ପଶ୍ଚିମ ବଙ୍ଗ: ଶୁଭେନ୍ଦୁ ଅଧିକାରୀଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦେବା ଘଟଣାରେ କଲକାତା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହସନୈନ୍ ଇକ୍ବାଲ ନାମକ ୨୭ ବର୍ଷୀୟ ଯୁବକଙ୍କୁ କଲକାତାର ଗାର୍ଡେନ ରିଚ୍ ଅଞ୍ଚଳରୁ ଧରାଯାଇଥିବା ସୂଚନା ମିଳିଛି। ଚଳିତ ମାସ ୧୪ ତାରିଖରେ ଭବାନୀପୁର ଥାନାକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା। ସେହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ସହଯୋଗରେ ଆତ୍ମଘାତୀ ବିସ୍ଫୋରଣ କରି ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ତେବେ ଇ-ମେଲଟି ଜଣେ ମହିଳାଙ୍କ ନାମରେ ପଠାଯାଇଥିବା ପୁଲିସ କହିଛି।
ଘଟଣାକୁ ଗୁରୁତ୍ୱ ସହ ନେଇ କଲକାତା ପୁଲିସର ସାଇବର ଶାଖା ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ଏବଂ ଟେକ୍ନିକାଲ ଟ୍ରାକିଂ ପରେ ଗାର୍ଡେନ ରିଚ୍ ଅଞ୍ଚଳର ଗୁଲାମ ଆବାସ ଲେନ୍ରେ ରହୁଥିବା ହସନୈନ୍ ଇକ୍ବାଲଙ୍କୁ ପୁଲିସ ଗିରଫ କରିଛି। ଘଟଣାକୁ ନେଇ ପୁଲିସ ଆହୁରି ତଦନ୍ତ ଜାରି ରଖିଛି ଏବଂ ଧମକ ପଛରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଖୋଜଖବର ଚାଲିଛି।