ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଆଜିଠାରୁ ପୁଣି କଡ଼ାକଡ଼ି ଭାବେ ପ୍ରଦୂଷଣ ପ୍ରମାଣପତ୍ର (PUCC) ଯାଞ୍ଚ ଆରମ୍ଭ ହୋଇଛି। ଟୋଲଗେଟଗୁଡ଼ିକରେ ଇ-ଡିଟେକସନ ବ୍ୟବସ୍ଥା ମାଧ୍ୟମରେ ବୈଧ ପିୟୁସିସି ନଥିବା ଗାଡ଼ି ଉପରେ ସିଧାସଳଖ ଚାଲାଣ କଟାଯିବ।
ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଏହି ଯାଞ୍ଚକୁ କୋହଳ କରିଥିଲେ। କିନ୍ତୁ ଆଜି ଏପ୍ରିଲ ୨ ଠାରୁ ପୁନର୍ବାର ଜୋରଦାର ଭାବେ ଯାଞ୍ଚ ଆରମ୍ଭ ହୋଇଛି। ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଚାଲିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବଢ଼ାଯାଇଛି। ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଲକ୍ଷ୍ୟ ସଡ଼କ ଦୁର୍ଘଟଣା କମାଇବା। ଏହାରେ ସଚେତନତା କାର୍ଯ୍ୟକ୍ରମ ସହ ଅମାନିଆ ଚାଳକଙ୍କ ଉପରେ କଡ଼ା ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶାରେ କେବଳ ପ୍ରାୟ ୨୧ ପ୍ରତିଶତ ଗାଡ଼ି ପାଖରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ଅଧିକାଂଶ ଚାଳକ ଏହାକୁ ଅବହେଳା କରୁଥିବାରୁ ବାଣିଜ୍ୟ ଓ ପରିବହନ ବିଭାଗ କଡ଼ା ପଦକ୍ଷେପ ନେଇଛି। ବୈଧ ପିୟୁସିସି ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବାର ବ୍ୟବସ୍ଥା ରହିଛି। ଯଦିଓ ଏହି ଜରିମାନା କମାଇବାକୁ ପ୍ରସ୍ତାବ ଦିଆଯାଇଛି, ବର୍ତ୍ତମାନ ପୁରୁଣା ନିୟମ ହିଁ ଲାଗୁ ହେଉଛି।
ଏହାସହ ପେଟ୍ରୋଲ ପମ୍ପରେ ପିୟୁସିସି ଦେଖାଇବା ପରେ ହିଁ ଗାଡ଼ିରେ ତେଲ ଭରାଯିବାକୁ ନିର୍ଦ୍ଦେଶ ରହିଛି। ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ୍ ଷ୍ଟିକର୍ ବଣ୍ଟନ କରାଯାଉଛି, ଯାହାକୁ ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଯାଞ୍ଚ କଡ଼ାକଡ଼ି ହେବା ପରେ ଭୁବନେଶ୍ୱରର ବିଭିନ୍ନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ଭିଡ଼ ବୃଦ୍ଧି ପାଇଥିବା ଦେଖାଯାଉଛି।