ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ୧୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କମ୍ପ୍ରେସଡ୍ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟର ଶିଳାନ୍ୟାସ ନଭେମ୍ବର ୧୩ରେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବେଙ୍ଗାଲୁରୁ ଦକ୍ଷିଣ ସାଂସଦ ତେଜସ୍ୱୀ ସୂର୍ଯ୍ୟ ବୁଧବାର ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଗେଲ୍ ଦ୍ୱାରା ନିର୍ମିତ ଏହି ପ୍ଲାଣ୍ଟ ଦକ୍ଷିଣ ଭାରତରେ ପ୍ରଥମ ବୋଲି ସେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ପ୍ଲାଣ୍ଟରେ ଦୈନିକ ୩୦୦ ଟନ୍ ଓଦା ଆବର୍ଜନା ପ୍ରକ୍ରିୟାକରଣ ହେବ। ପରେ ଏହାର କ୍ଷମତା ୫୦୦ ଟନ୍କୁ ବୃଦ୍ଧି କରାଯିବ। ୧୫ ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବା ଲକ୍ଷ୍ୟ ରହିଛି। ଏଥିରୁ ଉତ୍ପାଦିତ ବାୟୋଗ୍ୟାସ୍ ପାଇପ୍ ଯୋଗେ ପ୍ରାୟ ୨୫ ହଜାର ପରିବାରକୁ ଯୋଗାଇ ଦିଆଯିବ। ଏହାଦ୍ୱାରା ଦୈନିକ ପ୍ରାୟ ୯୦୦ ଏଲ୍ପିଜି ସିଲିଣ୍ଡର ସଞ୍ଚୟ ହେବ। ଏଥିସହ ଦୈନିକ ୨୨ ଟନ୍ ଜୈବିକ ସାର ଉତ୍ପାଦନ ହେବ।
ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି, ଏହି ପ୍ରକଳ୍ପ ବେଙ୍ଗାଲୁରୁର ଆବର୍ଜନା ପରିଚାଳନା ସମସ୍ୟାର ସମାଧାନରେ ସହାୟକ ହେବ। ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ।