ତାମିଲନାଡୁ: ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ସୋମବାର ବିଧାନସଭାରେ ସମବାୟ କୃଷି ଋଣ ଛାଡ଼ ନେଇ ସେ ଘୋଷଣା କରିଛନ୍ତି। ଏହା ଅନୁଯାୟୀ, ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ସମବାୟ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ସେହିପରି, ୭୫ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଆଂଶିକ ଛାଡ଼ ମିଳିବ। ଏହାଠାରୁ ଅଧିକ ଋଣ ଥିବା ଚାଷୀଙ୍କୁ ସର୍ବାଧିକ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ। ଏହି ଋଣ ଛାଡ଼ ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୧୩.୩୪ ଲକ୍ଷ ଚାଷୀ ଉପକୃତ ହେବେ। ଏଥିପାଇଁ ସରକାରଙ୍କ ଉପରେ ପ୍ରାୟ ୬,୨୨୦ କୋଟି ଟଙ୍କାର ଆର୍ଥିକ ଭାର ପଡ଼ିବ।
ବିଜୟ କହିଛନ୍ତି ଯେ, ସରକାର ଦାୟିତ୍ୱ ନେବାର ୧୫ ଦିନ ମଧ୍ୟରେ ମେ’ ମାସରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରାଯାଇଥିଲା। ଏବେ ଏହାକୁ ଆହୁରି ବଢ଼ାଇ ଚାଷୀଙ୍କୁ ଅତିରିକ୍ତ ଆଶ୍ୱସ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ରାଜ୍ୟର ମେରୁଦଣ୍ଡ। ଚାଷୀଙ୍କ ସମର୍ଥନ ବିନା ଦେଶର ସମୃଦ୍ଧି ସମ୍ଭବ ନୁହେଁ। ରାଜ୍ୟର ଆର୍ଥିକ ସମସ୍ୟା ସତ୍ତ୍ୱେ ଚାଷୀଙ୍କୁ ଅତିରିକ୍ତ ସହାୟତା ଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।