ବିହାର: ନାଳନ୍ଦା ଜିଲ୍ଲାର ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିର ରେ ମଙ୍ଗଳବାର ଭୟାବହ ଦଳାଚକଟା ଘଟଣା ଘଟିଛି। ଏହି ଅଘଟଣରେ ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ଏବଂ ମନ୍ଦିର ପରିସରକୁ ଖାଲି କରାଯାଉଛି।
ସୂଚନା ଅନୁସାରେ, ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ ମନ୍ଦିରରେ ବଡ଼ ଭିଡ଼ ଜମିଥିଲା। ମେଳା ଓ ପୂଜା-ଦର୍ଶନ ସମୟରେ ଯଥେଷ୍ଟ ବ୍ୟବସ୍ଥା ନଥିବା ଓ ଧାଡି ପ୍ରଣାଳୀ ନଥିବାରୁ ଭିଡ଼ ଅନିୟନ୍ତ୍ରିତ ହୋଇ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଅବହେଳା ସମ୍ପର୍କରେ ଖୋଜ ଖବର ନିଆଯାଉଛି।
ବିହାର ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ଆହତମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ନିକଟତ୍ତମ ସଂପର୍କୀୟଙ୍କ ପାଇଁ ୬ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।