ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି

0

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ନୂଆ ମୋଡ଼ ଆସିଛି। ଗତ ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ବେଳେ ଏହା ଏକ ‘ମାଲ୍‌ପ୍ରାକ୍ଟିସ୍’ (ଅସାଧୁ ଉପାୟ ଅବଲମ୍ବନ) ଘଟଣା ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ସ୍ପଷ୍ଟ କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏମକେସିଜି ମେଡିକାଲ କଲେଜର ଡିନ୍‌ଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ପରୀକ୍ଷାର ସ୍ୱଚ୍ଛତା ଉଲ୍ଲଂଘନ ଅଭିଯୋଗର ତଦନ୍ତ କେବଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସୀମିତ ରହିବ ନାହିଁ; ଦାୟିତ୍ୱରେ ଥିବା ପରୀକ୍ଷା ନିରୀକ୍ଷକ ଓ ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ।
ପରୀକ୍ଷା କେନ୍ଦ୍ର ଭିତରକୁ କିପରି ଅନଧିକୃତ ସାମଗ୍ରୀ ପ୍ରବେଶ କଲା, ତାହାର ତଦନ୍ତ ପାଇଁ ଏମକେସିଜି କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ଯଦି କୌଣସି ଅଧିକାରୀଙ୍କ ଅବହେଳା କିମ୍ବା ତ୍ରୁଟି ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଫେସର ମାନସ ରଞ୍ଜନ ସାହୁ କହିଛନ୍ତି ଯେ, ଏଭଳି ଘଟଣାର ତଦନ୍ତ ଓ ବିଚାର ପାଇଁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଏବଂ କମିଟି ରହିଛି। ପରୀକ୍ଷା ନିୟମାବଳୀରେ ଥିବା ମାଲ୍‌ପ୍ରାକ୍ଟିସ୍ ସମ୍ବନ୍ଧୀୟ ବ୍ୟବସ୍ଥା ଅନୁଯାୟୀ ଦୋଷୀଙ୍କ ବିରୋଧରେ ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷାର ସ୍ୱଚ୍ଛତା ସହ କୌଣସି ପରିସ୍ଥିତିରେ ଆପୋଷ ବୁଝାମଣା କରାଯିବ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ପ୍ରଥମ ଥର ପାଇଁ ପିଜି ପରୀକ୍ଷା ପରିଚାଳନା କରୁଛି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ମେଡିକାଲ ପିଜି ପରୀକ୍ଷା ପରିଚାଳନା କରୁଛି। ତେଣୁ ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ରହିଛି। ଏମକେସିଜିର ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.