ଭୁବନେଶ୍ୱର: ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଭିସି ଯୋଗେ ଭୁବନେଶ୍ୱର ପାଣ୍ଡରାଠାରେ ପ୍ରାୟ ୬୦ କୋଟି ଟଙ୍କାରେ ହେବାକୁ ଥିବା ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭିତ୍ତିପ୍ରସ୍ତର ସ୍ଥାପନା ପରେ ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ କହିଛନ୍ତି, ୧୧ ବର୍ଷରେ କୃଷି ଉତ୍ପାଦନ ଦୁଇଗୁଣା ହୋଇଯାଇଛି। କ୍ଷୀର ଉତ୍ପାଦନରେ ଦେଶରେ ଭାରତ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛି। ମାଛ ଉତ୍ପାଦନରେ ଦ୍ଵିତୀୟ ସ୍ଥାନରେ ରହିଛି। ମହୁ ଉତ୍ପାଦନରେ ବି ଦେଶ ଆଗରେ ରହିଛି। ବିକଶିତ ହେବା ପାଇଁ ଆମକୁ ସବୁ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରିବାକୁ ପଡିବ। ୧୦୦ ରୁ ଅଧିକ ପଛୁଆ ଜିଲ୍ଲାକୁ ଏହି ଧନ ଧାନ୍ୟ କୃଷି ଯୋଜନାକୁ ଅଣାଯାଇଛି। ଏହି ଜିଲ୍ଲା ସବୁକୁ ବହୁ ଚିନ୍ତା କରିକି ଚୟନ କରାଯାଇଛି। ଉତ୍ପାଦନ କେତେ ହୁଏ ? ଗୋଟେ ଥର କେତେ ଫସଲ ହୁଏ ? ଋଣ ମିଳିବ କି ନାହିଁ ଏହି ମାପଦଣ୍ଡରୁ ଚୟନ ହୋଇଛି। କେନ୍ଦ୍ରର ୩୬ ଟି ଯୋଜନାକୁ ଏକାଠି ଏହି ପିଏମ ଧନ ଧାନ୍ୟ କୃଷି ଯୋଜନାରେ କାର୍ଯ୍ୟକାରୀ କରାଯିବ।
ଜିଲ୍ଲାର ଆଵଶ୍ୟକତାକୁ ଦେଖି ସ୍ଥାନୀୟ ଲୋକଙ୍କ ପରାମର୍ଶ ଓ ସ୍ଥାନୀୟ ଜଳବାୟୁକୁ ଦେଖି ଏହି ଯୋଜନା ଲାଗୁ ହେବ। ଏଥିସହ ଦେଶର ଦୁଇଟି ନୂଆ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳ ମିଶନର ଶୁଭାରମ୍ଭ କରିବା ସହ ସମ୍ବଲପୁର ଆକ୍ବା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଇ ଯୋଜନାରେ ୩୫୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ର ସରକାର ବିନିଯୋଗ କରିବେ। ଦେଶର ଶହେଟି ଜିଲ୍ଲାରେ ଏହା ଯୋଜନା କାର୍ଯ୍ୟକାରୀ ହେବ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା। ଆଜି ବି ଓଡିଶାର ୬୦ ପ୍ରତିଶତରୁ ଅଧିକ ଏବଂ ଦେଶର ପ୍ରାୟ ୫୦ ପ୍ରତିଶତ ଲୋକେ ଏହା ମାଧ୍ୟମରେ ଜୀବିକା ନିର୍ବାହ କରିଥାନ୍ତି। ତେଣୁ, ମୋଦୀଜୀଙ୍କ ସରକାର ୨୦୧୪ ମସିହାରୁ କୃଷକଙ୍କ ପାଇଁ ଅଭୂତପୂର୍ବ କଲ୍ୟାଣକାରୀ ଯୋଜନାଗୁଡିକ ପ୍ରଣୟନ କରିଆସୁଛନ୍ତି, ଯାହା ଫଳରେ ଆଜି କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିଛି।
କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡା, ଚାରୋଟି ଜିଲ୍ଲାକୁ ପ୍ରାଥମିକ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ କୃଷି ଉତ୍ପାଦନ ବୃଦ୍ଧି, ଜଳସେଚନ, ଫାର୍ମ ମେକାନାଇଜେସାନ, ଫସଲର ସଂରକ୍ଷଣ ପାଇଁ ଷ୍ଟୋରେଜ, ବଜାର ସହାୟତା, ଋଣ ଆଦି ସହାୟତା ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଆସନ୍ତା ୬ ବର୍ଷ ମଧ୍ୟରେ ବର୍ଷକୁ ୨୪ ହଜାର ହିସାବରେ ୧ଲକ୍ଷ ୪୪ ହଜାର କୋଟିର ଆର୍ଥିକ ବ୍ୟବସ୍ଥା ଏଥିରେ ଚାଷୀମାନଙ୍କ ପାଇଁ ଯୋଗାଇ ଦିଆଯିବ। ଏକ କୋଟି ୭୦ ଲକ୍ଷ କୃଷକ ଏଥିରେ ଉପକୃତ ହେବେ। ଏହି ଯୋଜନା ଗୁଡିକ ଚାଷୀଙ୍କ ପାଖରେ ପହଞ୍ଚିବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବ। ଆମେ ଅନେକ ସମୟରେ ଡାଲି ଅଭାବ ପାଇଁ ଆମଦାନୀ କରୁ। ସେଥିପାଇଁ ଆତ୍ମନିର୍ଭରଶୀଳ ହେବାକୁ କ୍ରପ ଡାଇଭରସିଫିକେସନ ମାଧ୍ୟମରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଡାଲି ଜାତୀୟ ଓ ତୈଳ ଜାତୀୟ ଶସ୍ୟ ଉତ୍ପାଦନ ସାଙ୍ଗକୁ ଆୟ ବଢିବା ଲକ୍ଷ୍ୟ ରଖାଯାଇଛି।