ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ସୋମବାର ଭୋରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ହସ୍ପିଟାଲର ନବଜାତ ଶିଶୁ ସଘନ ଯତ୍ନ ୟୁନିଟ୍ (ଏନଆଇସିୟୁ)ରେ ନିଆଁ ଲାଗିବାରୁ ୩ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ଆଉ ୬ ଶିଶୁଙ୍କୁ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଭୋର ପ୍ରାୟ ସାଢ଼େ ୩ଟାରେ ହସ୍ପିଟାଲର ତୃତୀୟ ମହଲାରେ ଥିବା ଏନଆଇସିୟୁରେ ହଠାତ୍ ନିଆଁ ଲାଗିଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ, ଏକ ଭେଣ୍ଟିଲେଟରରେ ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ସହ ଘନ ଧୂଆଁ ବ୍ୟାପିଯିବାରୁ ଏନଆଇସିୟୁରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣା ସମୟରେ ୟୁନିଟ୍ରେ ୩୯ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଓ ଡ୍ୟୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜୀବନରକ୍ଷକ ଉପକରଣରେ ଥିବା ଶିଶୁମାନଙ୍କୁ ମଧ୍ୟ ଯଥାସମ୍ଭବ ଶୀଘ୍ର ୱାର୍ଡରୁ ବାହାର କରାଯାଇଥିଲା। ତେବେ ଗୁରୁତର ଭାବେ ପୋଡ଼ିଯାଇଥିବା ୩ ନବଜାତଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା। ଅନ୍ୟ ୬ ଶିଶୁଙ୍କୁ ତୁରନ୍ତ ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କୁ ନିରନ୍ତର ନିରୀକ୍ଷଣରେ ରଖି ଚିକିତ୍ସା କରାଯାଉଛି।
ଅଗ୍ନିକାଣ୍ଡରେ NICUରେ ଥିବା ବିଭିନ୍ନ ଚିକିତ୍ସା ଉପକରଣ ଓ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲା। ତୁରନ୍ତ ପଦକ୍ଷେପ ଯୋଗୁଁ ନିଆଁ ହସ୍ପିଟାଲର ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇଥିଲା। ଭେଣ୍ଟିଲେଟରରେ ବିସ୍ଫୋରଣର କାରଣ ଏବଂ ଅଗ୍ନିକାଣ୍ଡ ପଛର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।