ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ବଜାରରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। ତେଲ ଆମଦାନୀ ନେଇ ବଢିଲା ଚିନ୍ତା। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ଦର ବଢିବାରେ ଲାଗିଛି। ହୋଲସେଲ୍ରେ ରିଫାଇନ୍ ତେଲ ୩ରୁ ୪ ଟଙ୍କା ବଢିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି।
ଖୁଚୁରାରେ ରିଫାଇନ୍ ଲିଟରକୁ ୮ରୁ ୧୦ ଟଙ୍କା ବଢିଥିବା ବେଳେ ପାମୋଲିନ୍ ଲିଟରକୁ ୫ରୁ ୬ ଟଙ୍କା ବଢିଥିବା ସୂଚନା ରହିଛି। ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ପ୍ରତିଶତ ଅଭାବ ଏହି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି। ରିଫାଇନ୍ ତେଲ ମାଲେସିଆ ଏବଂ ସିଙ୍ଗାପୁରରୁ ଆସୁଥିବାବେଳେ ପାମୋଲିନ ତେଲ ଇଣ୍ଡୋନେସିଆରୁ ଆସିଥାଏ।
ବଢିଲା ରିଫାଇନ୍ ଓ ପାଲିନ୍ ତେଲ ଦର।ସରକାରଙ୍କର କୌଣସି ନିୟମ ନାହିଁ କହିଲେ ଓଡ଼ିଶା ବ୍ୟବସାୟୀ ସଂଘ ମହାସଚିବ। ତୈଳ ଦର ବୃଦ୍ଧି ନେଇ ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସମ୍ପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ମାର୍କେଟ୍ ରେ ଦୈନିକ ହଜାରେ ରୁ ୧୨୦୦ ଟନ୍ ରିଫାଇନ୍ ଓ ପାମଲିନ ତେଲର ଆବଶ୍ୟକତା ରହିଛି। ବର୍ତ୍ତମାନ ଓଡ଼ିଶାରେ ୧୫ ରୁ ୨୦ ଦିନ ପାଇଁ ତେଲ ମହଜୁଦ ଅଛି। ଆଗାମୀ ଦିନରେ ଏହା କମିଯାଇ ପାରେ। ଯେଉଁମାନେ ବାହାର ଦେଶରୁ ଆମଦାନୀ କରୁଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ତୈଳ ଆମଦାନୀ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି।
ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସମ୍ପାଦକ ପୁଣି କହିଛନ୍ତି ଯେ, ରିଫାଇନ ତେଲ ବିଶେଷ କରି ସନଫ୍ଲାୱାର ତେଲରେ ଲିଟର ପିଛା ୫ ଟଙ୍କା ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଆମଦାନୀ କମ୍ପାନୀ ଉପରେ ତୀକ୍ଷଣ ନଜର ରଖିବା ଦରକାର। ଏହା ସହ ସରକାର କଳାବାଜର ଉପରେ ଧ୍ୟାନ ଦେବା ଦରକାର। ବର୍ତ୍ତମାନ ପାଇଁ ତେଲ ମହଜୁଦ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ହେଲେ ଅଧିକ ଦିନ ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ପଡ଼ିବ। ତେବେ ରିଫାଇନ୍ ତେଲ ଛାଡ଼ିଦେଲେ ସୋରିଷ, ବାଦାମ ତେଲ ପ୍ରଚୁର ଅଛି। ଏହାର ଦାମ୍ ମଧ୍ୟ କମ୍ ଅଛି।