ନୂଆଦିଲ୍ଲୀ: ଦିଲ୍ଲୀରେ ସିଜେପିର ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ପୂର୍ବରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। କନଟ୍ ପ୍ଲେସ୍ ସମେତ ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ ବଢ଼ାଯାଇଥିବାବେଳେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ସଂସଦ ମାର୍ଗ ଥାନା ବାହାରେ ପ୍ରଦର୍ଶନ କରୁଥିବା ଏନ୍ଏସ୍ୟୁଆଇ ଓ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଅଟକଙ୍କ ମଧ୍ୟରେ ଯୁବ କଂଗ୍ରେସ ଅଧ୍ୟକ୍ଷ ଉଦୟ ଭାନୁ ଚିବ୍ ଓ ଏନ୍ଏସ୍ୟୁଆଇ ଜାତୀୟ ଅଧ୍ୟକ୍ଷ ବିନୋଦ ଜାଖଡ଼ ଅଛନ୍ତି। ସଂଗଠନର ମହିଳା କର୍ମୀ ଆଥିରା ଓ ରୁତୁଙ୍କୁ ପୋଲିସ ବସ୍ରେ କଥିତ ମାଡ଼ ମରାଯାଇଥିବା ଅଭିଯୋଗରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା ଦାବି କରି କର୍ମୀମାନେ ରାତିସାରା ଥାନା ବାହାରେ ଧାରଣା ଦେଇଥିଲେ।
ତେବେ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯିବା ପରେ କଂଗ୍ରେସ ଓ ଏନ୍ଏସ୍ୟୁଆଇ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। କଂଗ୍ରେସ ସାଂସଦ ଜେବି ମାଥର ଓ ସିପିଆଇ ନେତ୍ରୀ ଆନି ରାଜା ମଧ୍ୟ ଥାନାରେ ପହଞ୍ଚିଥିବା ସୂଚନା ମିଳିଛି। ମାର୍ଚ୍ଚକୁ ଦୃଷ୍ଟିରେ ରଖି କନଟ୍ ପ୍ଲେସ୍ର ସେଣ୍ଟ୍ରାଲ ପାର୍କକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ପାର୍କର ପ୍ରବେଶ ପଥଗୁଡ଼ିକରେ ବ୍ୟାରିକେଡ୍ ଲଗାଯିବା ସହ ମେଟ୍ରୋ ଷ୍ଟେସନ୍ ନିକଟରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। କେତେକ ରାସ୍ତାରେ ଯାତାୟାତ ମାର୍ଗ ପରିବର୍ତ୍ତନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ପ୍ରାୟ ୬ ହଜାର ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୨୦୦ କମ୍ପାନୀ ମୁତୟନ ହୋଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୋଲିସ ଯାତ୍ରୀଙ୍କୁ ଆଗୁଆ ଟ୍ରାଫିକ୍ ପରାମର୍ଶ ଯାଞ୍ଚ କରିବା ଏବଂ ସମ୍ଭବ ହେଲେ ବ୍ୟକ୍ତିଗତ ଗାଡ଼ି ବଦଳରେ ସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।