ନୂଆଦିଲ୍ଲୀ: ମଧ୍ୟାକାଶରେ ପ୍ରାୟୋଗିକ ତ୍ରୁଟି ଦେଖାଦେବା ପରେ ଇଣ୍ଡିଗୋର ବିମାନ ନମ୍ବର ୬ଇ-୫୭୯ ଶନିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଆପାତକାଳୀନ ଅବତରଣ କରିଛି। ବିଶାଖାପଟ୍ଟଣମରୁ ଦିଲ୍ଲୀକୁ ଯାଉଥିବା ବେଳେ ବିମାନଟିର ଏକ ଇଞ୍ଜିନ୍ରେ ତ୍ରୁଟି ଦେଖାଦେଇଥିଲା। ପରିସ୍ଥିତି ଦୃଷ୍ଟିରେ ରଖି ପାଇଲଟ୍ମାନେ ତୁରନ୍ତ ଆପାତକାଳୀନ ଅବତରଣ ପାଇଁ ଅନୁମତି ଚାହିଥିଲେ।
ସକାଳ ୧୦:୩୯ରେ ବିମାନବନ୍ଦରରେ ପୂର୍ଣ୍ଣ ଆପାତକାଳୀନ ସତର୍କତା ଜାରି କରାଯାଇଥିଲା ଓ ପରେ ପ୍ରାୟ ୧୦:୫୪ରେ ବିମାନଟି ରନୱେ ନମ୍ବର ୨୮ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ସମସ୍ତ ଆପାତକାଳୀନ ସେବାକୁ ପୂର୍ବରୁ ସଜାଗ ରଖାଯାଇଥିଲା। ବିମାନରେ ଥିବା ୧୬୧ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ସହ କୌଣସି ଦୁର୍ଘଟଣା ଘଟିନାହିଁ। ବିମାନରେ ମଧ୍ୟ କୌଣସି କ୍ଷତି ହୋଇନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହି ବିମାନଟି ବର୍ତ୍ତମାନ ପରୀକ୍ଷାଧୀନ ରହିଛି ଓ ଇଞ୍ଜିନ୍ ତ୍ରୁଟିର ସଠିକ୍ କାରଣ ଖୋଜାଯାଉଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କ ସୁରକ୍ଷା ସବୁଠୁ ଅଧିକ ପ୍ରାଥମିକତା ଓ ନିୟମିତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା।