ନ୍ୟୁଜ ବ୍ୟୁରୋ: ମୋବାଇଲକୁ ଆସୁଥିବା ଅଜଣା ନମ୍ବରରୁ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ଏଣିକି ସହଜ ହେବ। କଲର ନାଁ ଓ ନମ୍ବର ପ୍ରଦର୍ଶନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ଟେଲିକମ୍ୟୁନିକେସନ ବିଭାଗ ପଦକ୍ଷେପ ନେଇଛି। ଏଥିପାଇଁ ନଭେମ୍ବର ୧ରୁ କଲିଂ ନେମ୍ ପ୍ରେଜେଣ୍ଟେସନ (ସିଏନଏପି) ବ୍ୟବସ୍ଥା ଲାଗୁ କରିବାକୁ ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବ୍ୟବସ୍ଥା ଅନୁଯାୟୀ, ଫୋନ୍କୁ କଲ୍ ଆସିଲେ କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ସହ ତାଙ୍କ ନାଁ ମଧ୍ୟ ମୋବାଇଲ ସ୍କ୍ରିନ୍ରେ ଦେଖାଯିବ। ନମ୍ବରଟି ଫୋନ୍ର କଣ୍ଟାକ୍ଟ ତାଲିକାରେ ସେଭ୍ ହୋଇନଥିଲେ ମଧ୍ୟ ଟେଲିକମ୍ ଅପରେଟରଙ୍କ ରେକର୍ଡରେ ଥିବା ନାଁ ପ୍ରଦର୍ଶିତ ହେବ। ତେବେ ନମ୍ବରଟି ସେଭ୍ ଥିଲେ ପୂର୍ବଭଳି କଣ୍ଟାକ୍ଟରେ ଥିବା ନାଁ ଦେଖାଯିବ। ବିଭାଗର ନିର୍ଦ୍ଦେଶ ଅନୁସାରେ, ଏହି ସୁବିଧା ପ୍ରଥମ ପର୍ଯ୍ୟାୟରେ ଦେଶର ୪ଜି ଓ ତଦୁର୍ଦ୍ଧ୍ୱ ନେଟୱର୍କରେ ଲାଗୁ ହେବ। ୨ଜି ଓ ୩ଜି ନେଟୱର୍କ ପାଇଁ ପରବର୍ତ୍ତୀ ସମୟରେ ବିଚାର କରାଯିବ। ବିଦେଶରୁ ଆସୁଥିବା କଲ୍ କ୍ଷେତ୍ରରେ ସ୍କ୍ରିନ୍ରେ ଅନ୍ତର୍ଜାତୀୟ କଲ୍ ବୋଲି ଦର୍ଶାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ନାଁ ଓ ମୋବାଇଲ ନମ୍ବର ସଂଯୁକ୍ତ ଥିବା ଡାଟାବେସ୍ ପରିଚାଳନା କରିବେ। ଏଥିସହ ତଥ୍ୟର ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରିବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।