧୦ଟି ଦ୍ବୀପରେ ଉଡିଛି ଜାତୀୟ ପତାକା। ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ ଉଡ଼ିଛି ତ୍ରିରଙ୍ଗା। ସେହିପରି ଜଗତସିଂହପୁରର ବୋଇତରକୁଦ, ଜଟାଧାରୀ ତଣ୍ଡା, ବରକୁଦରେ ଉଡିଛି ତ୍ରିରଙ୍ଗା।
ପୂର୍ବରୁ ଏନେଇ ସର୍ଭେ ହୋଇସାରିଥିବା ବେଳେ ଓଡ଼ିଶା ଉପକୁଳର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସ୍ଥାନ ନିରୁପଣ କରାଯାଇଥିଲା। ଏହି ସ୍ଥାନ ମାନଙ୍କରେ ନା ଜନବସତି ରହିଛି ନା କେହି ଲୋକ ବସବାସ କରୁଛନ୍ତି। ଏସବୁ ଦ୍ୱୀପରେ ଓଡ଼ିଶା କୋଷ୍ଟ ଗାର୍ଡ ଓ ଓଡ଼ିଶା ପୋଲିସର ମିଳିତ ଉଦ୍ୟମରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଥିଲା। ତେବେ ପ୍ରଥମ ଥର ପାଇଁ ଓଡ଼ିଶା ଉପକୂଳରେ ଉଡିଛି ତ୍ରୀରଙ୍ଗା। ସେପଟେ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।
ସେପଟେ ଚଳିତବର୍ଷ ପରେଡ୍ରେ ଆର୍ମି, ବିଏସ୍ଏଫ୍ ଓ ପୋଲିସ ସାମିଲ ହୋଇଛନ୍ତି। ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍ରେ ସାମିଲ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏଥର ପରେଡ଼୍ରେ ସିଆରପିଏଫ୍, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେଇଛନ୍ତି। ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହୋଇଛନ୍ତି। ପରେଡ୍ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ଲଗାଯାଇଛି।