ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଆଜି ଉଦ୍ଘାଟନ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ଥିଲେ।
ଉଦ୍ଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ସୁନ୍ଦର, ସକ୍ଷମ ଓ ସୁଦୃଢ଼ ଅଙ୍ଗନବାଡ଼ି” ଗଠନ ହିଁ ସରକାରଙ୍କ ପ୍ରଧାନ ଲକ୍ଷ୍ୟ। ସେ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ମନ୍ତ୍ରୀ ରବି ନାରାୟଣ ନାଏକ ଏହି ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଆଜିର ଶିଶୁମାନେ ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନରେ ମୂଳ ଭୂମିକା ନେବେ।
ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗର ସମ୍ମିଳିତ ପ୍ରୟାସରେ ଏହି ପ୍ରକଳ୍ପ ସାର୍ଥକ ହୋଇଛି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁ, ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କ ପାଇଁ ପୁଷ୍ଟିସାଧନ, ପ୍ରାରମ୍ଭିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାର ମୁଖ୍ୟ କେନ୍ଦ୍ର ଭାବେ କାମ କରିବ।କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଏବଂ ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହିତ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ ବିଭିନ୍ନ ସ୍ତରର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।