ପିପିଲି: ଅଧା ରହିଗଲା ଜଗା ଦର୍ଶନ। ପୁରୀ ଜିଲା ପିପିଲି ନିକଟରେ ଶନିବାର ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଆମ ବସ୍ ଧକ୍କାରେ ଚାଲି ଯାଇଛି ତିନି ଭଉଣୀଙ୍କ ଜୀବନ । ପିପିଲି ଓଭର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ମୁତାବକ, ଏକ ସ୍କୁଟିରେ ଭୁବନେଶ୍ବରରୁ ୩ଜଣ ଯୁବତୀ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ହେଲେ ପିପିଲି ତରାକାଜ ନିକଟରେ ଅନ୍ୟ ଏକ ସ୍କୁଟି ସାଇଡ୍ ମାରିବାରୁ ସ୍କୁଟିରେ ଥିବା ୩ଜଣ ଯୁବତୀ ତଳେ ପଡି ଯାଇଥିଲେ।
ସେତିକିବେଳେ ଆମ ବସ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ୩ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।