ଭୁବନେଶ୍ବର: ଆଇଏଏସ ସ୍ତରରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ନୂତନ କାର୍ଯ୍ୟଭାର ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୩ ଅକ୍ଟୋବର ୨୦୨୫ ଠାରୁ ଏହା କାର୍ଯ୍ୟକାରୀ ହେବା ନେଇ କୁହାଯାଇଛି।
ଶାଲିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଗିରିଶ ଏସଏନ୍ ମିଶନ ଶକ୍ତି ବିଭାଗର କମିଶନର-କମ୍-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର କମିଶନର-କମ୍-ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି। ଅପରପକ୍ଷରେ ଆଇଏଏସ ଅଧିକାରୀ ଏନ. ଥିରୁାମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଛି।
ପର୍ଯ୍ୟଟନ ନିର୍ଦ୍ଦେଶକ ମାନସୀ ନିମ୍ଭାଲ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବରେ ଓ ସୁରେନ୍ଦ୍ର କୁମାର ମୀନା ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବରେ ଦାୟିତ୍ଵ ଦିଆଯାଇଛି।
ସେହିପରି ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଏବଂ ଅଭିସରଣ ବିଭାଗର ଅତିରିକ୍ତ ସଚିବ ଭାବରେ ଦାୟିତ୍ଵ ଦିଆଯାଇଥିବା ବେଳେ ଚଞ୍ଚଲ ରାଣା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବର୍ତ୍ତମାନ ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସରକାରଙ୍କ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟରତ ଥିବା ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଦିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗ ନିର୍ଦେଶକ ଭାବେ ନିଯୁକ୍ତ ହୋଇଥିବାବେଳେ ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦେଶକ, ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ, ସଞ୍ଜୟ ବିଶ୍ଵାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ, ବରିଷ୍ଠ ଓଏଏସ ଅଧିକାରୀ କାହ୍ନୁଚରଣ ଧୀରଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦେଶକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।