ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଆମ ଆଦମୀ ପାର୍ଟି ପକ୍ଷରୁ ବଡ଼ ଝଟକା ଲାଗିଛି। ପାର୍ଟି ତାଙ୍କୁ ରାଜ୍ୟସଭାରେ ଉପନେତା ପଦରୁ ହଟାଇ ଦେଇଛି। ଏହା ସହିତ ସଂସଦରେ ତାଙ୍କର କହିବା ଅଧିକାରକୁ ମଧ୍ୟ ସୀମିତ କରାଯାଇଥିବା ସୂଚନା ମିଳିଛି।
ଆମ ଆଦମୀ ପାର୍ଟି ତାଙ୍କ ସ୍ଥାନରେ ସାଂସଦ ଅଶୋକ ମିତ୍ତଲଙ୍କୁ ନୂତନ ଉପନେତା ଭାବେ ନିଯୁକ୍ତ କରିଛି। ଏନେଇ ପାର୍ଟି ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।
ସେହିପରି ପାର୍ଟି ସଚିବାଳୟକୁ ଏହା ମଧ୍ୟ ଅବଗତ କରାଇଛି ଯେ ରାଘବ ଚଢାଙ୍କୁ ସଂସଦରେ କହିବା ପାଇଁ ସମୟ ନ ଦିଆଯାଉ। ଏହି ପଦକ୍ଷେପ ଏମିତି ସମୟରେ ଆସିଛି, ଯେତେବେଳେ ଚଢା ରାଜ୍ୟସଭାରେ ବିମାନବନ୍ଦରର ଦରବୃଦ୍ଧି ଭଳି ସାଧାରଣ ଲୋକଙ୍କ ସମସ୍ୟା ଉପରେ ଲଗାତାର ସ୍ୱର ଉଠାଇ ଆସୁଥିଲେ। ଏହି ଘଟଣା ପରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।