ଭୁବନେଶ୍ବର: ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି। ଏମଏମଡିଆର ଆଇନକୁ ନେଇ ସୋମବାର ବିଧାନସଭାରେ ପୁଣି ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଗୃହ ଆରମ୍ଭ ହେବାର ମାତ୍ର ୬ ମିନିଟ୍ ପରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିବାରୁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ପରେ ଗୃହ ପୁଣି ବସିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତି ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିବୃତି ରଖୁଥିଲେ। ଏହି ସମୟରେ ଖଣି ଆଇନକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳେ ନାରାବାଜି କରିଥିଲେ। ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଶେଷରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ପୁଣି ମୁଲତବୀ କରାଯାଇଥିଲା।
ଏମଏମଡିଆର ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ଗୃହରେ ଆଲୋଚନା ଦାବି କରିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏହି ଆଇନ ଯୋଗୁଁ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଓ ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହା ଉପରେ ଗୃହରେ ଆଲୋଚନା ଆବଶ୍ୟକ। କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ମଧ୍ୟ ଖଣି ଆଇନରେ ପରିବର୍ତ୍ତନ ପରେ ରାଜ୍ୟର ରାଜସ୍ୱ ଓ ଲୋକଙ୍କ ଅଧିକାର ନେଇ ସରକାରଙ୍କଠାରୁ ସ୍ପଷ୍ଟତା ଦାବି କରିଛନ୍ତି।
ଅନ୍ୟପକ୍ଷରେ ଶାସକ ଦଳର ଯୁକ୍ତି, ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି। ତେଣୁ ବନ୍ୟା, ଚାଷୀଙ୍କ ସମସ୍ୟା ଓ ପୁନର୍ନିର୍ମାଣ ଉପରେ ଗୃହରେ ଆଲୋଚନା ହେବା ଆବଶ୍ୟକ ବୋଲି ଶାସକ ଦଳର ବିଧାୟକମାନେ କହିଛନ୍ତି। ଫଳରେ ଖଣି ଆଇନ ଉପରେ ବିରୋଧୀଙ୍କ ପ୍ରତିବାଦ ଓ ବନ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରଙ୍କ ଆଭିମୁଖ୍ୟ ମଧ୍ୟରେ ଟକ୍କର ଜାରି ରହିଛି।