ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଏସ୍ଆଇଆର୍ (SIR) କାର୍ଯ୍ୟରେ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ଘଟଣାରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଆଦାଲତ ମମତା ବାନାର୍ଜୀଙ୍କ ସରକାରକୁ ଭର୍ତ୍ସନା କରିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସହିତ ବରିଷ୍ଠ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଘଟଣାକୁ ଗୁରୁତର ଭାବରେ ନେଇଛନ୍ତି। ଏସ୍ଆଇଆର୍ କାର୍ଯ୍ୟ ପାଇଁ ଯାଇଥିବା ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ହିଂସା, ବନ୍ଦୀତ୍ୱ ଓ ଧମକ ଦିଆଯାଇଥିବାକୁ ଆଦାଲତ ଗଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ଏହାମଧ୍ୟରେ ତିନି ଜଣ ମହିଳା ଅଧିକାରୀ ଥିଲେ।
ଆଦାଲତ ଏହି ଘଟଣାକୁ ନ୍ୟାୟିକ ବ୍ୟବସ୍ଥା ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଏକ ସୁଚିନ୍ତିତ ଓ ଦୁଃସାହସିକ ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି। ଘଟଣାଟି ମାଲଦା ଜିଲ୍ଲାରେ ଘଟିଥିବା ବେଳେ, ସୁପ୍ରିମକୋର୍ଟ ସ୍ୱତଃପ୍ରେରିତ ଭାବେ ଏହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।