ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

୩୦ ଦିନ ଜେଲରେ ରହିଲେ ହରାଇପାରନ୍ତି ପଦବୀ

0

ନୂଆଦିଲ୍ଲୀ: ସଙ୍ଗୀନ ଅପରାଧରେ ଗିରଫ ହୋଇ କ୍ରମାଗତ ୩୦ ଦିନ ହାଜତ କିମ୍ବା ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସ୍ୱତଃ ପଦଚ୍ୟୁତ କରିବା ପ୍ରସ୍ତାବ ଥିବା ବହୁଚର୍ଚ୍ଚିତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଲ୍‌ର ତର୍ଜମା ପାଇଁ ଗଠିତ ମିଳିତ ସଂସଦୀୟ କମିଟି (ଜେପିସି) ଖୁବଶୀଘ୍ର ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଯାଉଛି। ଜୁଲାଇ ୧୭ ସୁଦ୍ଧା ଏହି ରିପୋର୍ଟ ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।

ଗତବର୍ଷ ଅଗଷ୍ଟ ୨୦ରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ସମ୍ବିଧାନର ଧାରା ୭୫, ୧୬୪ ଓ ୨୩୯(ଏଏ)ରେ ସଂଶୋଧନ ପ୍ରସ୍ତାବ କରାଯାଇଥିବା ଏହି ବିଲ୍‌ରେ କୁହାଯାଇଛି ଯେ, ୫ ବର୍ଷରୁ ଅଧିକ ଦଣ୍ଡଯୋଗ୍ୟ ସଙ୍ଗୀନ ଅପରାଧରେ ଗିରଫ ହୋଇ ୩୦ ଦିନ ହାଜତରେ ରହିଲେ ସମ୍ପୃକ୍ତ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ୩୧ତମ ଦିନରୁ ସ୍ୱତଃ ପଦ ହରାଇବେ। ଜେଲ୍‌ ଭିତରୁ ଶାସନ ପରିଚାଳନା ଭଳି ପରିସ୍ଥିତିକୁ ରୋକିବା ଏବଂ ସାମ୍ବିଧାନିକ ନୈତିକତା ବଜାୟ ରଖିବା ଏହାର ଉଦ୍ଦେଶ୍ୟ ବୋଲି ସରକାର କହିଛନ୍ତି। ବିଲ୍‌ର ସମୀକ୍ଷା ପାଇଁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ୩୧ ସଦସ୍ୟ ବିଶିଷ୍ଟ ଜେପିସି ଗଠନ କରାଯାଇଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମିଟି ବିଲ୍‌ର ମୂଳ ୩୦ ଦିନିଆ ବହିଷ୍କାର ବ୍ୟବସ୍ଥାକୁ କାୟମ ରଖିବା ସପକ୍ଷରେ ମତ ଦେଇଛି। ତେବେ ଆଇନର ଅପବ୍ୟବହାର ରୋକିବା ଏବଂ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟକଳାପକୁ ଅଟକାଇବା ପାଇଁ କିଛି ସୁରକ୍ଷା ବ୍ୟବସ୍ଥା ଯୋଡ଼ିବା ନେଇ ମଧ୍ୟ ଆଲୋଚନା ଚାଲିଛି।

ଅନ୍ୟପଟେ, ‘ଇଣ୍ଡିଆ’ ମେଣ୍ଟର ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌କୁ ତୀବ୍ର ବିରୋଧ କରୁଛନ୍ତି। ସେମାନଙ୍କ ମତରେ, ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ କେବଳ ଗିରଫ କିମ୍ବା ହାଜତ ଆଧାରରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପଦରୁ ହଟାଇବା ପ୍ରାକୃତିକ ନ୍ୟାୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ। ବିରୋଧୀ ସାଂସଦମାନେ ଜେପିସି ରିପୋର୍ଟରେ ନିଜସ୍ୱ ଅସହମତି ପତ୍ର ସାମିଲ କରିବାର ସମ୍ଭାବନା ରହିଛି।

ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାର ଏହି ବିଲ୍‌କୁ ଆଗତ କରିପାରନ୍ତି। ବିଲ୍‌ଟି ଆଇନରେ ପରିଣତ ହେଲେ ଭାରତୀୟ ରାଜନୀତି ଏବଂ ଶାସନ ବ୍ୟବସ୍ଥାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ପରିବର୍ତ୍ତନ ଆଣିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.