୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ନ୍ୟୁଜ୍ ବ୍ୟୁରୋ: ବାଣପୁର ବ୍ଲକର ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସରନଇ ମାଣେତ୍ରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ଝିଅ ବାହାଘର ପାଇଁ ରଖାଯାଇଥିବା ସମସ୍ତ ସାମଗ୍ରୀ ମଧ୍ୟ ଜଳିପୋଡ଼ି ଛାରଖାର ହୋଇଯାଇଛି। ଏହା ଫଳରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ଖବର ପାଇ ବାଲୁଗାଁ ଓ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ପରେ ପୀଡ଼ିତ ପରିବାର ଓ ଗ୍ରାମବାସୀ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।