୨୬ରେ ନେଇ ପାରନ୍ତି ଶପଥ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ପୁଣି ଚାଲିବ ହେମନ୍ତ ସୋରେନଙ୍କ ଶାସନ। ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ। ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପ୍ରକ୍ରିୟା ତୀବ୍ର ହୋଇଛି।
ସୂଚନା ମୁତାବକ, ନୂଆ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୬ରେ ଆୟୋଜିତ ହେବାକୁ ଯାଉଛି। ଏହି ସମାରୋହରେ ବିରୋଧୀ ଦଳର ଅନେକ ବଡ଼ ନେତା ମଧ୍ୟ ସାମିଲ ହେବେ। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱାଧୀନ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ ଆସନ ସହ ଜବରଦସ୍ତ ବିଜୟ ହାସଲ କରି କ୍ଷମତା ବଜାୟ ରଖିଛି। ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ଟି ଆସନ ଜିତିଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ମାତ୍ର ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ନିର୍ବାଚନରେ ବିଜେପି ଖେଳିଥିବା ଆଦିବାସୀ ଓ ଅନୁପ୍ରବେଶକାରୀ କାର୍ଡ ଫେଲ୍ ମାରିଛି। ନିର୍ବାଚନରେ ସବୁଠାରୁ ଲାଭବାନ ହୋଇଛି ଆରଜେଡି । ୨୦୧୯ ନିର୍ବାଚନରେ ଦଳ ଗୋଟିଏ ଆସନ ପାଇଥିବାବେଳେ ଚଳିତ ନିର୍ବାଚନରେ ୪ଟି ଆସନରେ ବିଜୟୀ ହୋଇଛି।