ଝାରସୁଗୁଡା: ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ମିଳିଛି ଜନାଦେଶ । ଏବେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାବଳୟ ଭିତରେ ଇଭିଏମକୁ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଷ୍ଟ୍ରଙ୍ଗରୁମରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ଝାରସୁଗୁଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଆସନ୍ତାକାଲି ଭୋଟ ଗଣତି ସକାଳ ୮ ଟାରୁ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ୮ ଟା ୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ । ଏଥିପାଇଁ ଷ୍ଟଙ୍ଗରୁମ ଚାରିପଟେ ନେତା ଓ କର୍ମୀଙ୍କୁ ଭିଡ ଦେଖିବାକୁ ମିଳିଛି ।
ସବୁଠୁ ବଡ କଥା ହେଉଛି ତିନି ପ୍ରମୁଖ ରାଜନୈତିକ ଦଳ, ନିଜ ନିଜ ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ସପକ୍ଷରେ ଜନମତ ରହିଛି । ଦୀପାଳି ଦାସଙ୍କୁ ଲୋକେ ଆଶୀର୍ବାଦ ଦେଇଛନ୍ତି, ସେ ହିଁ ବିଜୟୀ ହେବେ ।
ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।