ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ନବୀନଙ୍କ ସାମ୍ନାରେ ବିରୋଧୀ ନିଷ୍ପ୍ରଭ କାହିଁକି?

0

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ଦିନ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଦଳରେ ରାଜାଭିଷେକ ହେବ। ବିଜେଡି ଫୁଲଦମରେ ଏଥିପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ଭିତରେ ନେତୃତ୍ବ ବିରୋଧରେ କିଛି ଶକ୍ତି ମୁଣ୍ଡ ଟେକିବା ଆଦୌ ନୂଆ କଥା ନୁହେଁ। ହେଲେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏସବୁ ବାରମ୍ବାର ପ୍ରଭାବହୀନ ହୋଇଛି। ବରଂ ଏୟା ହୋଇଛି ଯେ ନବୀନଙ୍କୁ ଯିଏ ଯେତେବେଳେ ଅତି ପ୍ରଚଣ୍ଡ ଭାବେ ବିରୋଧ କରିବାକୁ ଯୋଜନା କରିଛି, ସେ ସେତିକି ପ୍ରଭାବୀ ଢଙ୍ଗରେ ସାମ୍ନାକୁ ଆସିଛନ୍ତି, ଯାହା ତାଙ୍କର ଉଚ୍ଚତାକୁ ଆଉ କିଛି ହାତ ଯାଏ ବଢାଇ ଦେଇଛି। ଓଡ଼ିଶା ରାଜନୀତିରେ ନବୀନଙ୍କ ବ୍ୟତୀତ ଅନ୍ୟ ନେତାମାନେ ଏ କ୍ଷେତ୍ରରେ ସେତେଟା ଭାଗ୍ୟବାନ ନୁହଁନ୍ତି। ଏପରିକି ପ୍ରବାଦ ପୁରୁଷ ବିଜୁ ବାବୁ ନଥିଲେ କି ରାଜନୀତି ଗୋଟିଚାଳନାରେ ଅନନ୍ୟ କୁହାଯାଉଥିବା ହରେକୃଷ୍ଣ ମହତାବ କିମ୍ବା ଜାନକୀ ବଲ୍ଲଭ ପଟ୍ଟନାୟକ।

ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ବିଜେଡି ଜନ୍ନଲାଭ କରିଥିଲା। ଜନତାଦଳ ବିଭାଜନ ସହିତ ଆତ୍ମପ୍ରକାଶ କରିଥିଲା ବିଜେଡି। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ପ୍ରମୁଖଙ୍କର ଏ କ୍ଷେତ୍ରରେ ଭୂମିକା କିଛି କମ୍ ନଥିଲା। କିନ୍ତୁ ଆଜି ଦିନରେ ବିଜେଡିର ରାସ୍ତା ଯେତିକି ସହଜ ଅଛି, ଦଳ ଜନ୍ନ ନେବାର ତିନିବର୍ଷ ତାହାଠାରୁ ଢେର୍ କେଇଗୁଣା କଣ୍ଟକିତ ଥିଲା। କାରଣ ନେଇ ବିଭିନ୍ନ ରାଜନେତା ନିଜକୁ ଏଥିରୁ ଉର୍ଧ୍ବରେ ରଖି ଭିନ୍ନ ଭିନ୍ନ ଯୁକ୍ତି ରଖନ୍ତି। କିନ୍ତୁ ରାଜନୀତିରେ ପାଦ ଦେବା ପରେ ପ୍ରଥମ ତିିନିବର୍ଷ ଧରି ନେତୃତ୍ବକୁ ନେଇ ଯେଉଁ ଦାଓ ପେଞ୍ଚର ଖେଳ ଚାଲିଥିଲା, ତାହାକୁ ନବୀନ ହଟାଇବାରେ କେବଳ ସକ୍ଷମ ହୋଇଥିଲେ ତା ନୁହେଁ, ଦଳ କିଭଳି ପରିଚାଳନା କରାଯାଏ, ନେତୃତ୍ବ କିଭଳି ଆଚରଣ କରିବା ଦରକାର, କାହିଁକି ଜଣେ ନେତାକୁ ସମସ୍ତେ ମାନିବେ ଏସବୁ କଳା କୌଶଳ ନବୀନ ଶିଖିବାରେ ସମର୍ଥ ହୋଇଥିଲେ। କଂଗ୍ରେସ ରାଜ୍ୟ ଶାସନରୁ ବିଦା ହେବାପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିଲା, ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଶୀର୍ଷ ଛୁଇଁଥିଲା, ଜନତାଦଳର ସବୁ ନେତା ବିଜେଡିରେ ଆଖିବୁଜା ଯୋଗଦେବା ଲାଗି ପ୍ରସ୍ତୁତ ନଥିଲେ, ନବୀନଙ୍କୁ ବିଜେଡିର ନେତାମାନେ ସର୍ବମାନ୍ୟ କରିବା ଲାଗି ଶହେ ପ୍ରତିଶତ ନିଶ୍ଚିନ୍ତ ହୋଇପାରୁନଥିଲେ, ମହାବାତ୍ୟାର ବିପର୍ଯ୍ୟୟରେ ଓଡ଼ିଶା ଖିନ୍ ଭିନ୍ ହୋଇଯାଇଥିଲା, ସର୍ବୋପରି ଆର୍ଥିକ ଦୁରାବସ୍ଥା ଭିତରେ ସମସ୍ତେ ଜଡସଡ ହେଉଥିବା ବେଳେ କିଛି ଅଜଣା ଶକ୍ତି ନବୀନଙ୍କୁ ଦୃଢମନା କରୁଥିଲା।

୨୦୦୦ ମସିହାରେ ଦଳ କ୍ଷମତାକୁ ଆସିବା ପୂର୍ବରୁ ନିଜର ଅନ୍ୟତମ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯିବା ଠାରୁ ଆରମ୍ଭ କରି ପ୍ରଥମ ପାଳିରେ ବିଜେଡିର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ବିଜେପିର ପ୍ରଶାନ୍ତ ନନ୍ଦ, କମଳା ଦାସଙ୍କୁ ବିଦା କରିବାର ଦୁଃସାହସ, ସର୍ବୋପରି ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କୁ ବିଜେଡିର ବାହାର କବାଟ ଦେଖାଇବାରେ ନବୀନ ସମର୍ଥ ହେଲେ। କିଏ ଏଥିପାଇଁ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ସବୁ ଶ୍ରେୟ ଦେଇଛନ୍ତି, କିନ୍ତୁ ନବୀନ ଯଦି ହଁ ନ ଭରିଥାନ୍ତେ, ତେବେ ଏସବୁ କେବେ ବି ସମ୍ଭବ ହୋଇନଥାନ୍ତା। ଓଡ଼ିଶା ଶାସନରେ ଜନ ବିରୋଧୀ ଶକ୍ତିକୁ କିଭଳି ଓ କେତେ ପ୍ରଚଣ୍ଡ ଭାବେ ଦମନ କରାଯାଇପାରେ, ତାହା ନବୀନ ଦେଖାଇଥିଲେ। କେବଳ ସେତିକି ନୁହେଁ, କଂଗ୍ରେସକୁ ତଳିଆ କରି ବିଜୟ ମହାପାତ୍ରଙ୍କ ଓଡ଼ିଶା ଗଣ ପରିଷଦ ମୁଣ୍ଡ ଟେକୁଥିବା ବେଳେ ବିଜେଡି ଭିତରେ ସ୍ଥିରତା ରଖି ସମସ୍ତ ବାହ୍ୟଶକ୍ତିକୁ ପ୍ରତିହତ କରିବାର କଳା ନବୀନଙ୍କ ପ୍ରଥମ ପାଳି ସଙ୍କେତ ଦେଇଥିଲା।

ଜାନକୀଙ୍କ ଭଳି ରାଜନୀତିରେ ଧୂରୀଣ ନେତା ନବୀନଙ୍କ ବାଟ ଓଗାଳିପାରିଲେ ନାହିଁ। ବରଂ ନବୀନଙ୍କ ଶାସନର ଶୈଳୀ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଅସ୍ତ୍ର କରି ନବୀନ ରାଜ୍ୟ ଶାସନରେ ସ୍ଥିରତା ରଖିବା ସହିତ ବିଜେଡିରେ ଜଣେ ପରେ ଜଣେ ନୂଆ ନେତାଙ୍କୁ ସାମ୍ନାକୁ ଆଣିବା କ୍ଷେତ୍ରରେ ନବୀନ ଯେଉଁ ଗୋଟିଚାଳନା କରିଥିଲେ, ତାହା ବିରୋଧୀଙ୍କ ଜ୍ଞାତସାରରେ ହିଁ ନଥିଲା। ଯେଉଁଥିପାଇଁ ଆଜି ସମସ୍ତେ ବାଡେଇ କଚାଡି ହେଲେ ବି ଅସଲ ଗୋଟିଚାଳନା ସେବେ ଆବଶ୍ୟକ ଥିଲା, ଯାହା ଏସବୁ ନେତାମାନେ କରିବାରେ ସମର୍ଥ ହୋଇନଥିଲେ। ଆହୁରି ସ୍ପଷ୍ଟ ଭାବେ କହିଲେ, ନବୀନଙ୍କୁ ନୀଚ୍ଚା ଦେଖି ସେ ସମୟର ଉଚ୍ଚାନେତାମାନେ ଯେଉଁ ଅକ୍ଷମଣୀୟ ଭୁଲ କରିଛନ୍ତି, ତାହା ସୁଧୁରିବାର ଆଉ ସୁଯୋଗ ଦେବନାହିଁ।

ରାଜ୍ୟ ଶାସନର ଦ୍ବିତୀୟ ପାଳିରେ ଆଉ କିଛି ମହାଶକ୍ତିକୁ ନବୀନ ନିଷ୍ପ୍ରଭ କରିବାରେ ସକ୍ଷମ ହୋଇଥିଲେ। ଓଜିପି ପରେ ଗଠନ ହୋଇଥିବା ଏନସିପିକୁ ବିଜେଡିରେ ବିଲୀନ କରି ବିଜୟଙ୍କ ହାତକୁ ଦୁର୍ବଳ କରିଦେଇଥିଲେ ନବୀନ। ବିଜେପିକୁ ଶେଷ ମୁହୂର୍ତରେ ସଂପର୍କର ସୀମା ଦେଖାଇ ରାଜନୀତିରେ ନିଜର ପରିପକ୍ବତା ପ୍ରକଟ କରିଥିଲେ। ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ସ୍ଥିରତା ନବୀନଙ୍କୁ ଅତ୍ୟନ୍ତ ପ୍ରଭାବୀ କରି ତୋଳିଥିଲା, ରାଜ୍ୟରେ ସାମଗ୍ରିକ ଭାବେ ଦେଶରେ।

ତୃତୀୟ ପାଳି ନବୀନଙ୍କ ପାଇଁ ଆହୁରି କଠିନଥିଲା, ଏଇଥିପାଇଁ, ଯେଉଁ ପ୍ୟାରୀ ବାବୁଙ୍କୁ ସାମ୍ନାରେ ରଖି ବିଜେଡି ଗୋଟିଚାଳନା କରୁଥିବା କୁହାଯାଉଥିଲା, ତାଙ୍କୁ ବିଜେଡି ଅତ୍ୟନ୍ତ ନିର୍ଦୟ ଭାବେ ଦଳରୁ ବହିଷ୍କାର କରିଥିଲା। ଦଳ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗରେ ପ୍ୟାରୀ ଗଲେ। ନବୀନ ତୃତୀୟ ପାଳିରେ ସେ ଯେ ଏକା ସବୁ ନିଷ୍ପତ୍ତି ନେଉଥିଲେ, ତାଙ୍କର ନେତୃତ୍ବ ହିଁ ବିଜେଡିର ନେତୃତ୍ବ ଏକଥା ପ୍ରମାଣିତ କଲେ। ବାରମ୍ବାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରି ସେ ଏମିତି ବାତାବରଣ କରିସାରିଥିଲେ ଯେ ସେ ପାଳିରେ ଦଳରୁ ତଡା ଖାଇଥିବା ନେତା ତାଙ୍କ ପାଖରେ ପୁଣି ଶରଣ ନେଲେ, ଯାହା ତାଙ୍କର ନେତୃତ୍ବକୁ ଅଧିକ ବଳିଷ୍ଠ କରି ତୋଳିଥିଲା।

ପ୍ୟାରୀଙ୍କ ଅବର୍ତମାନରେ ବିଜେଡି ୧୧୭ ଆସନରେ ଜିତିବା, ଲୋକସଭାରେ ଚକମା ଦେବା, ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ, ମିସନ ଶକ୍ତି ଭଳି ବଡ଼ ପଦକ୍ଷେପ ନେଇ ନବୀନ ନିଜକୁ ଲୋକଙ୍କ ଭିତରେ ଜଣେ କରିସାରିଥିଲେ। ସାରା ଦେଶରେ ଯେତେବେଳେ ଗେରୁଆ ହାଵା ବହୁଥିଲା, ସେ ବିଜେଡିକୁ ଶୀର୍ଷସ୍ତରରେ ପହଞ୍ଚାଇଦେଲେ, ତାହା ପୁଣି ପ୍ୟାରୀଙ୍କ ଅବର୍ତମାନରେ। ଚିଟଫଣ୍ଡ କେଳେଙ୍କାରୀ, ଡାଲି ଦୁର୍ନୀତି, ଖଣି ଦୁର୍ନୀତି ଭଳି ଏକାଧିକ ପ୍ରସଙ୍ଗ ତାଙ୍କ ପ୍ରଗତିରେ କିଛି ମାତ୍ରାରେ ବାଧା ସୃଷ୍ଟି କରିଥିଲା ନିଶ୍ଚୟ, କିନ୍ତୁ ଏସବୁକୁ ଠିକଣା ସମୟରେ ମୁକାବିଲା କରି ପୁଣି ଥରେ ରାଜ୍ୟ ରାଜନୀତିର ଶୀାର୍ଷରେ ନିଜକୁ ପ୍ରତିଷ୍ଠିତ କରିବାର ଯେଉଁ ଶକ୍ତି, ତାହା କେବଳ ନବୀନଙ୍କ ପାଖରେ ଦେଖାଯାଇଛି।ବୈଜୟନ୍ତ ପଣ୍ଡାଙ୍କୁ ବି ସେ ଏହି ପାଳିରେ ରୋକିବାରେ ସକ୍ଷମ ହୋଇଥିଲେ।

ଶ୍ରେୟ କିଏ ବି ନେଉ, କିଏ ବି ଦାବି କରୁଛି ଯେ ସେ ବିଜେଡିର ଚାଣକ୍ୟ, ଗୋଟିଚାଳନା କରୁଛନ୍ତି, କିନ୍ତୁ ସାଧାରଣ ଲୋକଙ୍କ ଭରସା କେବଳ ଓ କେବଳ ନବୀନଙ୍କ ପାଖରେ ସୀମିତ ରହିଛି। ମାତ୍ର ଗୋଟିଏ ଧାଡି ଆପଣମାନେ ଖୁସି ତ କହି ନିର୍ବାଚନ ଜିତିବାର କ୍ଷମତା କେବଳ ତାଙ୍କ ପାଖରେ ଅଛି ଓ ସେ ତାହା କରି ଦେଖାଇଛନ୍ତି। ବିଜେପି ଯେତେବେଳେ ପ୍ରଚଣ୍ଡ ଶକ୍ତିର ସହିତ ବିଜେଡିକୁ ଅଟକାଇବାକୁ ପ୍ରୟାସ କରିଛି, ନବୀନ ଧାଡିକ କଥାରେ ତାକୁ ଅଟକାଇଦେବା ପଛର ବଡ ଶକ୍ତି ହେଉଛି, ଆଜି ବି ସେ ଜଣେ ରହସ୍ୟମୟ ନେତା। ଯାହାର କଳା, କୌଶଳ, ଗୋଟିଚାଳନା ସମସ୍ତଙ୍କ ପାଖରେ ଅପହଞ୍ଚ। କେହି ବି ଠଉରାଇ ପାରୁନାହାନ୍ତି ଆଦୌ ଓଡ଼ିଆ କହୁନଥିବା, ସାଧାରଣ ଲୋକଙ୍କ ସହିତ ମିଶୁନଥିବା ନବୀନ ଲୋକଙ୍କ ମନ ଜିଣିଲେ କିପରି?

Leave A Reply

Your email address will not be published.